ନଭେମ୍ବରରେ ‌ଖୋଲିପାରେ ସ୍କୁଲ୍‌ : ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ୍‌ ହେବା ସମ୍ଭାବନା; ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି Kanak News

କନକ ବ୍ୟୁରୋ : ଓଡ଼ିଶାରେ ନଭେମ୍ବରରୁ ଖୋଲିପାରେ ସ୍କୁଲ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲେ ମଧ୍ୟ ସରକାରୀସ୍ତରରେ ପ୍ରାରମ୍ଭିକ ଆଲୋଚନା ଚାଲିଛି। ଅକ୍ଟୋବର ୧୫ରୁ ସ୍କୁଲ ଖୋଲିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି ହେବା ପରେ ଏଭଳି ଏକ ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଅକ୍ଟୋବର ଶେଷ ସପ୍ତାହ ତଥା ଦଶହରା ପରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ କରୋନା ସ୍ଥିତି ଉପରେ ନଜର ରଖାଯାଇଛି। ସଂକ୍ରମଣ କିଭଳି ହ୍ରାସ ପାଇବ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଦଶହରା ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରୁ ଘୋଷଣା କରି ସାରିଛନ୍ତି। ତେଣୁ ଏବେ ଖୋଲିବାର ପ୍ରଶ୍ନ ଉଠୁ ନାହିଁ। ଅକ୍ଟୋବର ଶେଷ ସପ୍ତାହରେ କରୋନା ସ୍ଥିତିର ସମୀକ୍ଷା କରାଯାଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ସ୍କୁଲ ଖୋଲିବାର ଆବଶ୍ୟକତା ଅଛି ଏଥିରେ ସନ୍ଦେହ ନାହିଁ। ତେବେ ଆମ ପାଇଁ ପିଲାଙ୍କ ସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଗକୁ ଆହୁରି କମିବ ବୋଲି ଆଶା ଅଛି। ତାହାକୁ ଦୃଷ୍ଟିରେ ରଖି ନଭେମ୍ବରରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ କରାଯିବ। ଅଭିଭାବକଙ୍କ ସହମତି ସମେତ ଅନ୍ୟାନ୍ୟ ନିର୍ଦେଶାବଳୀ ପାଳନ କରାଯାଇ ସ୍କୁଲ ଖୋଲାଯାଇପାରେ। ସମୟ ଯେତେ‌ ବିଳମ୍ବ ହେବ ପିଲାଙ୍କ ପାଠପଢ଼ା ସେତିକି ପ୍ରଭାବିତ ହେବ। ଏମିତିରେ ସିଲାବସ୍‌କୁ ୩୦% ହ୍ରାସ କରାଯାଇଛି। ‌୭ ମାସ ହେଲା ସ୍କୁଲରେ ପାଠପଢ଼ା ବନ୍ଦ ରହିଛି। ଅନ୍‌ଲାଇନ୍‌ ମାଧ୍ୟମରେ ସରକାରୀ ସ୍କୁଲର ପାଖାପାଖି ୪୦% ପ୍ରତିଶତ ଛାତ୍ରଛାତ୍ରୀ ପଢ଼ୁଥିବା ରାଜ୍ୟ ସରକାର ଦର୍ଶାଉଛନ୍ତି। ‘ଦୀକ୍ଷା’ ଆପ୍‌ ସମେତ ହ୍ବାଟ୍‌ସଆପ୍‌ ଗ୍ରୁପ୍‌, ଟିଭି, ରେଡିଓ ଆଦି ମାଧ୍ୟମରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ଲାଗି ସମସ୍ତ ପ୍ରକାର ପ୍ରୟାସ କରାଯାଇଛି। ତାହା ପର୍ଯ୍ୟାପ୍ତ ହେଉନି। ସେପେଟ ବେସରକାରୀ ଓ ଘରୋଇ ବିଦ୍ୟାଳୟର ୭୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ଅନ୍‌ଲାଇନ୍‌ ଶିକ୍ଷା ପହଞ୍ଚି ପାରୁଥିବା ଏକ ‌ରିପୋର୍ଟରୁ ଜଣାପଡ଼ିଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶାବଳୀ ଅନୁଯାୟୀ ସ୍କୁଲ୍ ଖୋଲିବା ପୂର୍ବରୁ କର୍ତ୍ତୃପକ୍ଷ ଆସବାବପତ୍ର, ଉପକରଣ, ଷ୍ଟେସନାରି, ଷ୍ଟୋର ରୁମ୍‌, ପାଣି ଟାଙ୍କି, ରୋଷେଇ ଘର, କ୍ୟାଣ୍ଟିନ୍, ୱାସ୍‌ରୁମ୍, ପରୀକ୍ଷାଗାର, ଲାଇବ୍ରେରି ଆଦିକୁ ବିଶୋଧନ କରିବେ। କୋଠରୀ ମଧ୍ୟକୁ ବାୟୁ ଚଳାଚଳ କରୁଥିବା ନେଇ ସୁନିଶ୍ଚିତ କରାଇବେ। ଜରୁରୀକାଳୀନ ସେବା, ସାଧାରଣ ସହାୟତା ଟିମ୍, ପରିମଳ ତଦାରଖ ଟିମ୍ ଗଠନ କରିବା ସହ ସ୍ଥାନୀୟ ସରକାରଙ୍କ ଦ୍ବାରା ଜାରି ଏସ୍‌ଓପି ଅନୁସାରେ ସ୍କୁଲ୍‌ଗୁଡ଼ିକ ନିଜସ୍ବ ନିର୍ଦେଶାବଳୀ ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଶ୍ରେଣୀଗୃହ ଭିତରେ ସିଟ୍‌, ପ୍ରବେଶ ଓ ପ୍ରସ୍ଥାନ ସମୟରେ ଶାରୀରିକ ଦୂରତ୍ବ ରକ୍ଷା, ଶ୍ରେଣୀରେ ପାଠପଢ଼ା ସମୟରେ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ତାଲିମପ୍ରାପ୍ତ ପୂର୍ଣ୍ଣକାଳୀନ ସ୍ବାସ୍ଥ୍ୟ ସେବକ/ନର୍ସ/ଡାକ୍ତରଙ୍କ ଉପଲବ୍ଧି ବାବଦରେ ସୁନିଶ୍ଚିତ କରିବାକୁ କୁହାଯାଇଛି। ଅସୁସ୍ଥତା ସମୟରେ ଘରେ ରହିବାକୁ ଉଭୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଲାଗି ଉପସ୍ଥାନ କୋହଳ, ଅସୁସ୍ଥତା ଜନିତ ଛୁଟି ନିୟମ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଦେଶର କେତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅକ୍ଟୋବର ୧୫ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି ତାହା ଉପ‌ରେ ଓଡ଼ିଶା ସରକାର ନଜର ରଖିଛନ୍ତି।



from Kanak News https://ift.tt/2GFV2Yr https://ift.tt/36LWx1U
ନଭେମ୍ବରରେ ‌ଖୋଲିପାରେ ସ୍କୁଲ୍‌ : ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ୍‌ ହେବା ସମ୍ଭାବନା; ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି Kanak News ନଭେମ୍ବରରେ ‌ଖୋଲିପାରେ ସ୍କୁଲ୍‌ : ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ୍‌ ହେବା ସମ୍ଭାବନା; ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି Kanak News Reviewed by SUBHENDU BARAL on October 06, 2020 Rating: 5

No comments:

Powered by Blogger.