ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ : ଜଳ, ଜଙ୍ଗଲ, ଜୀବିକା ହରାଇଲା ନବରଙ୍ଗପୁର Kanak News

କନକ ବ୍ୟୁରୋ : ଚିରସ୍ରୋତା ନଦୀ ଇନ୍ଦ୍ରାବତୀ। କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲା‌ ଦେଇ ଛତିଶଗଡ଼କୁ ପ୍ରବାହିତ ହୋଇଛି। ନଦୀ ଅବବାହିକାରେ ଥିବା ନବରଙ୍ଗପୁର ଜିଲ୍ଲାର ଶତାଧିକ ଗାଁ ପାଇଁ ଏହି ନଦୀ ଦିନେ ଥିଲା ଜୀବନରେଖା। ବର୍ଷର ଦୁଇ ଥର ଚାଷ କରି ବେଶ୍ ସଶକ୍ତ ଥିଲେ ଏଠାକାର ଚାଷୀ। କିନ୍ତୁ ନଦୀ ଗର୍ଭରେ ଏବେ ଲୀନ ହୋଇଯାଇଛି ସେହି ସମୃଦ୍ଧ ଅର୍ଥନୀତି। ଶସ୍ୟ ଶାମଳା ଭୂଇଁକୁ ଅକ୍ତିଆର କରିଛି ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ। ଏଥିପାଇଁ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ବ୍ଲକ୍‌ ସ‌ମେତ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ୫ ହଜାରରୁ ଊର୍ଦ୍ଧ୍ବ ପରିବାର ବିସ୍ଥାପିତ ହୋଇଛନ୍ତି। ଜଳ, ଜମି, ଜଙ୍ଗଲ ଏବଂ ଜୀବିକା ଜଳମଗ୍ନ ହୋଇଯାଇଛି।

ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ହେବା ପୂର୍ବରୁ କୃଷି ଭିତ୍ତିକ ଅର୍ଥନୀତିରେ ବେଶ୍ ସମୃଦ୍ଧ ଥିଲା ନବରଙ୍ଗପୁର ଜିଲ୍ଲା। ତେଣୁ ବହୁ ଜାତୀୟ ତଥା ବିଦେଶୀ କଂପାନି ନବରଙ୍ଗପୁର ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପ ସ୍ଥାପନ ପାଇଁ ଇଚ୍ଛୁକ ରହିଥିଲେ। କିନ୍ତୁ ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ପରେ ନଦୀ ଶୁଖିବା ଆରମ୍ଭ କରିଥିଲା ତେଣୁ ବହୁରାଷ୍ଟ୍ରୀୟ କଂପାନିଗୁଡ଼ିକ ମୁହଁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ। ଯାହାର ପରିଣାମ ସ୍ବରୂପ ଅନ୍ୟ କୌଣସି ଶିଳ୍ପ ବି ଏଠାରେ ପ୍ରତିଷ୍ଠା ହୋଇପାରିଲା ନାହିଁ। ସମୟକ୍ରମେ ଜିଲ୍ଲା ପାଇଁ ଜୀବନରେଖା ପାଲଟିଥିବା ଇନ୍ଦ୍ରାବତୀ ଏବେ ଦୁଃଖର କାରଣ ପାଲଟିବାକୁ ଯାଉଛି। ଯାହାର ବଡ଼ ଉଦାହରଣ ହେଲା ପଡ଼ୋଶୀ କଳାହାଣ୍ଡି ଜିଲ୍ଲା ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ଏବେ ଭାତହାଣ୍ଡି ପାଲଟିଛି। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାକୁ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ କିଛି ଅଞ୍ଚଳର ମରୁଭୂମୀ ପାଲଟି ଗଲାଣି।

୧୯୭୮ ମସିହା ଏପ୍ରିଲ ୧୦ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ନିକଟରେ ଇନ୍ଦ୍ରାବତୀ ବହୁମୁଖୀ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୦୦ ମସିହାରୁ ଆନୁଷ୍ଠାନିକ ଭାବେ ମୁଖିଗୁଡ଼ା ସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୪ଟି ଟର୍‌ବାଇନ ଯୋଗେ ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଦ୍ୟାବଧି ଜାରି ରହିଛି। ବିଡ଼ମ୍ବନା ହେଲା ଦେଶର ଏହା ହେଉଛି ଏକମାତ୍ର ପ୍ରକଳ୍ପ ଯେଉଁଥିରେ ପାଣି ତଳମୁଣ୍ଡକୁ ଆସୁନ‌ାହିଁ। ଜଳଭଣ୍ଡାର ପାଣିକୁ ବିନିଯୋଗ କରି ମୁଖିଗୁଡ଼ା ସ୍ଥିତ ପାୱାର ହାଉସରୁ ମାସିକ ୧୦୦ କୋଟିରୁ ଊର୍ଦ୍ଧ୍ବ ରାଜସ୍ବ ଆଦାୟ ହେଉଛି। ରାଜସ୍ବ ଆଦାୟର ୫ପ୍ରତିଶତ ପାରିପାର୍ଶ୍ବିକ ବିକାଶ ‌କ୍ଷେତ୍ରରେ ବିନିଯୋଗ କରାଯିବା କଥା। କିନ୍ତୁ ଏହି ପ୍ରକଳ୍ପ କ୍ଷେତ୍ରରେ ତାହା ହୋଇପାରୁନି। ହାତ ପାଆନ୍ତାରେ ଥିବା ଏହି ପ୍ରକଳ୍ପର ବିଦ୍ୟୁତ ନବରଙ୍ଗପୁର ଜିଲ୍ଲାକୁ ଏ ପର୍ଯ୍ୟନ୍ତ ଯୋଗାଣ ହୋଇପାରିଲା ନାହିଁ। ନଦୀ ଅବବ‌ାହିକାରେ ଥିବା ଗାଁ ଗୁଡ଼ିକର ବି ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ଅନ୍ୟପଟେ ଏହି ପ୍ରକଳ୍ପ ଦ୍ବାରା ବାରମ୍ବାର ଉପକୃତ ହେଉଛନ୍ତି କଳାହାଣ୍ଡି ଜିଲ୍ଲାବାସୀ। ତେଣୁ ଏବେ ନବରଙ୍ଗପୁର ଜିଲ୍ଲାରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ସରକାରଙ୍କୁ କେବଳ କଳାହାଣ୍ଡି ଜିଲ୍ଲାର କ୍ଷତି ଏବଂ ସମସ୍ୟା ଦୃଷ୍ଟି ଗୋଚର ହେଉଛି। ପ୍ରକଳ୍ପ ଦ୍ବାରା ଅନେକ କ୍ଷତି ସହିଥିବା ନବରଙ୍ଗପୁର ଜିଲ୍ଲାକୁ ପୁଣି ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି।

ବାରମ୍ବାର ଦାବି ଏବଂ ଅନେକ ବାଦବିବାଦ ପ‌ରେ ଜଳସେଚନ ବିଭାଗ ଇନ୍ଦ୍ରାବତୀ ଡ୍ୟାମର ଜଳକୁ ସୁଡ଼ଙ୍ଗ ଖୋଳି ଖାତିଗୁଡ଼ା-ମହୁଲପଦର ରାସ୍ତା ଦେଇ ତଳମୁଣ୍ଡକୁ ୫୨କିମି କେନାଲ ମାଧ୍ୟମରେ ଜଳସେଚନ କରିବା ପାଇଁ ବ୍ୟୟ ଅଟକଳ ହେଲା। ୨୦୧୪ ମସିହାରେ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୪୩କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ମସିହା ଫେବ୍ରୁଆରି ମାସରେ ଏହି ପ୍ରକଳ୍ପ ନିମନ୍ତେ ଖାତିଗୁଡ଼ା ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜଳସେଚନ ବିଭାଗ ପକ୍ଷରୁ ୨୦୧୬ ମସିହାରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ ଡିପିଆର ଦାଖଲ ହୋଇଥିଲା। ୨୦୧୮ ମସିହା ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ ଏହାରି ମଧ୍ୟରେ ‌ଅନେକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଇଞ୍ଚେ ମଧ୍ୟ ପ୍ରକଳ୍ପ କାମ ଆଗେଇ ପାରି ନାହିଁ। ତେଣୁ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାରେ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି ଇନ୍ଦ୍ରାବତୀ ପାଣି। ସମୟ ଥାଉଣୁ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ସରକାର ବିରାଟ ଜନଅସନ୍ତୋଷର ସମ୍ମୁଖୀନ ହେବା ନିଶ୍ଚିତ।



from Kanak News https://ift.tt/36yZjb0 https://ift.tt/34s1eLw
ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ : ଜଳ, ଜଙ୍ଗଲ, ଜୀବିକା ହରାଇଲା ନବରଙ୍ଗପୁର Kanak News ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ : ଜଳ, ଜଙ୍ଗଲ, ଜୀବିକା ହରାଇଲା ନବରଙ୍ଗପୁର Kanak News Reviewed by SUBHENDU BARAL on October 04, 2020 Rating: 5

No comments:

Powered by Blogger.