ନୂଆ ବର୍ଷରେ ଟିମଇଣ୍ଡିଆର ନୂଆ କ୍ୟାପଟେନ୍ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ;ରୋହିତ ଓହରିଲେ; ରାହୁଲଙ୍କୁ ନେତୃତ୍ବ Kanak News

କନକ ବ୍ୟୁରୋ : ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷିତ ହୋଇଛି । ପୂର୍ବରୁ ଅଧିନାୟକ ନିଯୁକ୍ତ ହୋଇଥିବା ରୋହିତ ଶର୍ମା ଫିଟ୍ନେସ୍ ସମସ୍ୟା ଯୋଗୁଁ ଓହରିଯାଇଥିବାରୁ ଉପଅଧିନାୟକ କେଏଲ୍ ରାହୁଲଙ୍କୁ ନେତୃତ୍ବ ଭାର ଅର୍ପଣ କରାଯାଇଛି ।
ବିସିସିଆଇର ଘରୋଇ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫି ପରେ ଦିନିକିଆ ଦଳ ଘୋଷଣା ହେବ ବୋଲି ମନୋନୟକ ସମିତି ନିଷ୍ପତ୍ତି ନେଇଥିଲା । ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରୁ ଓହରିଯାଇଥିବା ରୋହିତ ଶର୍ମା ବେଙ୍ଗାଲୁରୁସ୍ଥିତ ଏନ୍ସିଏରେ ପୁନଃଥଇଥାନ ଯୋଜନାରେ ସାମିଲ ଥିବାରୁ ତାଙ୍କ ଫିଟ୍ନେସ୍ ଆକଳନ କରିବା ପାଇଁ ଦଳ ଘୋଷଣାରେ ବିଳମ୍ବ ହୋଇଥିଲା । ଶେଷରେ ରୋହିତଙ୍କ ସହ ଆଲୋଚନା ପରେ ଶୁକ୍ରବାର ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ ସମିତି ଦଳ ଘୋଷଣା କରିଛନ୍ତି ।
ରୋହିତଙ୍କ ଅନୁପସ୍ଥିତିରେ ରାହୁଲ୍ ହିଁ ଦଳର ନେତୃତ୍ବ ନେବେ ବୋଲି ବିସିସିଆଇ ଶୁକ୍ରବାର ଜଣାଇ ଦେଇଛି । ସେହିପରି ରାହୁଲଙ୍କ ସ୍ଥାନରେ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରାଙ୍କୁ ଦିନିକିଆ ଦଳର ଉପଅଧିନାୟକ ମନୋନୀତ କରାଯାଇଛି । ଘୋଷିତ ୧୮ ଜଣିଆ ଦଳରେ ବାମହାତୀ ଓପ୍ନର ଶିଖର ଧାୱନ୍ ସାମିଲ ହୋଇଥିଲା ବେଳେ ପୁରୁଖା ଅଫ୍ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ବିଶେଷକରି ଆହତ ଯୋଗୁଁ ଦକ୍ଷିଣ ଆଫ୍ରିକା ଗସ୍ତରୁ ଦୁଇ ସ୍ପିନର ରବୀନ୍ଦ୍ର ଜାଦେଜା ଏବଂ ଅକ୍ଷର ପଟେଲ ବାଦ୍ ପଡ଼ିବା ପରେ ଅଶ୍ବିନଙ୍କ ପାଇଁ ସୁଯୋଗ ରହିଥିଲା । ଟେଷ୍ଟ୍ ଶୃଙ୍ଖଳାରେ ସାମିଲ ଥିବା ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଉପରୁ କାର୍ଯ୍ୟଭାର ଲାଘବ ପାଇଁ ତାଙ୍କୁ ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଥିଲା ବେଳେ ଅଧିକାଂଶ ଯୁବ ତାରକାଙ୍କୁ ସାମିଲ କରାଯାଇଛି ।
୧୮ ଜଣିଆ ଦଳ : କେଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ୍, ଋତୁରାଜ ଗାଏକ୍ବାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ୍ ଆୟର, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ଈଶାନ କିଶନ (ୱିକେଟ୍ରକ୍ଷକ), ୟୁଝ୍ବେନ୍ଦ୍ର ଚହଲ୍, ରବିଚନ୍ଦ୍ରନ୍ ଅଶ୍ବିନ୍, ୱାସିଂଟନ୍ ସୁନ୍ଦର, ଯଶ୍ପ୍ରୀତ୍ ବୁମ୍ରା (ଉପଅଧିନାୟକ), ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କୃଷ୍ଣ, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ ।
The post ନୂଆ ବର୍ଷରେ ଟିମଇଣ୍ଡିଆର ନୂଆ କ୍ୟାପଟେନ୍ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ;ରୋହିତ ଓହରିଲେ; ରାହୁଲଙ୍କୁ ନେତୃତ୍ବ first appeared on Kanak News.
from Kanak News https://ift.tt/3eI7dBw https://ift.tt/3n8lY5x
No comments: