କେବେ ଖୋଲିବ ସ୍କୁଲ ? କିଭଳି ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ? ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ Kanak News

କନକ ବ୍ୟୁରୋ : ମେ’ ମାସରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଓଡ଼ିଶାର ଦୁଇ ବୋର୍ଡ ଯଥା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ସି) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଉପରେ ଛାତ୍ରଛାତ୍ରୀଙ୍କ ନଜର। ଏ ପର୍ଯ୍ୟନ୍ତ କ୍ଲାସରୁମ୍‌ ପାଠପଢ଼ା ହୋଇ ନ ଥିବାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କିଭଳି ହେବ, ତାହାକୁ ନେଇ ସମସ୍ତେ ଚିନ୍ତାରେ। ଏପ୍ରିଲ କିମ୍ବା ମେ’ ମାସରେ ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନଭେମ୍ବର ମାସରେ ସୂଚନା ଦେଇଥିଲେ।

ଛାତ୍ରଛାତ୍ରୀଙ୍କ ୩ ମାସ କ୍ଲାସରୁମ୍‌ ପାଠପଢ଼ା ହେବା ପରେ ଯାଇ ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି। ତେବେ ଏପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏମିତିକି ଜାନୁଆରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ କିଛି ସୂଚନା ଦିଆଯାଇ ନାହିଁ। କେବଳ ଜାନୁଆରି ୩୧ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ ରହିବ ବୋଲି କୁହାଯାଇଛି । ଏଭଳି ସମୟରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। କେବେ ସ୍କୁଲ ଖୋଲିବ, କେମିତି ପାଠପଢ଼ା ହେବ, କେବେ ପରୀକ୍ଷା କରାଯିବ, ଏହାକୁ ନେଇ ଚିନ୍ତା‌ରେ। ପ୍ରାୟ ସାଢ଼େ ୫ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେବାକୁ ଥିବା ବେଳେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଭାଗ ନେବେ।

ମୋଟ ଉପରେ ପାଖାପାଖି ୯ ଲକ୍ଷ ଛାତ୍ରଛାତ୍ରୀ ଏଥର ଉକ୍ତ ଶ୍ରେଣୀର ବୋର୍ଡ ପରୀକ୍ଷା ଦେବେ। କ୍ଲାସରୁମ୍‌ ପାଠପଢ଼ା ହୋଇପାରୁ ନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ଦିଆଯାଉଛି। ଟିଭି, ରେଡିଓ, ମୋବାଇଲ୍‌ ଆପ୍‌, ହ୍ପାଟସ୍‌ଆପ୍‌ ମାଧ୍ୟମରେ ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚୁଛି। ତା’ ପରେ ବି ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ଲାଗି ଏବେ କେବଳ କ୍ଲାସରୁମ୍‌ ଶିକ୍ଷା ହିଁ ଏକମାତ୍ର ଭରସା। କେବେ ଶିକ୍ଷାନୁଷ୍ଠାନ ‌ଖୋଲିବ ଓ କେମିତି ପାଠପଢ଼ା ହେବ, ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି। ଏପର୍ଯ୍ୟନ୍ତ ଫର୍ମ ପୂରଣ ବି ହୋଇପାରି ନାହିଁ। କରୋନା ସମୟରେ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ପରୀକ୍ଷା ଫି’ ଛା‌ଡ଼ କରିବାକୁ ଦାବି ଉଠିଲାଣି।

ସିବିଏସ୍‌ଇ ପରିଚାଳିତ ସ୍କୁଲର ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ବି ଚିନ୍ତାରେ। କାରଣ ଏପର୍ଯ୍ୟନ୍ତ କ୍ଳାସରୁମ୍‌ ପାଠପଢ଼ା ହୋଇପାରି ନାହିଁ। ଯାହା କିଛି ପାଠପଢ଼ା କେବଳ ଅନ୍‌ଲାଇନ୍‌ରେ। ଶତପ୍ରତିଶତ ସଫଳତା ମିଳିନି। ମେ’ ୪ରେ ପରୀକ୍ଷା ହେବା ନେଇ ତାରିଖ ଘୋଷଣା ହୋଇଥିବାରୁ ଯେତେଶୀଘ୍ର ସମ୍ଭବ ସ୍କୁଲ ଖୋଲିବା ଲାଗି ଛାତ୍ରଛାତ୍ରୀ ମତପ୍ରକାଶ କରିଛନ୍ତି। କୋଭିଡ୍‌-୧୯ କଟକଣା ମଧ୍ୟରେ ସ୍କୁଲ ଖୋଲିବା ଲାଗି କର୍ତୃପକ୍ଷମାନେ ବି କହିଛନ୍ତି। କାରଣ ହାତରେ ଆଉ ମାତ୍ର ୪ ମାସ ସମୟ ରହୁଛି। ମାର୍ଚ୍ଚ ମାସ ୧ ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ତେଣୁ ଯଦି ଜାନୁଆରିରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦିଅନ୍ତି ତେବେ ଯାଇ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଓ ଥିଓରି ଶିକ୍ଷା ଦିଆଯିବା ସମ୍ଭବପର ହେବ ବୋଲି ସ୍କୁଲ କର୍ତୃପକ୍ଷ ମତାମତ ଦେଇଛନ୍ତି।

ଜାନୁଆରିରେ ସ୍କୁଲ ଖୋଲିବା ଲାଗି କେତେକ ରାଜ୍ୟ ପଦକ୍ଷେପ ନେଇ ସାରିଛନ୍ତି। ଜାନୁଆରି ୪ରୁ ବିହାର ସମେତ କେତେକ କେନ୍ଦ୍ରଶାସିତ ଅଞ୍ଚଳରେ ସ୍କୁଲ ଖୋଲିବ। କର୍ଣ୍ଣାଟକରେ ଜାନୁଆରି ପହିଲାରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଥିବା ବେଳେ ଜାନୁଆରି ପହିଲାରୁ ସମସ୍ତ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଆସାମ ସରକାର ଘୋଷଣା କରିଛନ୍ତି। ଜୁନ୍‌ରେ ପରୀକ୍ଷା କରିବାକୁ ପଶ୍ଚିମବଙ୍ଗ ସରକାର ଘୋଷଣା କରି ସାରିଛନ୍ତି। ତେଣୁ ଏବେ ସମସ୍ତଙ୍କ ନଜର ଓଡ଼ିଶା ସରକାରଙ୍କ ଉପରେ। କେବେ ଓ କେଉଁଭଳି ନିୟମରେ ସ୍କୁଲ ଖୋଲିବାକୁ ଅନୁମତି ଦେଉଛନ୍ତି, ତାହାକୁ ଚାହିଁ ରହିଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ।



from Kanak News https://ift.tt/3rLBB3h https://ift.tt/33DvUKo
କେବେ ଖୋଲିବ ସ୍କୁଲ ? କିଭଳି ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ? ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ Kanak News କେବେ ଖୋଲିବ ସ୍କୁଲ ? କିଭଳି ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ? ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ Kanak News Reviewed by SUBHENDU BARAL on January 01, 2021 Rating: 5

No comments:

Powered by Blogger.