ପରୀକ୍ଷା ଖାତା ମୂଲ୍ୟାୟନ ତାରତମ୍ୟର ଗୁରୁତର ପ୍ରଭାବ: ୮୧% ନମ୍ବର ଥିଲେ ବି ଓଡ଼ିଆ, ସଂସ୍କୃତ ଅନର୍ସରେ ସିଟ୍ ନାହିଁ Kanak News

କନକ ବ୍ୟୁରୋ: ୮୧ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ କି ସଂସ୍କୃତ ଅନର୍ସ ନେଇ ପଢିବାକୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ସିଟ୍ ନାହିଁ। ୯୧ ପ୍ରତିଶତ ନମ୍ବର ରଖିଥିବା ପିଲାଙ୍କ ପାଇଁ ଯୁକ୍ତ ତିନି ବିଜ୍ଞାନର କୌଣସି ବି ବିଷୟରେ ଅନର୍ସ ରଖି ପଢିବାର ସୁଯୋଗ ନାହିଁ। କରୋନା କାଳରେ ଚଳିତବର୍ଷ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ) ଅଧୀନରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ପାସ୍ କରିଥିବା ଛାତ୍ରଛାତ୍ରୀ। ରେଭେନ୍ସା ବିଶ୍ବବିଦ୍ୟାଳୟର ବିଭିନ୍ନ ଅନର୍ସ ବିଷୟ ପାଇଁ ପ୍ରଥମ କଟଅଫ୍ ନମ୍ବର ପ୍ରକାଶ ପାଇଥିବାବେଳେ ଏବେ ଚିନ୍ତାରେ ପଡିଛନ୍ତି ଛାତ୍ରଛାତ୍ରୀ ଆଉ ସେମାନଙ୍କର ଅଭିଭାବକ। ୭୦/୮୦ ପ୍ରତିଶତ ନମ୍ବର ରଖି ପାସ୍ କରିଥିବା ମେଧାବୀ ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଭଲ କଲେଜରେ ନାମ ଲେଖାଇବା କ୍ଷେତ୍ରରେ ଏଭଳି ସମସ୍ୟାର ସାମନା କରିବେ, ତାହା ସେମାନଙ୍କ ପାଇଁ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ କଳ୍ପନାର ବାହାରେ। ପରବର୍ତ୍ତୀ ସିଲେକ୍ସନରେ ଯଦିଓ କଟ୍-ଅଫ୍ ନମ୍ବର ପ୍ରତିଶତ କିଛିଟା ହ୍ରାସ ପାଇପାରେ, କିନ୍ତୁ ସେଥିରେ କେତେ ଛାତ୍ରଛାତ୍ରୀ ଉପକୃତ ହେବେ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କରୋନା ପରିସ୍ଥିତିରେ ରାଜ୍ୟର ସିଏଚ୍ଏସ୍ଇ ବୋର୍ଡ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଯେଭଳି ମୂଲ୍ୟାୟନ କରିଛି, ସେଥିରେ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ହେବାକୁ ବସିଛି।

ରେଭେନ୍ସା ଯୁକ୍ତ ତିନି ନାମଲେଖା ପାଇଁ ଯେଉଁ ପ୍ରଥମ କଟଅଫ୍ ନମ୍ବର ପ୍ରକାଶ ପାଇଛି, ସେଥିରେ ବିଏସ୍ସି ଅନର୍ସ ବଟାନିରେ ୯୨.୫ ପ୍ରତିଶତ ନମ୍ବର ରହିଥିବା ବେଳେ ଜୁଲୋଜିରେ ୯୪.୨, ଫିଜିକ୍ସରେ ୯୩.୬, କେମେଷ୍ଟ୍ରିରେ ୯୨.୬, କଂପ୍ୟୁଟର ସାଇନ୍ସରେ ୯୨, ଭୂଗୋଳ ୯୨, ଜିଓଲୋଜିରେ ୯୩.୨, ଇକୋନୋମିକ୍ସରେ ୯୧.୮, ଗଣିତରେ ୯୪.୨ ଓ ଷ୍ଟାଟିଷ୍ଟିକସରେ ରହିଛି ୯୧.୮ ପ୍ରତିଶତ। ଅର୍ଥାତ ଯୁକ୍ତ ଦୁଇ ବିଜ୍ଞାନରେ ଏତିକି ପ୍ରତିଶତ ନମ୍ବର ରଖିଥିବା ସାଧାରଣ ବର୍ଗ ଛାତ୍ରଛାତ୍ରୀ ସଂପୃକ୍ତ ବିଷୟରେ ଅନର୍ସ ନାମଲେଖାର ସୁଯୋଗ ପାଇବେ।

ସେହିଭଳି ବିଏ ଇକୋନୋମିକସ ପାଇଁ ୮୯ ପ୍ରତିଶତ କଟଅଫ ନମ୍ବର ରହିଥିବା ବେଳେ ଏଜୁକେସନରେ ୮୩.୬୬, ଇଂରାଜିରେ ୮୭, ହିନ୍ଦିରେ ୮୩.୧୬, ଇତିହାସରେ ୮୬, ଗଣିତରେ ୮୪.୨, ଓଡ଼ିଆରେ ୮୧.୧୬, ଫିଲୋସୋଫିରେ ୮୩.୬୬, ରାଜନୀତି ବିଜ୍ଞାନରେ ୮୭.୧୬, ମନସ୍ତତ୍ତ୍ବରେ ୮୫.୮୩, ସଂସ୍କୃତରେ ୮୧.୫, ସୋସିଓଲୋଜିରେ ୮୫.୫ ଓ ଷ୍ଟାଟିଷ୍ଟିକସରେ ୮୭.୨ ପ୍ରତିଶତ କଟଅଫ୍ ନମ୍ବର ରହିଛି। ବିକମରେ ୮୭.୨, ବିବିଏରେ ୭୯.୬୬ ପ୍ରତିଶତ ରହିଛି କଟ୍-ଅଫ୍ ନମ୍ବର ରହିଛି।

ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ରାଜ୍ୟ ଟପର ୯୦ ପ୍ରତିଶତ ନମ୍ବର ରଖିଥିବା ବେଳେ ରେଭେନ୍ସା ଟପର ରଖିଛନ୍ତି ୮୬ ପ୍ରତିଶତ ନମ୍ବର। ଅର୍ଥାତ ଯୁକ୍ତ ଦୁଇରେ ରେଭେନ୍ସା ଟପର ରେଭେନ୍ସାରେ ଯୁକ୍ତ ୩ରେ ନାମଲେଖାଇବାକୁ ଚାହିଁଲେ ଅର୍ଥନୀତି, ଇଂରାଜି, ରାଜନୀତି ବିଜ୍ଞାନ, ଷ୍ଟାଟିଷ୍ଟିକସ ଅନର୍ସ ବିଷୟ ପାଇ ପାରିବେ ନାହିଁ। ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ତ ଓଡ଼ିଆ କି ସଂସ୍କୃତ ବିଷୟରେ ପଢିବାକୁ ହେଲେ ବି ୮୧ ପ୍ରତିଶତରୁ ଅଧିକ ନମ୍ବର ଆବଶ୍ୟକ। ତଥ୍ୟ ଅନୁଯାୟୀ ଚଳିତ ବର୍ଷର କଟଅଫ ନମ୍ବର ଗତ ବର୍ଷ ତୁଳନାରେ ହାରାହାରି ଭାବେ ୧୪ରୁ ୧୫ ପ୍ରତିଶତ ଅଧିକ ରହିଛି।



from Kanak News https://ift.tt/2GtujhE https://ift.tt/3nnN5Ie
ପରୀକ୍ଷା ଖାତା ମୂଲ୍ୟାୟନ ତାରତମ୍ୟର ଗୁରୁତର ପ୍ରଭାବ: ୮୧% ନମ୍ବର ଥିଲେ ବି ଓଡ଼ିଆ, ସଂସ୍କୃତ ଅନର୍ସରେ ସିଟ୍ ନାହିଁ Kanak News ପରୀକ୍ଷା ଖାତା ମୂଲ୍ୟାୟନ ତାରତମ୍ୟର ଗୁରୁତର ପ୍ରଭାବ: ୮୧% ନମ୍ବର ଥିଲେ ବି ଓଡ଼ିଆ, ସଂସ୍କୃତ ଅନର୍ସରେ ସିଟ୍ ନାହିଁ Kanak News Reviewed by SUBHENDU BARAL on October 02, 2020 Rating: 5

No comments:

Powered by Blogger.