ରାଜସ୍ୱ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଆଉ ଏକ ନଗଡ଼ା : ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଶତାଧିକ ସଂଖ୍ୟାଲଘୁ Kanak News

କନକ ବ୍ୟୁରୋ : ‘ଆମର ସରକାର ନାହିଁ କି, ଆମର କଣ ଅଧିକାର ନାହିଁ କି? ରାସ୍ତା ନଥିବାରୁ ଘର ପାଖକୁ ଆଣିପାରୁନୁ ଦୁଇଚକିଆ ଗାଡି। କାହାର କିଛି ଦେହ ପା ଖରାପ ହେଲେ ଭଗବାନ ଭରସା। ଆମ୍ବୁଲାନ୍ସ ତ’ ବହୁତ ଦୂର, ସାମାନ୍ୟ ଅଟୋଟିଏ ମଧ୍ୟ ଗାଁ ଭିତରକୁ ଆସିବାର ବାଟ ନାହିଁ। କେତେ ନେହୁରା କରି ଡାକିଲେ ମଧ୍ୟ ବିଡିଓଙ୍କ ପାଦ ପଡ଼ୁନି। ଭୋଟ ବେଳେ ନେତା ଆସିଥିଲେ ମାତ୍ର ଆଉ କାହାର ଦେଖାନାହିଁ। ଏପରି କହି ସରକାରୀ ବ୍ୟବସ୍ଥା ଏବଂ ଅଧିକାରୀ ଉପରେ ବର୍ଷିଥିଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ସମଜିଦା ବେଗମ। ଏହି ଅବସ୍ଥା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ଖୋଦ୍ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଳିଅଣା ବ୍ଲକ୍ କେଉଟୁଣୀମରା ହାତୀମଡ଼ା ଗାଁ’ର ବିକାଶର ନଗ୍ନ ଚିତ୍ର ।
ଏହି ଗାଁରେ ରାଜାରାଜୁଡ଼ା ଅମଳରୁ ରହିଆସୁଥିବା ପ୍ରାୟ ୪୦ ପରିବାରର ୨ଶହରୁ ଊର୍ଧ୍ବ ଜନସାଧାରଣ ସରକାରଙ୍କ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ରାଜସ୍ୱ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ହୋଇଥିଲେ ମଧ୍ୟ ତାଙ୍କ ଭାଗ୍ୟ ଯେପରି ପ୍ରଶାସନର ନାଲିଫିତା ତଳେ ବନ୍ଦ ରହିଛି। ସ୍ୱାଧୀନତାର ୭୪ ବର୍ଷ ପରେବି ଏ ଗାଁ କୁ ରାସ୍ତା ନାହିଁ କି ନଦୀ ନାଳରେ ପାରି ହେବାପାଇଁ ପାଦରେ ଚାଲିବା ଭଳିଆ ପୋଲଟିଏ ନାହିଁ । ମଣିଷ ଜନ୍ମ ପାଇଥିଲେବି ଜଙ୍ଗଲର ଜୀବଜନ୍ତୁଙ୍କ ଭଳି ଜୀବନଯାପନ କରୁଛନ୍ତି ଏଠାରେ ରହୁଥିବା ୪୦ ସଂଖ୍ୟାଲଘୁ ମୁସଲିମ୍ ସମ୍ପ୍ରଦାୟ ପରିବାର। ଯାହାକି ନିଜ ଆଖିରେ ନଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ ।
ଏହାଠାରୁ ବଳିଯାଇଛି ଗାଁ ମୁଣ୍ଡଦେଇ ଯାଇଥିବା ଏକ ଛୋଟ ନଦୀ। ଯାହାକୁ ସ୍ଥାନୀୟ ଲୋକମାନେ ଚିପଟ ନାଳ ବୋଲି କହିଥାନ୍ତି । ପୂର୍ବରୁ ଏହା ଉପରେ ଗ୍ରାମବାସୀମାନେ ନିଜସ୍ୱ ଉଦ୍ୟମରେ ଏକ ଅସ୍ଥାୟୀ ପୋଲ ତିଆରି କରି ସେଥିରେ ଯିବାଆସିବା କରୁଥିଲେ । ହେଲେ ସେଠାରେ ୨୦୦୮ ମସିହାରୁ ଏକ ଘରୋଇ ସଂସ୍ଥା ଡି.ଡି ବିଲ୍ଡର ପକ୍ଷରୁ ହଳଦିଆ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଚଳିତ ବର୍ଷ କିଛି ମାସେ ତଳେ ହଠାତ୍ ଡ୍ୟାମ୍ ରୁ ପାଣି ଛାଡିଦେବା ଫଳରେ କଚ୍ଚା ପୋଲଟି ସମ୍ପୂର୍ଣ୍ଣ ଭାବରେ ଧୋଇହୋଇଯାଇଛି । ଫଳରେ ଆଜିକୁ ଦୀର୍ଘଦିନ ହେବ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି ଏଠାକାର ଲୋକେ । ଗ୍ରାମବାସୀମାନେ ଏ ବାବଦରେ ଡି.ଡି ବିଲ୍ଡର କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସେମାନଙ୍କୁ ମିଳିଥିଲା ଜୋରଦାର ଧମକ୍ । ସ୍ଥାନୀୟ ବିଡିଓ ମଧ୍ୟ କିଛି ଶୁଣିଲେନି । ଗାଁକୁ ଯିବା ଆସିବା କରିବାର ଏହା ପ୍ରମୁଖ ମାଧ୍ୟମ ହୋଇଥିବାରୁ ବାଧ୍ୟ ହୋଇ ଅତି ଦୟନୀୟ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ବେକେ ପାଣିରେ ପାରି ହେଉଛନ୍ତି ସ୍ଥାନୀୟ ମହିଳା ଏବଂ ପୁରୁଷ । ଗାଁ ର ଯୁବକ ମାନେ ସହରକୁ କାମ କାରିବା ପାଇଁ ଯାଉଥିବାବେଳେ ନିଜର ବାଇକ୍ ଗୁଡିକୁ ନଦୀର ଅନ୍ୟ ମୁଣ୍ଡରେ ରଖି ନଦୀପାର ହୋଇ ଯିବା ଆସିବା କରନ୍ତି । ବାଇକ୍ ଗୁଡିକ ରାତିରେ ସେମିତି ନଦୀ ମୁଣ୍ଡରେ ଭଗବାନଙ୍କ ଭରସାରେ ପଡିରହିଥାଏ । ଯାହାକି ସମସ୍ୟାର ଆଉ ଏକ ନମୁନା ।
ଏହି ଗାଁରେ କେବଳ ମୁସଲିମ ସମ୍ପ୍ରଦାୟର ଲୋକମାନେ ହିଁ ବସବାସ କରୁଛନ୍ତି। ପ୍ରାୟ ୨ଶହ ବର୍ଷ ହେବ ମୟୂରଭଞ୍ଜ ମହରାଜା ଏମାନଙ୍କ ପୂର୍ବପୁରୁଷଙ୍କୁ ସୁଦୁର ବନାରସରୁ ଆଣି ଏଠାରେ ଜମି ଦେଇ ଘରଦ୍ୱାର କରି ଥଇଥାନ କରିଥିଲେ। ରାଜାରାଜୁଡ଼ା ଅମଳରେ ଭଞ୍ଜ ବଂଶର ଘୋଡ଼ା ଗାଡି ଓ ଘୋଡ଼ା ମାନଙ୍କର ତତ୍ତ୍ବାବଧାନ ସକାଶେ ଏମାନଙ୍କୁ ଅଣାଯାଇଥିବା ଜଣାଯାଏ। ହେଲେ ଶହେ ବର୍ଷ ପରେ ମଧ୍ୟ କାଦୁଅ ପଚପଚ ରାସ୍ତାରେ ପିଲା ଛୁଆଙ୍କୁ ନେଇ ଚାଲିବା ପାଇଁ ମଧ୍ୟ ଏମାନଙ୍କୁ ସଂଘର୍ଷ କରିବା ପାଇଁ ପଡ଼ୁଛି । ପାଦେ ପାଦେରେ ବିପଦ ଏଠି ହାତ ଠାରି ଡାକୁଛି ।
ଏଠିକାର ରାସ୍ତାକୁ ଦେଖିଲେ ଲାଗିବ ଏହା ଯେପରି ଚାଷଜମି। ଏନେଇ ସ୍ଥାନୀୟ ବାସିନ୍ଦା ସଂଖ୍ୟାଲଘୁ ବୋଲି ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ସୁନୀଦା ବିବି, ରହିମା ହୁଜୁର, ନିଜାରୁଦ୍ଦିନ୍ ଖାନ, ହାଇଦର ଅଲ୍ଲୀ, ରବାନ୍ ଖାନ ପ୍ରମୁଖ ସ୍ଥାନୀୟ ବ୍ୟକ୍ତି । ଏ ନେଇ କୁଳିଅଣା ବିଡିଓଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଏହି ଗାଁକୁ ନଗଡ଼ା ଭଳି ରୂପ ଦେଇଥିବା ଅଭିଯୋଗ ହୋଇଛି।
from Kanak News https://ift.tt/3it7LL3 https://ift.tt/3it7XtL



No comments: