ଏହି ସବୁ ଖେଳାଳିଙ୍କୁ ମିଳିଲାନି ଟି-୨୦ ଦଳରେ ସ୍ଥାନ, ପ୍ରଶଂସକ ନିରାଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ  ବୋର୍ଡ(ବିସିସିଆଇ) ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମା, ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅର୍ଶଦୀପ ସିଂହ ଏବଂ ଉମରାନ ମଲିକଙ୍କ ପରି ଯୁବ ଖେଳାଳିଙ୍କୁ ଆଇପିଏଲ ୨୦୨୨ର ଦମଦାର ପ୍ରଦର୍ଶନର ପୁରସ୍କାର ମିଳିଛି। ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ହେଲେ ଏମିତି କିଛି ଖେଳାଳି ଅଛନ୍ତି ଯାହାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଆଉ ଏହି ଖେଳାଳି ଆଇପିଏଲରେ ପ୍ରଭାବଶାଳୀ ପ୍ରଦର୍ଶନ କରି ନିଜର ଦାବିଦାର ମଜବୁତ କରିଥିଲେ। ଏହି ତାଲିକାରେ ସବୁଠୁ ଉପରେ ରହିଛନ୍ତି ଶିଖର ଧାଓ୍ଵନ ଏବଂ ରାହୁଲ ତ୍ରିପାଠୀ।  ଭାରତୀୟ ଦଳରେ ଏମିତି ଖେଳାଳିଙ୍କୁ ସ୍ଥାନ ନମିଳିବାରୁ ପ୍ରଶଂସକ ନିରାଶ ବ୍ୟକ୍ତ କରିଛନ୍ତି।

ରାହୁଲ ତ୍ରିପାଠୀ ଆଇପିଏଲ ୨୦୨୨ରେ ଚମତ୍କାର  ପ୍ରଦର୍ଶନ କରିଛନ୍ତି। ସେ ଏହି ସିଜିନରେ ୧୪ଟି ମ୍ୟାଚରେ ୩୯.୨୫  ହାରରେ ୪୧୩ ରନ କରିଛନ୍ତି। ଅନ୍ୟପଟେ ଶିଖର ଧାଓ୍ଵନ ୩୮.୩୦ ହାରରେ ୪୩୦ରୁ ଅଧିକ ରନ କରିଛନ୍ତି। ଏହି ସିଜିନରେ ୪୦୩ ରନ କରିଥିବା ଶୁଭମାନ ଗିଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ।

ହେଲେ ରାହୁଲ ତ୍ରିପାଠୀଙ୍କୁ ସୁଯୋଗ ନମିଳିବା ପ୍ରଶଂସକଙ୍କୁ ବହୁତ ନିରାଶ କରିଛି। ଏହି ଖେଳାଳି ଘରୋଇ କ୍ରିକେଟ୍ ସହିତ ଆଇପିଏଲ ମଧ୍ୟ ନିୟମିତ ଭଲ ପ୍ରଦର୍ଶନ କରୁଛନ୍ତି। ପ୍ରଶଂସକଙ୍କ କହିବା କଥା ଏମିତି ଖେଳାଳିଙ୍କୁ ସୁଯୋଗ ନଦେଇ ଭାରତୀୟ ଦଳ ପ୍ରତିଭାଙ୍କୁ ହରାଉଛି। ମୋହସିନ ଖାନ ଏବଂ ୟଶ ଦୟାଲଙ୍କୁ ମଧ୍ୟ ସୁଯୋଗ ମିଳିନି। ହେଲେ ଉଭୟଙ୍କର ଏହା ପ୍ରଥମ ସିଜିନ ହୋଇଥିବାରୁ ଦୁଇ ଖେଳାଳି ଆଉ କିଛି ସମୟ ଅପେକ୍ଷା କରି ପାରିବେ।

ରୋହିତଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦଳର ନେତୃତ୍ଵ ନେବେ। ୧୮ ଜଣିଆ ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଚହଲ ଏବଂ କୁଲଦୀପଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଆଇପିଏଲ ୨୦୨୨ରେ ବିସ୍ଫୋରକ ବ୍ୟାଟିଂ କରିଥିବା ଦିନେଶ କାର୍ତ୍ତିକ ମଧ୍ୟ ଦଳକୁ ଫେରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ

କେଏଲ ରାହୁଲ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଇଶାନ କିଷଣ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ଉମରାନ ମଲିକ।



from Prameya News7 https://ift.tt/Ij6lN7e
ଏହି ସବୁ ଖେଳାଳିଙ୍କୁ ମିଳିଲାନି ଟି-୨୦ ଦଳରେ ସ୍ଥାନ, ପ୍ରଶଂସକ ନିରାଶ ଏହି ସବୁ ଖେଳାଳିଙ୍କୁ ମିଳିଲାନି ଟି-୨୦ ଦଳରେ ସ୍ଥାନ, ପ୍ରଶଂସକ ନିରାଶ Reviewed by SUBHENDU BARAL on May 22, 2022 Rating: 5

No comments:

Powered by Blogger.