ଚେନ୍ନାଇ: ୧୦ ଟଙ୍କାରେ ବିରିୟାନୀ ପ୍ଲେଟ୍ ବିକି ଗିରଫ ହେଲେ ଦୋକାନୀ। ତାମିଲନାଡୁରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।
ଆରୁପୁକୋଟାଇରେ ଜାହିର ହୁସେନ ନାମକ ଏହି ଯୁବକ ନୂଆ ବିରିୟାନୀ ଦୋକାନ ଖୋଲିଥିଲେ। ସେ ଆଡଭର୍ଟାଇଜମେଣ୍ଟ ଦେଇଥିଲେ ଯେ, ପ୍ରଥମ ଦିନରେ ସେ ବିରିୟାନୀ ପ୍ଲେଟ୍ ୧୦ ଟଙ୍କାରେ ବିକିବେ। ଏହି ୨୯ ବର୍ଷୀୟ ଯୁବକ ଗତ ରବିବାର ଦିନ ନୂଆ ଦୋକାନ ଖୋଲିଲେ। କେବଳ ରବିବାର ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ୧୦ ଟଙ୍କାରେ ବିରିୟାନୀ ମିଳିବ ସେ ଘୋଷଣା କରିଥିଲେ। ସେଦିନ ଦିନ ୧୧ଟା ବେଳକୁ ଲୋକଙ୍କର ଗହଳି ଦୋକାନ ଆଗରେ ବଢିଯାଇଥିଲା। ଲୋକମାନେ ସାମାଜିକ ଦୂରତା ମାନି ନ ଥିବା ସହ ଅଧିକାଂଶ ଲୋକ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା। ଏପରିକି ଲୋକଙ୍କ ଗହଳି ଯୋଗୁ ରାସ୍ତାରେ ଯାନବାହନ ଚଳାଚଳରେ ବି ସମସ୍ୟା ସୃଷ୍ଟି ହୋଇଥିଲା। ପୂରା ଟ୍ରାଫିକ ଜାମ୍ ହୋଇଯାଇଥିଲା।
ପ୍ରଥମ ଦିନରେ ବିକ୍ରି କରିବା ପାଇଁ ଦୋକାନୀ ୨୫ ଶହ ପ୍ଲେଟ ବିରିୟାନୀ ତିଆରି କରିଥିଲେ। ତେବେ ୫ ଶହ ପ୍ଲେଟ ବିକ୍ରି ହୋଇଥିବା ବେଳେ ପୋଲିସ ସେଠାରେ ପହଞ୍ଚି ଲୋକମାନଙ୍କୁ ଘଉଡାଇଥିଲା। ତଥାପି ଲୋକ ମାନି ନ ଥିଲେ। ପୋଲିସ୍ ବିରିୟାନୀ ଦୋକାନ ଆଗରେ ବସି ରହିଥିଲା। ପରେ ପୋଲିସ କିଛି ଉପାୟ ନପାଇ ଦୋକାନୀଙ୍କୁ ଗିରଫ କରି ଥାନାକୁ ନେଇଥିଲା।
ଥାନାର ଜଣେ ପୋଲିସ ଅଧିକାରୀ ବାକି ଦୁଇ ହଜାର ବିରିୟାନୀ ପ୍ଲେଟ୍ ଗରିବ ଓ ଭିନ୍ନକ୍ଷମଙ୍କୁ ବାଣ୍ଟି ଦେଇଥିଲେ। ଦୋକାନୀଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ପୋଲିସ ସନ୍ଧ୍ୟାରେ ଜାହିରଙ୍କୁ ଥାନାରୁ ଜାମିନରେ ଛାଡିଥିଲା ଏହାସହ ଏଭଳି ବିଜ୍ଞାପନ ନ ଦେବାକୁ ପୋଲିସ ତାଙ୍କୁ ତାଗିଦ୍ ମଧ୍ୟ କରିଛି।
The post ୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍ appeared first on OTV Khabar..
from OTV Khabar. https://ift.tt/34mwgpp
Reviewed by SUBHENDU BARAL
on
October 22, 2020
Rating:
No comments: