ସାଉଥମ୍ପଟନ ୧୯।୦୬: ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇଯିବା ପରେ ଶନିବାର ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍ ମୁକାବିଲା ଆରମ୍ଭ ହୋଇଛି। ହେଲେ ଦ୍ଵିତୀୟ ଦିନରେ ଖରାପ ଆଲୋକ କାରଣରୁ ଖେଳ ବାଧାପ୍ରାପ୍ତ ହୋଇଛି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୧୪୬ ରନ କରିଛି। ଅଧିନାୟକ ବିରାଟ କୋହଲି ୪୪ ଓ ଆଜିଙ୍କ୍ୟ ରାହାଣେ ୨୯ ରନ କରି କ୍ରିଜରେ ଅଛନ୍ତି। ଏହା ପୂର୍ବରୁ ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଓପନିଂ ଯୋଡି ରୋହିତ ଶର୍ମା ଓ ଶୁବମାନ ଗିଲ୍ ଦ୍ରୁତ ବୋଲରଙ୍କୁ ସୁହାଇଥିବା ପିଚ୍ରେ ଧୈର୍ଯ୍ୟ ସହ ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍ରେ ଦୁଇ ବ୍ୟାଟସମ୍ୟାନ ୬୨ ରନ ଯୋଡିଥିଲେ। ହେଲେ କ୍ରିଜ୍ରେ ଜମି ଆସୁଥିବା ରୋହିତ ଶର୍ମାଙ୍କୁ ଆାଉଟ୍ କରି କାଇଲ ଜେମିସନ ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ। ରୋହିତ ୬ ଚୌକା ସହ ୩୪ ରନ କରି ପାଭିଲିୟନ ଫେରିଥିଲେ। ଏହାର ଏକ ରନ ବ୍ୟବଧାନରେ ଶୁବମାନ ଗିଲ୍ ମଧ୍ୟ ପାଭିଲିୟନ ଫେରିଥିଲେ। ଗିଲ୍ ୨୮ ରନ କରି ଓ୍ଵାଗନରଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଭାରତୀୟ ଦଳର ନୂତନ ଓ୍ଵାଲ୍ କୁହାଯାଉଥିବା ଚେତେଶ୍ଵର ପୂଜାରା ମାତ୍ର ୮ ରନକରି ବିଦାୟ ନେଇଥିଲେ।
ଭାରତ ୮୮ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଇନିଂସ ସମ୍ଭାଳିଛନ୍ତି। ଦୁଇ ବ୍ୟାଟସମ୍ୟାନ ଏ ପର୍ଯ୍ୟନ୍ତ ଚତୁର୍ଥ ଓ୍ଵିକେଟ୍ରେ ୫୮ ରନ ଯୋଡି କ୍ରିଜରେ ଜମି ରହିଛନ୍ତି। ହେଲେ ଖରାପ ଆଲୋକ ଯୋଗୁଁ ଦ୍ଵିତୀୟ ଦିନର ଖେଳ ବାଧା ପ୍ରାପ୍ତ ହୋଇଥିଲା। ପରିସ୍ଥିତିରେ ସୁଧାର ନଆସିବାରୁ ଶେଷରେ ଖେଳ ବନ୍ଦ ଘୋଷଣା କରାଯାଇଥିଲା। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ବିନିମୟରେ ୧୪୬ ରନ କରିଛି। ଅଧିନାୟକ ବିରାଟ କୋହଲି ୪୪ ଓ ଆଜିଙ୍କ୍ୟ ରାହାଣେ ୨୯ ରନ କରି କ୍ରିଜରେ ଅପରାଜିତ ଅଛନ୍ତି।
ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, କାଇଲ ଜେମିସନ ଓ ନିଲ୍ ଓ୍ଵାଗନର ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବାତିଲ ହେବା ପରେ ଦ୍ଵିତୀୟ ଦିନରେ ୯୮ ଓଭର ଖେଳାଯିବାର ଥିଲା। ହେଲେ ପ୍ରତିକୂଳ ପାଗ ଏବଂ ଖରାପ ଆଲୋକ ଯୋଗୁଁ ଦ୍ଵିତୀୟ ଦିନର ଖେଳ ନଷ୍ଟ ହୋଇଛି।
from Prameya News7 https://ift.tt/3zATLbY

No comments: