ଭୁବନେଶ୍ୱର ୦୪।୦୧: ଆଜି ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର । ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥପାଠ କରାଇବେ । ସକାଳ ସାଢେ ୯ ଟାରେ ଶପଥ ଗ୍ରହଣ ଉତ୍ସବ ରହିଛି । ରବିବାର ଭୁବେନଶ୍ବରରରେ ପହଞ୍ଚିଛନ୍ତି ନବ ନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର । ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।
ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର ୧୯୮୪ରେ ଚେନ୍ନାଇଠାରେ ଆଇନ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୮୭ରେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇ ସୁପ୍ରିମକୋର୍ଟ ଓ ଦିଲ୍ଳୀ ହାଇକୋର୍ଟରେ ଓକିଲାତି କରିଥିଲେ। ସୁପ୍ରିମକୋର୍ଟ ଆଇନ ସେବା କମିଟି ଓକିଲ ଭାବେ ଡକ୍ଟର ମୁରଲୀଧର ଖୁବ୍ ସକ୍ରିୟ ଥିଲେ । ଏହି କମିଟିକୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ଭୋପାଳ ଗ୍ୟାସ ଦୁର୍ଘଟଣା ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ପାଇଁ ଓକିଲାତି କରି ଖୁବ୍ ଚର୍ଚ୍ଚାରେ ରହିଥିଲେ ଡକ୍ଟର ମୁରଲୀଧର। ୨୦୦୨ରୁ ୨୦୦୬ ମଧ୍ୟରେ ଲ’ କମିସନ ପାର୍ଟଟାଇମ ସଦସ୍ୟ ଭାବେ କାର୍ଯ୍ୟ କରିବା ସହ ଜାତୀୟ ମାନବାଧିକାର ଆୟୋଗ ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ ଓକିଲ ଭାବେ ବିଭିନ୍ନ ଅଦାଲତରେ ମାମଲା ପରିଚାଳନା କରିଛନ୍ତି। ୨୯ ମଇ ୨୦୦୬ରେ ଦିଲ୍ଳୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ଡକ୍ଟର ମୁରଲୀଧର। ପରେ ୬ ମାର୍ଚ୍ଚ ୨୦୨୦ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲେ।
from Prameya News7 https://ift.tt/2KR4BGq

No comments: