
କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ଥରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଜାରି ରହିବ। ଏହାପରେ ପାଗ ଶୁଖିଲା ରହିବ। ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଥିବାରୁ ରାଜ୍ୟରେ ୧୮ ତାରିଖରୁ ପୁଣି ବର୍ଷା ଆରମ୍ଭ ହୋଇଯିବ।
ଅନ୍ୟପଟେ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଲାଇନ୍ ଏବେ ଫୈଜାବାଦ୍, ଫତେପୁର, ନାଓଙ୍ଗାଙ୍ଗ୍, ରାଜଗଡ଼, ରାତ୍ଲମ୍, ବଲ୍ଲଭ ବିଦ୍ୟାନଗର ଓ ପୋର୍ବନ୍ଦର ଦେଇ ଗତି କରୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି ଯେ ରାଜ୍ୟରେ ଏବେ ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ଆଜି ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ମଧ୍ୟ ହୋଇଯାଇଛି।
ଆସନ୍ତାକାଲି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିବ। ବିଶେଷ କରି ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହାପରେ ଦୁଇ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। କାଁ ଭାଁ ବର୍ଷା ହେବ। ୧୮ ତାରିଖରୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଯିବ। କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଧା ଜିଲ୍ଲାରେ ସେ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୯ ତାରିଖ ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେବେ ଆସନ୍ତା ୨ ଦିନ ଭିତରେ ଏନେଇ ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
from Kanak News https://ift.tt/3o67rGi https://ift.tt/372lQNr
Reviewed by SUBHENDU BARAL
on
October 15, 2020
Rating:
No comments: