କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ କଟକ ଗ୍ରାମାଞ୍ଚଳ ପୋଲିସ୍ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବଢ଼ିଛି।
ଗତକାଲି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ କଟକ ଗ୍ରାମାଞ୍ଚଳ ପୋଲିସ୍ ପ୍ରଥମେ ଅଟକ ରଖିଥିଲା ଓ ପରେ ଗିରଫ କରିଥିଲା। ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସ ଜେରା କରିଥିଲା।
ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ, ଜଙ୍କୋଟି ଗାଁର ଅରବିନ୍ଦ ଖଟୁଆ ଏବଂ ନୃତ୍ତଙ୍ଗ ଗାଁର କ୍ଷୀତୀଶ ଆଚାର୍ଯ୍ୟ ଓ ଲଳିତ ମୋହନ ବରାଳ। ଏମାନେ କାହିଁକି ଓ କେଉଁ କାରଣ ପାଇଁ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ହତ୍ୟା କଲେ, ସେ ନେଇ ପୋଲିସ୍ କୌଣସି ସୂଚନା ଦେଇନି।
ଗତ ଦୁଇ ତାରିଖରେ ମାହାଙ୍ଗା ବ୍ଳକ୍ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ FIR ଓ ଅନ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତିଙ୍କ ସହ ବିଜେଡି ନେତାଙ୍କ ଫଟୋକୁ ନେଇ ରାଜନୀତି ଅଧିକ ତେଜିଛି।
ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାକୁ ନେଇ ଏବେଯାଏ ଲାଗି ରହିଛି ରାଜନୀତି। ବିଜେପି ଆନ୍ଦୋଳନକୁ ଜୋରଦାର କରିବା ସହ ଆଜି ଏସ୍ପି ଅଫିସ୍ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି। ସାରା ରାଜ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବି କରିଛି ବିଜେପି।
ଅନ୍ୟପକ୍ଷରେ, ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଂଗ୍ରେସ ମଧ୍ୟ ଟାର୍ଗେଟ କରିଛି। ଗତକାଲି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ଛାତ୍ର ଓ ଯୁବ କଂଗ୍ରେସ ନେତାମାନେ ଭୁବନେଶ୍ୱର ଶିଶୁ ଭବନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ମନ୍ତ୍ରୀଙ୍କ ଘର ଘେରାଉ କରିଥିଲେ। ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ।
The post ମାହାଙ୍ଗାରେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣା; ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ appeared first on OTV Khabar..
from OTV Khabar. https://ift.tt/3ok1Wn3
No comments: