୪୧ ବର୍ଷ ପରେ କୋର୍ଟରେ ବନ୍ଦ ହେଲା ଫୁଲନ ବିରୋଧରେ ରୁଜୁ ଡକାୟତୀ ମୋକଦ୍ଦମା, କେବଳ ମୃତ୍ୟୁ ପ୍ରମାଣ କରିବାକୁ ଲାଗିଲା ୨୦ ବର୍ଷ
କାନପୁର ୪।୮: ଡକାୟତ ଫୁଲ ଦେବୀ ବିରୋଧରେ ୪୧ ବର୍ଷ ପୂର୍ବେ ଭୋଗନୀପୁର ଥାନାରେ ରୁଜୁ ହୋଇଥିବା ଡକାୟତୀ ଓ ହତ୍ୟା ଉଦ୍ୟମ ସମ୍ପର୍କିତ ମାମଲାକୁ ମଙ୍ଗଳବାର ସବୁଦିନ ଲାଗି ବନ୍ଦ କରିଦିଆଯାଇଛି। ସ୍ପେଶାଲ ଜଜ୍ ଡକୈତ କୋର୍ଟଙ୍କ ନିର୍ଦ୍ଦେଶରେ ମୋକଦ୍ଦମାକୁ ବନ୍ଦ କରାଯାଇଛି। ସହାୟକ ସରକାରୀ ଓକିଲ ଆଶିଷ କୁମାର ତିୱାରୀଙ୍କ ଅନୁସାରେ ୨୫ ଜୁଲାଇ ୧୯୮୦ରେ ଏହି ଡକାୟତୀ ଓ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା।
ଶେରପୁର ଗୁଢ଼ାର ଫୁଲନଦେବୀ ଓ ଗୌହାନୀର ବିକ୍ରମ ମଲହା ସମେତ ତାଙ୍କ ଗୋଷ୍ଠୀ ବିରୋଧରେ ଏହି ମୋକଦ୍ଦମା ରୁଜୁ ହୋଇଥିଲା। ମାମଲା କୋର୍ଟରେ ପହଞ୍ଚିବା ପରଠାରୁ ଏପର୍ଯ୍ୟନ୍ତ ଶୁଣାଣି ଜାରି ରହିଥିଲା। ୧୨ ଅଗଷ୍ଟ ୧୯୮୦ରେ ପୋଲିସ ସହ ସଂଘର୍ଷରେ ବିକ୍ରମ ମଲହା ପ୍ରାଣ ହରାଇଥିଲା। ବିକ୍ରମ ପ୍ରାଣ ହରାଇଥିବାର ପୁଷ୍ଟି ହେବା ପରେ ୪ ସେପ୍ଟେମ୍ବର ୧୯୯୮ରେ କୋର୍ଟ ତାକୁ ମୋକଦ୍ଦମାରୁ ବାଦ ଦେଇଥିଲେ। ତେବେ ଫୁଲନ ପୋଲିସରେ ଆତ୍ମ ସମର୍ପଣ କରିବା ପରେ ଲୋକସଭା ନିର୍ବାଚନ ଲଢି ସାଂସଦ ହୋଇଯାଇଥିଲା। ଏହା ସତ୍ତ୍ୱେ ଫୁଲନ ବିରୋଧରେ ମୋକଦ୍ଦମା କୋର୍ଟରେ ଚାଲିଥିଲା।
୨୫ ଜୁଲାଇ ୨୦୦୧ରେ ଶେର ସିଂହ ରାଣା ଫୁଲନକୁ ଦିଲ୍ଲୀରେ ଗୁଳିକରି ହତ୍ୟା କରିଥିଲା। ତେବେ ଫୁଲନକୁ ଆତତାୟୀ ହତ୍ୟା କରିଥିବାର କୋର୍ଟରେ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନଥିଲା। ହତ୍ୟାକାଣ୍ଡର ୨୦ ବର୍ଷ ପରେ ପୋଲିସ କୋର୍ଟରେ ଫୁଲନର ମୃତ୍ୟୁ ପ୍ରମାଣିତ କରିଛି। ଶେରପୁର ଗୁଢ଼ା ଗ୍ରାମପ୍ରଧାନ ଫୁଲନର ମୃତ୍ୟୁ ହୋଇଥିବା ନେଇ ଦେଇଥିବା ପ୍ରମାଣପତ୍ର, ପୋଲିସ ରିପୋର୍ଟ, ଭୋଗନୀପୁର ଥାନା ଓ ଅନ୍ୟ ସାକ୍ଷଙ୍କ ପ୍ରମାଣ ଆଧାରରେ କୋର୍ଟ ମୋକଦ୍ଦମା ସମାପ୍ତ ଘୋଷଣା କରିଥିବା ଏଡିଜିସି କହିଛନ୍ତି।
ସେପଟେ କାନପୁର ଦେହାତ ଥାନା ଅନ୍ତର୍ଗତ ଚର୍ଚ୍ଚିତ ବେହମଇ କାଣ୍ଡର ଶୁଣାଣି ୪ ଅଗଷ୍ଟ ବୁଧବାର ଆଣ୍ଟି ଡକୈତ କୋର୍ଟରେ ହେବ। ୧୪ ଫେବୃଆରୀ ୧୯୮୧ର ଶିତୁଆ ରାତିରେ ଫୁଲନ ଓ ତା ଡକାୟତ ଦଳ ବେହମଇ ଗାଁକୁ ଆସି ୨୦ ଜଣଙ୍କୁ ଧାଡିରେ ଛିଡା କରାଇ ଗୁଳି କରି ହତ୍ୟା କରିଥିଲେ। ଏହି ନରସଂହାର ସେତେବେଳେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଥିରେ ଗାଁର ଉଚ୍ଚ ସମ୍ପ୍ରଦାୟ ଲୋକଙ୍କୁ ଫୁଲନ ହତ୍ୟା କରିଥିଲା। ସେବେଠାରୁ ଏହି ମାମଲାର ଶୁଣାଣି ଜାରି ରହିଛି। କୋର୍ଟରେ ତାରିଖ ପରେ ତାରିଖ ବାହାରୁଛି ହେଲେ ମାମଲାର ଶୁଣାଣି ସରି ପାରୁନି । ଘଟଣାରେ ପ୍ରଭାବିତ ଲୋକଙ୍କ ପରିବାର ଆଜିବି ରାୟକୁ ଅପେକ୍ଷା କରି ରହିଛନ୍ତି।
from Prameya News7 https://ift.tt/3CaieGl

No comments: