ବିଦ୍ୟାଳୟ ଏକତ୍ରୀକରଣ ପ୍ରକ୍ରିୟା ଆରମ୍ଭ : ପଞ୍ଚାୟତକୁ ଯିବ ବନ୍ଦ ସ୍କୁଲ କୋଠା, ବନ୍ଦ ସ୍କୁଲର ଶିକ୍ଷକମାନେ ମୁଖ୍ୟ ସ୍କୁଲକୁ ହେବେ ବଦଳି Kanak News
କନକ ବ୍ୟୁରୋ : ପିଲା ହେଉ ନ ଥିବାରୁ ସରକାରୀ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୨୦୧୮ରୁ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ରୂପ ନେଇପାରି ନାହିଁ । ସ୍କୁଲଗୁଡ଼ିକ କିଭଳି ମିଶ୍ରଣ କରାଯିବ ? ବନ୍ଦ ସ୍କୁଲର ବିଲଡିଂ କ’ଣ ହେବ ? ପିଲାମାନଙ୍କ ସୁରକ୍ଷା ଓ ସୁବିଧା ଲାଗି କିଭଳି ବ୍ୟବସ୍ଥା ହେବ ? ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ବନ୍ଦ ହେବାକୁ ଥିବା ସ୍କୁଲଗୁଡ଼ିକରେ ଏଥର ନାମଲେଖା ହେବ କି ନାହିଁ, ତାହାକୁ ନେଇ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଦ୍ୱନ୍ଦ୍ୱରେ ରହିଛନ୍ତି ।
ଏମିତିକି ଅନେକ ବିଦ୍ୟାଳୟରେ ନୂଆ ପିଲାଙ୍କ ନାମଲେଖା ହୋଇପାରି ନଥିବା ଜଣାପଡ଼ିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବନ୍ଦ ସ୍କୁଲ ପରିଚାଳନା ନେଇ ରଣନୀତି ପ୍ରସ୍ତୁତ ହୋଇଛି । ପାଖାପାଖି ୨୦ରୁ କମ୍ ପିଲା ଥିବା ୧୪ ହଜାର ବିଦ୍ୟାଳୟ ବନ୍ଦ କରାଯାଇ ତାହାକୁ ସ୍ଥାନୀୟ ଅଞ୍ଚଳର ମୁଖ୍ୟ ବିଦ୍ୟାଳୟ ସହିତ ମିଶାଇ ଦିଆଯିବାକୁ ପ୍ରସ୍ତାବ ରହିଛି । ଏକତ୍ରୀକରଣ ହେବାକୁ ଥିବା ସ୍କୁଲର ସମସ୍ତ ତଥ୍ୟ ମୁଖ୍ୟ ସ୍କୁଲ ସହ ସାମିଲ ହେବ। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକା, ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମୁଖ୍ୟ ସ୍କୁଲ ସହ ସାମିଲ ହେବ। ପିଲାଙ୍କ ପାଠପଢ଼ା ଓ ସ୍କୁଲ ପରିଚାଳନାକୁ ସୁରକ୍ଷିତ ରଖିବା ପାଇଁ ପିଲାଙ୍କ ଟ୍ରାକିଂ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ମାନେ ଏସବୁ କାମର ତଦାରଖ କରିବେ।
ପିଲାଙ୍କ ନାମଲେଖାକୁ ସୁରକ୍ଷିତ ରଖିବା ପାଇଁ ସବୁ ଜିଲ୍ଲାରେ ସଚେତନତା ଅଭିଯାନ ଆରମ୍ଭ ହେବ । ସ୍କୁଲ ବନ୍ଦ ପରବର୍ତ୍ତୀ ସମୟର ତଥ୍ୟ ଯେପରି ଠିକ୍ ରୁହେ, ସେଥିପାଇଁ ମୁଖ୍ୟ ସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ବନ୍ଦ ସ୍କୁଲର ପ୍ରଧାନଶିକ୍ଷକ ଓ ସିଆର୍ସିସି ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବେ । ମୁଖ୍ୟ ସ୍କୁଲର ପ୍ରଧାନଶିକ୍ଷକ ଓ ସିଆର୍ସିସି ଉଭୟ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ । ସିଆର୍ସିସି ଓ ପ୍ରଧାନ ଶିକ୍ଷକମାନେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି(ଏସ୍ଏମ୍ସି) ସଦସ୍ୟଙ୍କୁ ସ୍କୁଲ ବନ୍ଦର କାରଣ, ମୁଖ୍ୟ ସ୍କୁଲ ସହ ସାମିଲ ହେବାର କାରଣ, ପିଲାଙ୍କୁ ମିଳିବାକୁ ଥିବା ସୁବିଧା ବାବଦରେ ଜଣାଇବେ ।
ବନ୍ଦ ସ୍କୁଲର ଅସ୍ଥାବର ସମ୍ପତ୍ତି ଯଥା ରେକର୍ଡ, ଷ୍ଟୋର ଆକଉଣ୍ଟ୍ସ ଆଦି ମୁଖ୍ୟ ସ୍କୁଲକୁ ସ୍ଥାନାନ୍ତର ହେବ । ଯଦି ଏଥିପାଇଁ କୌଣସି ଅର୍ଥ ଖର୍ଚ୍ଚ ହୁଏ, ତେବେ ତାହା କମ୍ପୋଜିଟ୍ ସ୍କୁଲ ଗ୍ରାଣ୍ଟରୁ ଖର୍ଚ୍ଚ କରାଯିବ । ସ୍ଥାନାନ୍ତର ହେବା ନେଇ ଉଭୟ ସ୍କୁଲର ପ୍ରଧାନଶିକ୍ଷକ ଡକ୍ୟୁମେଣ୍ଟରେ ଦସ୍ତଖତ କରି ତାହାକୁ ବିଇଓ ଓ ଡିଇଓଙ୍କୁ ପ୍ରଦାନ କରିବେ । ନିଷ୍ପତ୍ତି ଅନୁଯାୟୀ, ବନ୍ଦ ସ୍କୁଲର ସ୍ଥାବର ସମ୍ପତ୍ତି ତଥା ବିଲଡିଂଗୁଡ଼ିକ ପଞ୍ଚାୟତ/ପଞ୍ଚାୟତ ସମିତି/ଅର୍ବାନ୍ ଲୋକାଲ୍ ବଡିକୁ ହସ୍ତାନ୍ତର କରାଯିବ । ହସ୍ତାନ୍ତର ହେବା ପରେ ବନ୍ଦ ସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଏନେଇ ବିଇଓ/ଡିଇଓଙ୍କୁ ରିପୋର୍ଟ ଦେବେ। ସ୍କୁଲ ଏକତ୍ରୀକରଣ ପରେ ଏସ୍ଏମ୍ସି ପୁନର୍ଗଠିତ ହେବ। ଉଭୟ ସ୍କୁଲର ଅଭିଭାବକଙ୍କୁ ନେଇ ଏସ୍ଏମ୍ସି କରାଯିବ । ସ୍କୁଲ ଖୋଲିବାର ୪୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ।
ଏସବୁ କାମର ତଦାରଖ, ପିଲା ଓ ଅଭିଭାବକଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟସ୍ତରରେ ଏକ ହେଲ୍ପଲାଇନ୍ ନମ୍ବର ରଖାଯିବ । ବନ୍ଦ ସ୍କୁଲର ଛାତ୍ରଛାତ୍ରୀ ଯେପରି ନିୟମିତ ଭାବେ ସ୍କୁଲ ଆସନ୍ତି, ସେନେଇ ମୁଖ୍ୟ ସ୍କୁଲର ପ୍ରଧାନଶିକ୍ଷକ ତଦାରଖ କରିବେ । ଏହି ପ୍ରକ୍ରିୟାରେ ସାମିଲ ଥିବା ପିଲାଙ୍କ ପୁଙ୍ଖାନୁପୁଙ୍ଖ ଡାଟାବେସ୍ ବା ତଥ୍ୟ ପ୍ରସ୍ତୁତ କରାଯାଇ ତାହାକୁ ରାଜ୍ୟସ୍ତରରେ ଦାଖଲ କରାଯିବ । ମୁଖ୍ୟ ସ୍କୁଲର କ୍ୟାମ୍ପସର ସୌନ୍ଦର୍ଯ୍ୟୀକରଣ ସହ ଭିତ୍ତିଭୂମି ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ସ୍କୁଲ ହତାକୁ ସଫାସୁତୁରା କରିବା, ସ୍କୁଲ ପାଚେରି ନିର୍ମାଣ, ସ୍କୁଲ କାନ୍ଥରେ ଚିତ୍ର ଆଙ୍କିବା, ପିଇବା ପାଣି ଓ ଶୌଚାଳୟ ସୁବିଧା କରିବାକୁ ନିଷ୍ପତ୍ତି ହୋଇଛି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସହୟତାରେ ସ୍କୁଲଗୁଡ଼ିକରେ ଏସବୁ ସୁବିଧା କରାଯିବ। ବିଇଓମାନେ ଏହି ସବୁ କାମର ତଦାରଖ କରିବେ। ବନ୍ଦ ସ୍କୁଲର ସମସ୍ତ ଶିକ୍ଷକ ମୁଖ୍ୟ ସ୍କୁଲକୁ ବଦଳି ହେବେ । ଏନେଇ ଯଦି କୌଣସି ସମସ୍ୟା ହୁଏ, ତେବେ ବିଇଓ ଓ ଡିଇଓମାନେ ୭ ଦିନ ମଧ୍ୟରେ ଏ ସମ୍ପର୍କିତ ସମସ୍ୟାର ସମାଧାନ କରିବେ । ଯଦି ସ୍କୁଲଠାରୁ ପିଲାଙ୍କ ଘରର ଅଧିକ ଦୂର ହୋଇଥିବ, ସେ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଏସ୍କର୍ଟ ଆଲାଉନ୍ସ ମିଳିବ। ଏହି ଆଲାଉନ୍ସ ବା ଆର୍ଥିକ ସହାୟତା ଶିକ୍ଷାଧିକାରୀ ଆଇନ ଅନୁସାରେ ଗୋଟିଏ ଥରରେ ପିଲାଙ୍କୁ ଦିଆଯିବାକୁ ସ୍ଥିର ହୋଇଛି ।
from Kanak News https://ift.tt/3koqhGm https://ift.tt/3ktsTCY
No comments: