ନନ୍ଦନକାନନରେ ଭୋଜି ପାଇଁ ଅନୁମତି : ନନ୍ଦନକାନନ ୱେବସାଇଟରେ ବୁକ୍ କରିହେବ ବଟନିକାଲ ଗାର୍ଡେନର ପିଣ୍ଡି ଏବଂ କଟେଜ Kanak News

କନକ ବ୍ୟୁରୋ : ଆସୁଛି ନୂଆ ବର୍ଷ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆସର ଜମିବା ଆରମ୍ଭ କରିଛି । ହେଲେ କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି । ଏହାରି ଭିତରେ ଡିସେମ୍ବର ୧ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି ମିଳିଛି । କରୋନା କଟକଣା ମାନି ଭୋଜି ଭାତ ପାଇଁ ନନ୍ଦନକାନନ କର୍ତୃପକ୍ଷ ଅନୁମତି ଦେଇଛନ୍ତି । ଯେଉଁମାନେ ଭୋଜି ଭାତ କରିବାକୁ ଚାହୁଁଥିବେ ସେମାନେ ନନ୍ଦନକାନନର ଅଫିସିଆଲ ୱେବସାଇଟକୁ ଯାଇ ବୁକିଂ କରିପାରିବେ । ନନ୍ଦନକାନନରେ ଥିବା ବଟନିକାଲ ଗାର୍ଡେନର ପିଣ୍ଡି ଏବଂ କଟେଜକୁ ବୁକ କରିବା ପରେ ପର୍ଯ୍ୟଟକ ଯାଇ ଭୋଜି ଭାତ କରିପାରିବେ ।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଡିସେମ୍ବର ୧ ଅର୍ଥାତ୍ ଆସନ୍ତା ବୁଧବାର ଠାରୁ ପର୍ଯ୍ୟଟକମାନେ ବଣଭୋଜି ପିଣ୍ଡି, ଭୋଜି କୁଟୀର ଓ ସ୍ବତନ୍ତ୍ର ଭୋଜି ଗୃହ ପାଇଁ ଅନ୍ଲାଇନ୍ ଟିକେଟ୍ କରି ଆସିପାରିବେ। ତେବେ ବଣଭୋଜି ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା ଭିତରେ ହେବ। ଏଠାରେ ଥିବା ମୋଟ୍ ୬୪ ଖୋଲା ପିଣ୍ଡିରୁ ଛୋଟ ୫ଟି ପିଣ୍ଡିର ଟିକେଟ୍ ମୂଲ୍ୟ ୩୦୦ ଟଙ୍କା, ୫୯ଟି ବଡ଼ ପିଣ୍ଡିର ଟିକେଟ ମୂଲ୍ୟ ୫୫୦ଟଙ୍କା ରହିଛି। ୮ଟି ପିକ୍ନିକ୍ ସେଡ୍ ବା ରୋଷଶାଳାର ମୂଲ୍ୟ ୧୧୦୦ଟଙ୍କା ରହିଛି । ୧୦ଟି ସ୍ବତନ୍ତ୍ର ପିଣ୍ଡିର ମୂଲ୍ୟ ୧୬୦୦ ଟଙ୍କା, ୨ଟି ହଲିଉଡ୍ କଟେଜ୍ର ଟିକେଟ୍ ମୂଲ୍ୟ ୨୬୦୦ ଟଙ୍କା ଲେଖାଏ ଓ ଗୋଟିଏ ଏଫ୍ଆର୍ଏଚ୍ କଟେଜ୍ର ଟିକେଟ ମୂଲ୍ୟ ୨୬୦୦ ଟଙ୍କା ରଖାଯାଇଛି । ସେହିଭଳି ୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପ୍ରବେଶ ଟିକେଟ ଦର ୨୦ ଟଙ୍କା ରହିଛି।
ଜୟଦେବ ବାଟିକାରେ ମଧ୍ୟ ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ। ଏଠାରେ ୩୦ଟି ସ୍ବତନ୍ତ୍ର ଟିଣ, ଚାଳ ଛପର ପିଣ୍ଡି ରହିଛି । ଏହାବ୍ୟତୀତ ଜଙ୍ଗଲ ଭିତରେ ଭୋଜି ପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା ଥିବା ୧୩୦ଟି ସ୍ଥାନ ଚିହ୍ନଟ ହୋଇଛି । ଯେଉଁଠାରେ ବଣଭୋଜି ପାଇଁ ପିଇବା ପାଣି ସୁବିଧା କରାଯାଇଛି । ଯେଉଁଠାରେ ପର୍ଯ୍ୟଟକମାନେ ଜଙ୍ଗଲ ଭିତରେ ଭୋଜି କରିବାର ମଜା ଉଠାଇପାରିବେ । ସ୍ବତନ୍ତ୍ର ପିଣ୍ଡିରେ ଭୋଜି କରିବା ପାଇଁ ପର୍ଯ୍ୟଟକଙ୍କୁ ୧୮୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଜଙ୍ଗଲ ଭିତରେ ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜି ପାଇଁ ୮୦୦ ଟଙ୍କା ଲେଖାଏ ଫି’ ରହିଛି । ଏହାବାଦ୍ ବାଟିକାକୁ ପ୍ରବେଶ ବାବଦରେ ଅଲଗା ଫି’ ଆଦାୟ କରାଯାଏ । ପର୍ଯ୍ୟଟନ ଋତୁ ଚାଲିଥିବାରୁ ଏଠାରେ ବୁଲିବା ସହ ଭୋଜି କରିବାକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଭୋଜି ଲାଗି ଅନୁମତି ମିଳୁ ନ ଥିବାରୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିଲେ ।
The post ନନ୍ଦନକାନନରେ ଭୋଜି ପାଇଁ ଅନୁମତି : ନନ୍ଦନକାନନ ୱେବସାଇଟରେ ବୁକ୍ କରିହେବ ବଟନିକାଲ ଗାର୍ଡେନର ପିଣ୍ଡି ଏବଂ କଟେଜ first appeared on Kanak News.
from Kanak News https://ift.tt/3I2p9Et https://ift.tt/3odqCA9
No comments: