୫ ବର୍ଷର ଶିଶୁ ବଞ୍ଚାଇଲେ ଦୁଇ ବ୍ୟକ୍ତିଙ୍କ ଜୀବନ । ବ୍ରେନ୍ ଡେଡ୍ ପରେ ଶିଶୁର କିଡନୀ ଦାନ କଲେ ପରିବାର ଲୋକ Kanak News

କନକ ବ୍ୟୁରୋ : ଜଣେ ୫ ବର୍ଷର ପିଲାକୁ ଡାକ୍ତର ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ଘୋଷଣା କରିବା ପରେ ବାପା-ମାଆ, ପିଲାର କିଡନୀ ଦାନ କରିବା ଭଳି ମହତ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଲେ । କିନ୍ତୁ କିଡନୀର ସଫଳ ବିନିଯୋଗ କରିବା ପାଇଁ ଏସସିବି ମେଡିକାଲ କଲେଜ ଅକ୍ଷମ ହୋଇଥିବା ଅଭିଯୋଗ ହୋଇଛି । ଅବହେଳା ଓ ପୂର୍ବ ପ୍ରସ୍ତୁତି ନଥିବାରୁ କିଡନୀ ପ୍ରତ୍ୟାରୋପଣ ପାଇଁ ୮ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ଶେଷରେ ଆପୋଲୋ ହସ୍ପିଟାଲରେ ଶିଶୁର ଦୁଇଟି ଯାକ କିଡନୀ ରୋଗୀଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଛି । ଭୁବନେଶ୍ୱର କିମ୍ସ ହସପିଟାଲ୍ ଆଇସିୟୁରେ ସୌମ୍ୟରଞ୍ଜନ ଲେଙ୍କାଙ୍କ ୫ ବର୍ଷର ପୁଅ ସୁଧାଂଶୁ, ଗୁରୁତର ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିଲେ ।
ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ପିଲାର ବଞ୍ଚିବା ସମ୍ଭବ ହୋଇନଥିଲା । ବ୍ରେନ୍ ବା ମସ୍ତିଷ୍କ ଅଚଳ ହୋଇ ପଡିବାରୁ ପିଲାକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ପିଲାର ବଞ୍ଚିବାର ଆଶା ନଥିବାରୁ କିଡନୀ ଦାନ କରିବାକୁ ପରିବାର ପକ୍ଷରୁ ହସ୍ପିଟାଲକୁ ଜଣାଇ ଦିଆଯାଇଥିଲା । କିଡନୀ ଦାନ ଓ ପ୍ରତ୍ୟାରୋପଣ ନିୟମ ଅନୁଯାୟୀ କିମ୍ସ ହସ୍ପିଟାଲ୍ ପକ୍ଷରୁ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନକୁ ଜଣାଇ ଦିଆଯାଇଥିଲା । ଏହି ସଂସ୍ଥାରେ ରାଜ୍ୟର ସବୁ ସରକାରୀ-ବେସରକାରୀ ଡାକ୍ତରଖାନାରେ କିଡନୀ ପ୍ରତ୍ୟାରୋପଣ ଏବଂ ଟ୍ରାନ୍ସପ୍ଲାଣ୍ଟ ଅପେକ୍ଷାରେ ଥିବା ରୋଗୀଙ୍କ ତାଲିକା ରହିଥାଏ । କିଡନୀ ମିଳିଲେ ତାଲିକାର ପ୍ରଥମରେ ଥିବା ରୋଗୀଙ୍କ ଦେହରେ ପ୍ରତ୍ୟାରୋପଣ କରାଯାଇଥାଏ । କିଡନୀ ବାହାର କରିବା ଏବଂ ଜଣଙ୍କ ଦେହରେ ପ୍ରତ୍ୟାରୋପଣ କରିବା, ଯଦି ଠିକ୍ ସମୟରେ ନହୁଏ, ତେବେ ଏହା ଫଳପ୍ରଦ ହେବାର ସମ୍ଭାବନା ହ୍ରାସ ହୋଇଥାଏ ।
କଟକ ବଡ଼ ମେଡିକାଲକୁ ଗୋଟିଏ କିଡନୀ ନିଆଯାଇଥିଲା । କିନ୍ତୁ ଅଭିଯୋଗ ହୋଇଛି, ସେଠାରେ ପୂର୍ବ ପ୍ରସ୍ତୁତି ନଥିବାରୁ କିଡନୀ ପ୍ରତ୍ୟାରୋପଣ ନହୋଇ ପାରିନଥିଲା । ତେବେ କଟକ ମେଡିକାଲ ପକ୍ଷରୁ କୁହାଯାଇଛି, ୫ ଜଣ ରୋଗୀଙ୍କୁ ଡକା ଯାଇଥିଲା, ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆସିଥିଲେ, କିନ୍ତୁ ସେମାନଙ୍କ ଠାରେ ମ୍ୟାଚ୍ ନହେବାରୁ କିଡନୀକୁ ଫେରାଇ ଦିଆଯାଇଥିଲା । ଶେଷରେ ଆପୋଲୋ ହସପିଟାଲରେ କିଡନୀ ପ୍ରତ୍ୟାରୋପଣ କରାଯାଇଥିବା ସୂଚନା ମିଳିଛି । ଆପୋଲୋ ହସପିଟାଲରେ ଡାକ୍ତର ସମୀରଣ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍, ଦୁଇ ଜଣଙ୍କ ଠାରେ କିଡନୀ ପ୍ରତିରୋପଣ କରିଥିବା ଜଣାପଡିଛି । ବାପାମାଆ ସେମାନଙ୍କ ମୃତ ପିଲାଙ୍କ ଦାନ ଭଳି ମହତ କାର୍ଯ୍ୟ କରିଥିବାରୁ ସମସ୍ତେ ପ୍ରଶଂସା କରିଛନ୍ତି । କିନ୍ତୁ କଟକ ବଡ଼ ମେଡିକାଲରେ କାହିଁକି କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇ ପାରିଲା ନାହିଁ, ଏ ନେଇ ପ୍ରଶ୍ନ ଉଠିଛି ।
The post ୫ ବର୍ଷର ଶିଶୁ ବଞ୍ଚାଇଲେ ଦୁଇ ବ୍ୟକ୍ତିଙ୍କ ଜୀବନ । ବ୍ରେନ୍ ଡେଡ୍ ପରେ ଶିଶୁର କିଡନୀ ଦାନ କଲେ ପରିବାର ଲୋକ first appeared on Kanak News.
from Kanak News https://ift.tt/m7V1UxX https://ift.tt/jKtfV8D
No comments: