ଆଜିଠୁ ୩ ଦିନ ଯାଏଁ ବର୍ଷାର ସମ୍ଭାବନା ନାହିଁ । ରାଜ୍ୟରେ କେତେକ ସ୍ଥାନରେ ହୋଇପାରେ କାଁ ଭାଁ ବର୍ଷା । ୧୦ରୁ ପ୍ରବଳ ବର୍ଷିବ Kanak News

କନକ ବ୍ୟୁରୋ: ଅକ୍ଟୋବର ପହିଲାରୁ ଲଘୁଚାପ ଯୋଗୁଁ ଲାଗି ରହିଥିବା ବର୍ଷାରେ ଏବେ ବିରାମ ଲାଗିଛି। ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। କାଁ ଭାଁ କେତେକ ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ୧୦ ତାରିଖରୁ ପୁଣି ଥରେ ରାଜ୍ୟବ୍ୟାପୀ ବର୍ଷା ଆରମ୍ଭ ହୋଇଯିବ। ଥାଇଲାଣ୍ଡ ଉପକୂଳ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା ଆରମ୍ଭ ହେବ। ଅନ୍ୟପଟେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଲଘୁଚାପର ପ୍ରଭାବ ଆଉ ରାଜ୍ୟରେ ଅନୁଭୂତ ହେବ ନାହିଁ। ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ କମିବ। ୭ ତାରିଖ ଦିନ କିଛି କିଛି ସ୍ଥାନରେ ବର୍ଷା ହେବ। ତେବେ ଏହି ସମୟରେ ଦ୍ବୈତନଗରୀର ଆକାଶ ମେଘାଚ୍ଛନ୍ନ ରହିବ। କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ବି ହୋଇପାରେ। କିନ୍ତୁ ୮ ଓ ୯ ତାରିଖ ରାଜ୍ୟରେ ବିଶେଷ ବର୍ଷା ନାହିଁ।
୧୦ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି ଉପକୂଳ ଓଡ଼ିଶାରେ ବେଶି ବର୍ଷା ହେବାର ସମ୍ଭାବନା ରହିଛି।
ଏହାପରେ ଧୀରେ ଧୀରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୯ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଏହାର ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପ୍ରଭାବରେ ରାଜ୍ୟରେ ୧୧ରୁ ୧୩ ତାରିଖ ପର୍ୟ୍ୟନ୍ତ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ବର୍ତ୍ତମାନ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ବି ଯାଇଛନ୍ତି, ଆସନ୍ତା ୧୦ ତାରିଖ ସୁଦ୍ଧା ଫେରିଆସିବାକୁ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।
from Kanak News https://ift.tt/2GFPpJN https://ift.tt/33LO8dn
No comments: