ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ୧୦ ଦିନ ମଧ୍ୟରେ ଆସିପାରେ କରୋନା ଟିକା। ଏନେଇ ସମସ୍ତ ପ୍ରକାର ଯାଞ୍ଚ, ଅନୁଧ୍ୟାନ ଓ ପ୍ରକ୍ରିୟାକରଣ ସରିଛି। ସମସ୍ତ ରାଜ୍ୟରେ ଡ୍ରାଏ ରନ୍ ମଧ୍ୟ ସରିଛି। ତେଣୁ କରୋନା ଟିକାକରଣ ପ୍ରକ୍ରିୟାରେ କୌଣସି ଅସୁବିଧା ହେବନି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡକୁ ବ୍ୟବହାର କରାଯିବ।
ଅନ୍ୟପକ୍ଷରେ ଟୀକାକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରଥମ ପର୍ଯ୍ୟୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଆସନ୍ତା ୮ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଧିଷ୍ଟ କୋଭିଡ୍ ଟିକାଦାନ କେନ୍ଦ୍ର ଚିହ୍ନଟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଏବଂ ରାଜ୍ୟର ୫ଟି ମହାନଗର ନିଗମର କମିଶନରଙ୍କୁ ଚିଠି ଲେଖିଛନ୍ତି।
ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଏବଂ ନିରୀକ୍ଷଣ ଗୃହ ଥିବା ଆବଶ୍ୟକ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କେନ୍ଦ୍ର ସ୍ୱାସ୍ଥ୍ୟାନୁଷ୍ଠାନରେ ହେବା ଆବଶ୍ୟକ। ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟାନୁଷ୍ଠାନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ତା’ଠାରୁ ବଡ଼ ହେବା ଆବଶ୍ୟକ ବୋଲି ଚିଠିରେ ଦର୍ଶାଯାଇଛି।
ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଟିମ୍ ଚିହ୍ନଟ କରାଯିବ। ଟିକାଦାନ ପରେ ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ, ତେବେ ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡ଼ିକାଲ ଅଫିସର ନିଯୁକ୍ତ ରହିବେ ବୋଲି ଚିଠିରେ ଦର୍ଶାଯାଇଛି। ଏହାସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ୍ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ।
କୋଭିଡ୍ ଟିକା ବାହୁରେ ଦିଆଯିବ ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଜରୁରୀ ବ୍ୟବହାର ନେଇ Drug Controller General of India (DCGI) ଭିଜି ସୋମାନୀ ଅନୁମତି ଦେଇଛନ୍ତି।
ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଏକ୍ସପର୍ଟ କମିଟି ସୁପାରିଶ କରିଥିଲା। ତେବେ ଜାନୁଆରୀ ୩ରେ ଏହାକୁ ବିଧିବଦ୍ଧ ଭାବେ ଜରୁରୀ ବ୍ୟବହାର ନେଇ ଅନୁମତି ମିଳିଛି।
ପଢ଼ନ୍ତୁ: ଶରୀରର କେଉଁ ସ୍ଥାନରେ ଦିଆଯିବ କରୋନା ଟିକା ?
The post ଦେଶରେ ୧୦ ଦିନ ମଧ୍ୟରେ ଆସିପାରେ କରୋନା ଟିକା appeared first on OTV Khabar..
from OTV Khabar. https://ift.tt/3omOwGI
No comments: