
କନକ ବ୍ୟୁରୋ : ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ଆଜି ଦିନତମାମ କଟକରେ ହଇଚଇ ସୃଷ୍ଟି ହୋଇଛି। ଗୋଟିଏପଟେ ପୁଲିସ୍ ଧଡ଼ପଗଡ଼ ସହ ତଦନ୍ତ ପାଇଁ ସିଡବ୍ଲୁସି କମିଟି ଗଠନ କରିଥିବାବେଳେ ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ତଦନ୍ତରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।
ଗତିରାଉତପାଟଣା ଅଞ୍ଚଳରେ ଏକ ଚିକେନ୍ କାଉଣ୍ଟରରେ ୨୨ ଦିନ କାଳ ଦୁଇ ଜଣ ଯୁବକ ଜଣେ ତିର୍ତ୍ତୋଲ ଅଞ୍ଚଳର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ଖବର ପ୍ରକାଶ ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା। କଟକରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରଶ୍ନ ଉଠାଇଥିଲେ ବହୁ ବୁଦ୍ଧିଜୀବୀ। ଏହି ଘଟଣା ପରେ ପୁଲିସ୍ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲା। ସାଇଣ୍ଟିଫିକ ଟିମ୍ ଓ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସମୟରେ ଚିକେନ୍ କାଉଣ୍ଟର ଭିତରୁ ମଦ ବୋତଲ, କଣ୍ଡମ୍, ନିଶା ଇଂଜେକସନ ଜବତ କରାଯାଇଛି।
ତଦନ୍ତ ବେଳେ ଜଣାପଡ଼ିଛି ଯେ, ପାଟଣା ଗ୍ରାମର ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେହେରା ଓରଫ ଟିକି ଏବଂ ରାକା ଦିନରେ ରଙ୍ଗ ମିସ୍ତ୍ରି କାମ କରୁଥିବାବେଳେ ପ୍ରାୟ ଚାରି ମାସ ପୂର୍ବରୁ ରାସ୍ତାକଡ଼ରେ ଏକ ଚିକେନ୍ କାଉଣ୍ଟର କରିଥିଲେ। କିନ୍ତୁ ଏହି ଚିକେନ୍ କାଉଣ୍ଟରଟି ସନ୍ଧ୍ୟା ପର ଠାରୁ ବନ୍ଦ ହୋଇ ଯାଉଥିଲା। ରାସ୍ତା ପଟକୁ ଚିକେନ କାଉଣ୍ଟର ଥିବାବେଳେ ଏହାର ପଛପଟେ ତାଳଦଣ୍ଡା କେନାଲକୁ ଲାଗି ଗୋଟିଏ ଛୋଟ ଅସ୍ଥାୟୀ ଘର କରାଯାଇଥିଲା। ସନ୍ତୋଷ ଏବଂ ରାକା ବିଭିନ୍ନ ସମୟରେ ଦେହଜୀବୀମାନଙ୍କୁ ଏଠାକୁ ଆଣୁଥିଲେ।
ନିର୍ଦ୍ଦିଷ୍ଟ ଗରାଖ ସେଠାକୁ ଆସୁଥିବାବେଳେ ସ୍ଥାନୀୟ କିଛି ଯୁବକଙ୍କୁ ହାତରେ ରଖି ସେମାନେ ରୀତିମତ ବ୍ୟବସାୟ ଚଳାଇ ଆସୁଥିଲେ। ରାକା ଓ ସନ୍ତୋଷଙ୍କ ଗରାଖ ତାଲିକାରେ ଟ୍ରକ୍ ଓ ଗାଡ଼ି ଡ୍ରାଇଭର ଏମିତିକି କଲେଜ ପଢୁଥିବା ଛାତ୍ର ବି ଥିବା ପୁଲିସକୁ ସୂଚନା ମିଳିଛି। ବିଳମ୍ବିତ ରାତିରେ ସେହି ଘରେ ଏଭଳି କାରବାର ଚାଲୁଥିବାରୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣି ପାରୁନଥିଲେ। ଚାଉଳିଆଗଞ୍ଜ ପୁଲିସ ପ୍ରଥମେ ରାକାକୁ ଧରିଥିବା ବେଳେ ବୁଧବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟତମ ଅଭିଯୁକ୍ତ ସନ୍ତୋଷକୁ ମଧ୍ୟ ଗିରଫ କରିବାକୁ ସମର୍ଥ ହୋଇଛି।
from Kanak News https://ift.tt/34XXguH https://ift.tt/3d9zX4L
Reviewed by SUBHENDU BARAL
on
October 14, 2020
Rating:
No comments: