ମାସ ବଢ଼ିଲେ ମୃତକ ବଢ଼ୁଛନ୍ତି : ୬ ମାସରେ ୧୦୫ଜଣଙ୍କ ଗଲାଣି ଜୀବନ; ସେପ୍ଟେମ୍ବରରେ ସବୁଠୁ ଅଧିକ ୫୧ ମୃତ Kanak News

କନକ ବ୍ୟୁରୋ : ରାଜ୍ୟର ପ୍ରଥମ କରୋନା ହଟ୍‌ସ୍ପଟ୍‌ ସହର ଥିଲା ଭୁବନେଶ୍ବର। ସବୁଠୁ ଅଧିକ ଆକ୍ରାନ୍ତ ଏଠାରୁ ଚିହ୍ନଟ ହେଉଥିଲେ। ଯେଉଁ କେତେଜଣ କରୋନାରେ ପ୍ରାଣ ହରାଉଥିଲେ, ସେମାନେ ଭୁବନେଶ୍ୱରର ବାସିନ୍ଦା ଥିଲେ। କରୋନାରେ ଆକ୍ରାନ୍ତ ହୋଇ ମରନ୍ତୁ କି କରୋନା ସହିତ ଆଉ କୌଣସି ରୋଗରେ ମରନ୍ତୁ, ସମସ୍ତେ ଭୁବନେଶ୍ବରର ଥିଲେ। ତେଣୁ ଜୁନ୍‌ ମାସ ପର୍ଯ୍ୟନ୍ତ ଭୁବନେଶ୍ବର ନାଁ ଶୁଣିଲେ ଲୋକ ଡରୁଥିଲେ। ଜୁନ୍‌ ୩୦ ସୁଦ୍ଧା ଭୁବନେଶ୍ବରରେ ୪ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା। ୬ ମାସରେ ୧୦୫ ଜଣଙ୍କ ମୃତ୍ୟୁ ହେଲାଣି। କିନ୍ତୁ ଜୁନ୍‌ ମାସର ଭୟ ଆଉ ଲୋକଙ୍କ ମନରେ ନାହିଁ। ମାସ ଯେତିକି ଗଡ଼ୁଛି, କରୋନା ଜନିତ ମୃତକଙ୍କ ସଂଖ୍ୟା ସେହି ଅନୁସାରେ ବଢ଼ୁଛି। ଏବେ ଯେଉଁ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି, ସେଥିରୁ ୫୧ ଜଣଙ୍କ ମୃତ୍ୟୁ କେବଳ ସେପ୍ଟେମ୍ବର ମାସରେ ହୋଇଛି। ଆଶ୍ଚର୍ଯ୍ୟର ବିଷୟ, ଅକ୍ଟୋବରର ପ୍ରଥମ ୬ ଦିନରେ ଯଦିଓ ସେପ୍ଟେମ୍ବରର ପ୍ରଥମ ୬ଦିନ ଭଳି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି, କିନ୍ତୁ ୧୨ଜଣଙ୍କ ଜୀବନ ଗଲାଣି ।

ସରକାରୀ ରେକର୍ଡ ଅନୁଯାୟୀ, ସେପ୍ଟେମ୍ବରର ପ୍ରଥମ ୫ଦିନରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାର ଦୁଇଗୁଣାରୁ ଅଧିକ ଅକ୍ଟୋବରରେ ମଲେଣି। ଚକିତ କଲା ଭଳି କଥା ହେଲା, ଜୁଲାଇ ମାସରେ ୧୧ଜଣ ମରିଥିବା ବେଳେ ଗତ ୬ ଦିନରେ ୧୨ଜଣ ମଲେଣି। ଆର୍ଏମ୍‌ଆର୍‌ସି ଓ ବିଏମ୍‌ସିର ଆକଳନ ଅନୁଯାୟୀ, ଅକ୍ଟୋବର ଶେଷ ସପ୍ତାହ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ସମ୍ଭାବନା କମ୍‌। ଏହି ଆକଳନ ଅନୁଯାୟୀ, ମୃତ୍ୟୁ ସଂଖ୍ୟାକୁ ହିସାବ କଲେ ଅକ୍ଟୋବର ବିପଜ୍ଜନକ ସାଜିପାରେ। ୬ ଦିନରେ ୧୨ଜଣ ମରିଥିବାରୁ ଏହି ହାରରେ ମୃତ୍ୟୁ ହେଲେ ନଭେମ୍ବର ୧ ପୂର୍ବରୁ ରାଜଧାନୀରେ ଆଉ ୬୦ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଯାଇଥିବ। ମା‌ସ ବଢ଼ିଲେ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ସେହିପରି ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜୁନ୍‌ ୩୦ସୁଦ୍ଧା ୩୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଜୁଲାଇ ୩୧ ବେଳକୁ ୨୭୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୮୫ଜଣ ଚିକିତ୍ସିତ ଥିଲେ। କିନ୍ତୁ ମାସକରେ ୧୧ଜଣଙ୍କର ମୃତ୍ୟୁ ହୋଇଥିଲା। ମାସ ଶେଷକୁ ରାଜଧାନୀର ମୋଟ୍‌ କରୋନା ଜନିତ ମୃତ୍ୟୁ ୧୫କୁ ଛୁଇଁ ଯାଇଥିଲା ।

ପ୍ରକୃତରେ କରୋନାରେ କେତେ ମରୁଛନ୍ତି?
ଏବେ ସୁଦ୍ଧ‌ା ସମସ୍ତଙ୍କ ଚିହ୍ନା ପରିଚିତରେ କେହି ନା କେହି କରୋନାରେ ମଲେଣି। ସବୁ ପରିବାରରେ କରୋନା ନେଇ ଭୟ ଛାଇଯାଇଛି। ଏମିତିକି ଗୋଟିଏ ଗୋଟିଏ ପରିବାରରୁ ଦୁଇରୁ ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଗଲାଣି। ଯାହାକୁ ପଚାରିବ, ସେ କହୁଛି ଆମର ଜଣେ ସମ୍ପର୍କୀୟଙ୍କର କରୋନାରେ ମୃତ୍ୟୁ ହୋଇଗଲା। କିଏ କହୁଛି କିଛି ନଥିଲା, ହଠାତ୍‌ ନିଶ୍ୱାସପ୍ରଶ୍ୱାସ ବନ୍ଦ ହୋଇଗଲା ତ କିଏ କହୁଛି ହସ୍ପିଟାଲରେ ଉଚିତ ଚିକିତ୍ସା କଲେନି ବୋଲି ମରିଗଲେ। ଏମିତିରେ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିକି ଯାହାର କେହି କରୋନାରେ ମରିଯାଉଛନ୍ତି, ସେ ତା’ର କିଛି ଦିନ ପର୍ଯ୍ୟନ୍ତ ସରକାରଙ୍କ କରୋନା ମୃତ୍ୟୁ ତାଲିକା ଦେଖୁଛନ୍ତି । ହେଲେ କେଉଁଥିରେ ମଲେ କିଛି ଜାଣି ପାରୁନାହାନ୍ତି। ମଲା ବେଳେ କରୋନାରେ ମରିଛନ୍ତି ବୋଲି କହୁଛନ୍ତି। କିନ୍ତୁ କରୋନା ମୃତକଙ୍କ ତାଲିକାରେ ନାଁ ଆସୁନି। ଏନେଇ ପଚାରିଲେ ଉତ୍ତର ମିଳୁଛି କରୋନାରେ ସିନା ମଲେ, ଅନ୍ୟ ରୋଗ ଥିଲା। ଏହାପରେ ଯାହାର ନିଜର କେହି ମରିଥିବ ସେ ବା କ’ଣ ଆଉ କହିପାରିବ? ସତ୍ୟନଗର ଶ୍ମଶାନରେ ୧୬୦୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର ହୋଇ ସାରିଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କର ଶବ ସତ୍କାର ହେଉଛି । କିନ୍ତୁ ସରକାରୀ ହିସାବରେ ଆଜି ସୁଦ୍ଧା ୯୨୪ଜଣଙ୍କର ମୃତ୍ୟୁ ହୋଇଛି । ପ୍ରକୃତରେ କରୋନାରେ କେତେ ମଲେଣି, ତାହା ଏବେ ବଡ଼ ପ୍ରଶ୍ନ ।



from Kanak News https://ift.tt/36zFL6i https://ift.tt/3loXDVJ
ମାସ ବଢ଼ିଲେ ମୃତକ ବଢ଼ୁଛନ୍ତି : ୬ ମାସରେ ୧୦୫ଜଣଙ୍କ ଗଲାଣି ଜୀବନ; ସେପ୍ଟେମ୍ବରରେ ସବୁଠୁ ଅଧିକ ୫୧ ମୃତ Kanak News ମାସ ବଢ଼ିଲେ ମୃତକ ବଢ଼ୁଛନ୍ତି : ୬ ମାସରେ ୧୦୫ଜଣଙ୍କ ଗଲାଣି ଜୀବନ; ସେପ୍ଟେମ୍ବରରେ ସବୁଠୁ ଅଧିକ ୫୧ ମୃତ Kanak News Reviewed by SUBHENDU BARAL on October 06, 2020 Rating: 5

No comments:

Powered by Blogger.