IPL 2022: ମିଲରଙ୍କ କିଲର ରୂପ, ରାଜସ୍ଥାନକୁ ୭ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ

କୋଲକାତା: ଜୋସ୍ ବଟଲରଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା ଡେଭିଡ୍ ମିଲରଙ୍କ ଅର୍ଦ୍ଧଶତକ। ଏକ ନମ୍ବର ଦଳ ଭାବେ ନିଜର ଦମଦାର ପ୍ରଦର୍ଶନ ଜାରି ରଖି ଚଳିତ ଆଇପିଏଲର ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି ଗୁଜରାଟ ଟାଇଟନ୍ସ। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ପ୍ରଥମ କ୍ଵାଲିଫାୟରର ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟ୍‌ରେ ହରାଇଛି ଗୁଜରାଟ ଟାଇଟନ୍ସ। ଡେଭିଡ୍ ମିଲରଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ(୬୮) ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵ ଇନିଂସ(୪୦) ଦମରେ ଗୁଜରାଟ ୧୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ଏହି ବିଜୟ ହାସଲ କରିଛି।  ନିଜର ପଦାର୍ପଣ ସିଜିନରେ ଗୁଜରାଟ ଫାଇନାଲ୍‌ରେ ପହଞ୍ଚି ଥିବା ବେଳେ ରାଜସ୍ଥାନ ନିକଟରେ ଆଉ ଏକ ସୁଯୋଗ ରହିଛି। ଏଲିମିନେଟରର ବିଜେତା ଦଳ ସହ ଦ୍ଵିତୀୟ କ୍ଵାଲିଫାୟରରେ ଭେଟିବ ରାଜସ୍ଥାନ ରୟାଲ୍ସ। ଉକ୍ତ ମ୍ୟାଚର ବିଜେତା ଦଳ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ।

ବଟଲରଙ୍କ ଦମଦାର ଇନିଂସ ବଳରେ ଆଇପିଏଲ ୨୦୨୨ର ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ବିପକ୍ଷରେ ୬ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ବଟଲର ୫୬ ବଲରୁ ୮୯ ରନ କରିଥିବା ବେଳେ ଅଧିନାୟକ ସଞ୍ଜୁ ସାମସନ ୨୬ ବଲରୁ ୪୭ ରନ କରିଥିଲେ। ଜବାବରେ ଗୁଜରାଟ ଡେଭିଡ୍ ମିଲରଙ୍କ ଅପରାଜିତ ୬୮ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୪୦ ରନ ବଳରେ ୧୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୧୦୬ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ଶୁଭମାନ ଗିଲ୍ ଏବଂ ମାଥ୍ୟୁ ଓ୍ଵେଦ ପ୍ରତ୍ୟେକ ୩୫ ରନ ଲେଖାଏଁ କରିଛନ୍ତି।

୧୮୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ ଟାଇଟନ୍ସକୁ ଖାତା ଖୋଲିବା ପୂର୍ବରୁ ବଡ ଝଟକା ଲାଗିଥିଲା। ଇନଫର୍ମ ବ୍ୟାଟସମ୍ୟାନ ଋଦ୍ଧିମାନ ଶାହା(୦) ଆଉଟ୍ ହୋଇଥିଲେ। ଶୁଭମାନ ଗିଲ୍ ଏବଂ ମାଥ୍ୟୁ ଓ୍ଵେଦ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟରେ ୭୨ ରନ ଯୋଡିଥିଲେ। ଗିଲ୍ ୨୧ ବଲରୁ ୩୫ ରନ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୮୫ ରନରେ ମାଥ୍ୟୁ ଓ୍ଵେଦ(୩୫) ପାଭିଲିୟନ ଫେରିଥିଲେ। ୮୫ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଗୁଜରାଟର ଇନିଂସ ସମ୍ଭାଳିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଡେଭିଡ୍ ମିଲର।

ଦୁଇ ବ୍ୟାଟସମ୍ୟାନ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ଦ୍ରୁତ ବ୍ୟାଟିଂ କରିଥିଲେ। ଉଭୟ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୧୦୬ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ଶେଷ ଓଭରରେ ୧୬ ରନ ଦରକାର ଥିବା ବେଳେ ମିଲର ପ୍ରଥମ ଦୁଇଟି ବଲ୍ ଛକା ଏବଂ ତୃତୀୟ ବଲ୍‌ରେ ବିଜୟ ସୂଚକ ଛକା ମାରିଥିଲେ। ମିଲର ୩୮ ବଲରୁ ୩ ଚୌକା ଏବଂ ୫ ଛକା ଜରିଆରେ ୬୮ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲରୁ ୫ ଚୌକା ସହ ୪୦ ରନରେ ଅପରାଜିତ ଥିଲେ। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଏବଂ ଓବେମ ମାକକୟ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ରାଜସ୍ଥାନ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ନିରାଶଜନକ ଥିଲା। ଜୟସଓ୍ଵାଲ ୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବୋଟଲର ଏବଂ ଅଧିନାୟକ ସଞ୍ଜୁ ସାମସନ ଦ୍ଵିତୀୟ ଓ୍ଵିକେଟ୍‌ରେ ୬୮ ରନ ଯୋଡିଥିଲେ। ସାମସନ ଦ୍ରୁତ ବ୍ୟାଟିଂ କରି ୨୬ ବଲରୁ ୫ ଚୌକା ଏବଂ ୩ ଛକା ଜରିଆରେ ୪୭ ରନ କରିଥିଲେ। ପାଡିକଲ ୨୮ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ଜୋସ୍ ବଟଲର ଇନିଂସ ସମ୍ଭାଳିଥିଲେ। ହେଟମାୟର(୪) ନିରାଶ କରିଥିଲେ। ଅର୍ଦ୍ଧଶତକ ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ବଟଲର। ସେ ୫୬ ବଲରୁ ୧୨ ଚୌକା ଏବଂ ୨ ଛକା ସହ ୮୯ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ତାଙ୍କର ଏହି ଇନିଂସ ଦମରେ ରାଜସ୍ଥାନ ୬ ଓ୍ଵିକେଟ୍ ହରାଇ ୧୮୮ ରନ କରି ପାରିଛି।

ଗୁଜରାଟ ତରଫରୁ ହାର୍ଦ୍ଦିକ ପାଣ୍ଡ୍ୟା, ସାଇ କିଶୋର, ୟଶ ଦୟାଲ ଏବଂ ମହମ୍ମଦ ଶାମି ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।



from Prameya News7 https://ift.tt/BQPTLN5
IPL 2022: ମିଲରଙ୍କ କିଲର ରୂପ, ରାଜସ୍ଥାନକୁ ୭ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ IPL 2022: ମିଲରଙ୍କ କିଲର ରୂପ, ରାଜସ୍ଥାନକୁ ୭ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ Reviewed by SUBHENDU BARAL on May 24, 2022 Rating: 5

No comments:

Powered by Blogger.