୧୮ ଦିନରେ ପହଞ୍ଚିଲା ରଥ ନିର୍ମାଣ କାର୍ଯ୍ୟ, ଆଜି ହୋଇଛି ଏହିସବୁ କାମ…

ପୁରୀ ୨୦/୦୫ : ଆଉ ଗୋଟିଏ ଦିନ ପରେ ଶ୍ରୀକ୍ଷେତ୍ର ଭଉଁରୀ। ବିଧି ଅନୁଯାୟୀ ଏହି ଦିନ ତିନି ରଥ ପାଇଁ ଦୁଇଟି ଲେଖାଏଁ ଚକ ଓ ୩ ଟି ଅଖ ସଂଯୋଗ କରାଯାଇ ଡେରାଯିବ। ଏଥିପାଇଁ ବିଶ୍ଵକର୍ମା ମହାରଣା ମାନେ ୬ଟି ନାହକା ଚକ ଓ ୩ଟି ଅଖ କାମ ସମ୍ପୂର୍ଣ୍ଣ ଶେଷ କରିଛନ୍ତି। ତିନି ରଥର ସମୁଦାୟ ୪୨ ଚକ ମଧ୍ୟରୁ ୧୮ ଚକ ପ୍ରସ୍ତୁତ ହୋଇଛି। ତାଳଧ୍ଵଜ ରଥର ୫ଟି, ଦର୍ପଦଳନ ରଥର ୬ଟି ଓ ନନ୍ଦିଘୋଷ ରଥର ୭ ଟି ଚକ ଶେଷ ହୋଇଛି। ରଥର ନାହାକା ଚକରେ ପଇତା ପିନ୍ଧାଯାଇଛି। ପଇର ମଝି ଅଂଶରେ ଏକ ବିଟ ଭଳି ଚକ୍ରାକାର ବଳୟ ହେଉଛି ପଇତା। ବାରିସିରେ ହାଣି ନିପୁଣ ବିଶ୍ଵକର୍ମାମାନେ ଏହାକୁ ତିଆରିଛନ୍ତି। ସେପଟେ ଆସନ୍ତାକାଲି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ଆସନ୍ତା ରବିବାର ଅର୍ଥାତ୍ ୨୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ। ବିଧି ଅନୁଯାୟୀ ଏହି ଅବସରରେ ତିନି ରଥର ୬ଟି ଚକ ଡେରାଯିବ। ୩ଟି ରଥ ପାଇଁ ତିନୋଟି ନାହକା ଅଖ ଓ ୬ଟି ଚକ ତିଆରି ସାରିଛନ୍ତି ବିଶ୍ଵକର୍ମା। ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରଭୁଙ୍କ ଆଜ୍ଞାମାଳ ଆସିବା ପୂର୍ବରୁ ଏହା ସଂଯୋଗ କରାଯିବ। ତେବେ ରଥଖଳାରେ ବିଶ୍ଵକର୍ମା ମହାରଣା ଏବେ ଯୋକା କାମ କରୁଛନ୍ତି। ଜନ୍ତାଗାଡ଼ରେ ଭୋଇ ସେବକମାନେ ସିଙ୍ଗଡ଼ା ବାଡିଆ କାର୍ଯ୍ୟ କରୁଥିବା ବେଳେ ରଥଚାଳିରେ ଚକ ନିର୍ମାଣ ପାଇଁ ମୁଖ୍ୟ ବିଶ୍ଵକର୍ମା ଅରରେ ପଇ ପିନ୍ଧା, ଯୋକା, ଜଳଯନ୍ତ୍ର, କୁଡୁକା କାମ ଜାରୀ ରଖିଛନ୍ତି। ଅଭିଜ୍ଞ ରୂପକାର ସହ ଛୋଟ ଛୋଟ ପିଲାମାନେ କୋଣଗୁଜରେ ନୃସିଂହ ବରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି। କୁନି ରୂପକାର ମାନେ ରଥ ନିର୍ମାଣ କାର୍ଯ୍ୟର ଶିକ୍ଷା ନେଉଛନ୍ତି।

ନନ୍ଦିଘୋଷ ଓ ତାଳଧ୍ଵଜ ରଥରେ ୧୬ ଟି ଲେଖାଏଁ ଜୋକା ଓ ଦର୍ପଦଳନ ରଥରେ ୧୨ ଟି ଯୋକା ସ୍ଥାପନ ହେବ। ବିଶ୍ଵକର୍ମା ମହାରଣାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି। ପହିର ବିନ୍ଧରେ କିଳା ଦେଇ ଅର ସହିତ ଟାଇଟ୍ କରି ବାଡ଼ିଆ ଯାଉଛି। ଯନ୍ତାପଟାରେ ପଡି ତୁମ୍ବ ସହିତ ଅର ବା ସିଙ୍ଗଡ଼ାବାଡ଼ିଆ ହୋଇ ପହି ପିନ୍ଧା କଲାପରେ ଖୁସିଅର ଲଗାଯାଉଛି। ପରେ କଳସା କରାଯାଇ ପହିକୁ ଖାପରେ ବାନ୍ଧେଣୀ କରି ଚକ ପ୍ରସ୍ତୁତ କରାଯାଉଛି। ସେପଟେ ଆସନ୍ତାକାଲି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଦୀର୍ଘ ଦୁଇବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଓ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ସେନେଇ ବୈଠକରେ ଆଲୋଚନା ହେବ। ଏହା ସହ ସେବାୟତଙ୍କ ଗୁରୁକୁଳ ବିଷୟରେ ମଧ୍ୟ ଆଲୋଚନା ହେବ ବୋଲି ଜିଲ୍ଲାପାଳ କହିଛନ୍ତି।‌ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ତିନି ରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଆଜି ୧୮ ଦିନରେ ପହଞ୍ଚିଛି। ମୋଟ ୧୯୧ ଜଣ ସେବକ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି।



from Prameya News7 https://ift.tt/ax1Adi3
୧୮ ଦିନରେ ପହଞ୍ଚିଲା ରଥ ନିର୍ମାଣ କାର୍ଯ୍ୟ, ଆଜି ହୋଇଛି ଏହିସବୁ କାମ… ୧୮ ଦିନରେ ପହଞ୍ଚିଲା ରଥ ନିର୍ମାଣ କାର୍ଯ୍ୟ, ଆଜି ହୋଇଛି ଏହିସବୁ କାମ… Reviewed by SUBHENDU BARAL on May 20, 2022 Rating: 5

No comments:

Powered by Blogger.