
କନକ ବ୍ୟୁରୋ : କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇଥିବାରୁ ୮ ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ଭୁବନେଶ୍ବରରେ ଥିବା ସ୍କୁଲ କର୍ତୃପକ୍ଷମାନେ ତତ୍ପରତା ପ୍ରକାଶ କରିଛନ୍ତି । କ୍ଲାସରୁମ୍, ଲାବ୍ରୋଟାରି, ଶୌଚାଳୟକୁ ବିଶୋଧନ କରିବା ସହ ପାନୀୟ ଜଳ ବ୍ୟବସ୍ଥା କରୁଛନ୍ତି । କର୍ମଚାରୀମାନେ କ୍ୟାମ୍ପସକୁ ଆସିବା ସମୟରେ ସେମାନଙ୍କ ଥର୍ମାଲ୍ ସ୍କ୍ରିନିଂ ଚାଲିଛି। ହ୍ୟାଣ୍ଡ୍ ସାନିଟାଇଜ୍ ଉପରେ ବି ଗୁରୁତ୍ବ ଦିଆଯାଉଛି। ଘରୋଇ ସ୍କୁଲଗୁଡ଼ିକ ଏ ଦିଗରେ ଆଗୁଆ ପଦକ୍ଷେପ ନେଇଛନ୍ତି । ଅନୁମତି ମିଳିବା ପରେ ସ୍କୁଲ କ୍ୟାମ୍ପସ ବିଶୋଧନ ଚାଲିଥିଲା। ପ୍ରବେଶରୁ ପ୍ରସ୍ଥାନ ପଥ ପର୍ଯ୍ୟନ୍ତ ସବୁଠି ବିଶୋଧନ ହେଉଛି ।
କେବଳ ଯେ କ୍ଲାସରୁମ୍ ପ୍ରସ୍ତୁତ କରାଯାଉଛି, ତାହା ନୁହେଁ । ହଷ୍ଟେଲ ଖୋଲିବା ଦିଗରେ ବି ପଦକ୍ଷେପ ନିଆଯାଇଛି । ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୮ ତାରିଖରୁ ହଷ୍ଟେଲ ଖୋଲିବ । ତାହାକୁ ଦୃଷ୍ଟିରେ ରଖି ହଷ୍ଟେଲରେ ରହିବାକୁ ହେଲେ ଛାତ୍ରଛାତ୍ରୀଙ୍କଠାରୁ ପିତାମାତା/ଅଭିଭାବକଙ୍କ ଲିଖିତ ସମ୍ମତି ଆଣିବାକୁ କୁହାଯାଇଛି । ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ଶାରୀରିକ ଦୂରତା ନିୟମ, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପରିଷ୍କାର ଓ ପୁଷ୍ଟିକର ଖାଦ୍ୟ ଆଦି ଉପରେ ସଚେତନ କରାଯାଉଛି । ହଷ୍ଟେଲରେ ରହିବା ପୂର୍ବରୁ ଛାତ୍ରଛାତ୍ରୀ, କର୍ମଚାରୀଙ୍କ ସ୍କ୍ରିନିଂ କରାଯିବ । ପ୍ରତିଦିନ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରିବାକୁ ସ୍ଥିର ହୋଇଛି । ଯେଉଁଠି ହଷ୍ଟେଲରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ, ସେଠାରେ ବିକଳ୍ପ ବ୍ୟବସ୍ଥା କରାଯିବ ।
ଅନ୍ତେବାସୀଙ୍କୁ ଅଲଗା କରିବା ପାଇଁ କେତେକ ବିଦ୍ୟାଳୟ ଅସ୍ଥାୟୀ ବ୍ୟବସ୍ଥା ବି କରୁଛନ୍ତି । ଶଯ୍ୟା ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ନିଶ୍ଚିତ କରିବାକୁ ପ୍ରାଥମିକତା ଦିଆଯାଉଛି। ଅନ୍ତେବାସୀ ପରସ୍ପର ମଧ୍ୟରେ ମାସ୍କ, ଶୌଚାଳୟ, ପାଠ୍ୟପୁସ୍ତକ, ନୋଟବୁକ୍, କଲମ, ପେନ୍ସିଲ୍, ଇରେଜର, ଟିଫିନ୍ ବାକ୍ସ, ପାଣି ବୋତଲ ଆଦି ଯେପରି ଆଦାନପ୍ରଦାନ ନ କରନ୍ତି, ତାହା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ସ୍କୁଲ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ହଷ୍ଟେଲର ରିସେପ୍ସନ୍ ଓ ପ୍ରବେଶ ପଥ ପରି ପ୍ରମୁଖ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ରଖାଯାଇଛି। ହଷ୍ଟେଲ, ମେସ୍ ଓ ଶୌଚାଳୟ ସଫେଇ ଆରମ୍ଭ ହୋଇଛି। ବର୍ଜ୍ୟବସ୍ତୁ ସଂଗ୍ରହ ଓ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉଛି ।
ଅନ୍ୟପକ୍ଷରେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ ସରକାର ନିଷ୍ପତ୍ତି ଅନୁଯାୟୀ ୮ ତାରିଖରୁ ଭୁବନେଶ୍ବରରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବ। ତେବେ ଏହା ପୂର୍ବରୁ କ୍ୟାମ୍ପସକୁ ଭଲ ଭାବେ ବିଶୋଧନ କରିବା, ସାମାଜିକ ଦୂରତା ପାଳନ କରିବାକୁ କୁହାଯାଇଛି। ସମସ୍ତ ବିଦ୍ୟାଳୟ କ୍ୟାମ୍ପସକୁ ବିଶୋଧନ କରିବା ବିଏମ୍ସି ପକ୍ଷେ ସମ୍ଭବପର ନୁହେଁ। ତେଣୁ ବିଦ୍ୟାଳୟ କର୍ତୃପକ୍ଷ ନିଜ ଆଡ଼ୁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ବିଏମ୍ସି ପକ୍ଷରୁ ନିୟମିତ ବ୍ୟବଧାନରେ କ୍ୟାମ୍ପସରେ ଯାଞ୍ଚ କରାଯିବ।
from Kanak News https://ift.tt/3ol5iGb https://ift.tt/2LtCZHm
No comments: