ବରିଷ୍ଠ ଅଭିନେତା ସନ୍ତୋଷ ନାୟକଙ୍କ ପରଲୋକ, ଓଲିଉଡ଼ରେ ବାପା ଭାବେ ଥିଲେ ପରିଚିତ

ଭୁବନେଶ୍ୱର୦୬।୧୦: ଓଲିଉଡ଼ ପାଇଁ ଆଉ ଏକ ଦୁଃଖଦ ଖବର । ବିଜୟ ମହାନ୍ତି, ଅଜିତ ଦାସ ପରେ ଆଉ ଜଣେ ବରିଷ୍ଠ ଅଭିନେତାଙ୍କ ପରଲୋକ ହୋଇଛି । ବରିଷ୍ଠ ଅଭିନେତା ସନ୍ତୋଷ ନାୟକଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ବନ୍ଧୁ ଗୀତିକାର ତଥା ସଂଳାପକାର ଡ. ରଜନୀ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସେ କହିଛନ୍ତି,ସୋମବାର ଅପରାହ୍ଣ ୨ଟା ୪୫ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କୁ ପାଖାପାଖି ୫୦ବର୍ଷ ବୟସ ହେବ। ସେ ଭୁବନେଶ୍ୱରରେ ପରିବାର ସହିତ ରହିଆସୁଥିଲେ । ଓଡ଼ିଆ ଇଣ୍ଡଷ୍ଟ୍ରିରେ ଜଣେ ଚମତ୍କାର ଅଭିନେତା ଥିଲେ। ପ୍ରଥମତଃ ଜଣେ ଭଲ ମଣିଷ ଥିଲେ। ସବୁବେଳେ ହସି ହସି ସମସ୍ତଙ୍କୁ ଆପଣାଇ ନେଉଥିଲେ। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ବାପା ଭାବରେ ବେଶ୍‌ ପରିଚିତ ଥିଲେ । ପ୍ରତିଟି ସିନେମା ଏବଂ ଧାରାବାହିକରେ ସେ ବାପା ଚରିତ୍ରରେ ଅଭିନୟ କରିଆସୁଥିଲେ। ତାଙ୍କ ବିୟୋଗରେ କଳାକାର ଜଗତ ସ୍ତବ୍ଧ । ସମସ୍ତେ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାଙ୍କ ସଦଗତି କାମନା କରିଛନ୍ତି। କିଛିଦିନ ତଳେ ସେ କହି ଯାଇଥିଲେ, ଆସିଲେ ସିନେମା, ଧାରାବାହିକ ସବୁ କରିବା କିନ୍ତୁ ଆଉ ସେ ଫେରିଲେନି।

ନୟାଗଡ଼ ଜିଲ୍ଲାରେ ଜନ୍ମିତ ସ୍ୱର୍ଗତ ନାୟକ ଦୀର୍ଘ ୩୦ବର୍ଷ ଧରି ଅଭିନୟ ଜାରି ରଖିଥିଲେ । ୭୫ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୩୦ରୁ ଅଧିକ ଧାରାବାହିକ, ୨୦୦ରୁ ଊଦ୍ଧ୍ୱର୍ ରେଡିଓ ଓ ଦୂରଦର୍ଶନ କାର୍ଯ୍ୟକ୍ରମ, ନାଟକ ଏବଂ ଟେଲି ଫିଲ୍ମରେ ନିଖୁଣ ଅଭିନୟ କରିଥିଲେ । ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବେ ସଫଳତାର ସ୍ୱାକ୍ଷର ବହନ କରିଥିଲେ । ଜାତୀୟ, ରାଜ୍ୟ ସ୍ତରରେ ଅନେକ ପୁରସ୍କାର ପାଇ ପ୍ରସିଦ୍ଧି ଲାଭ କରିଥିଲେ । ବଳିଷ୍ଠ ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ପିରିଚିତି ହୋଇପାରିଥିଲେ ।

ସ୍ୱର୍ଗତ ନାୟକଙ୍କ ବାପା ହାଇସ୍କୁଲ ଶିକ୍ଷକ ଥିବାବେଳେ ‘କଂସା କବାଟ’ ଶୀର୍ଷକ ଏକ ନାଟକରେ ନିର୍ଦ୍ଦେଶନା ଦେଉଥିଲେ। ସେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ବାପା ତାଙ୍କୁ ଥାଟ୍‌ରାଜ୍‌ ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ। ସେଇ ଛୋଟିଆ ଭୂମିକାଟି ତାଙ୍କ ନାଟକ ନିଶା ଏତେ ବଢ଼ାଇ ଦେଲା ଯେ ଆଉ ଛାଡ଼ି ପାରିନଥିଲେ। ରେଭେନ୍ସାରେ ପଢ଼ିବା ସମୟରେ ରେଡିଓରେ ଅଭିନୟର ସୁଯୋଗ ପାଇଥିଲେ । ମଞ୍ଚ ନାଟକରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ରେଡିଓରେ ପ୍ରଥମ ନାଟକ ଥିଲା ‘ଏକ ଘାସ ଫୁଲର କାହାଣୀ’ । ଏହାପରେ ଦୂରଦର୍ଶନରେ ଅଡିସନ୍‌ ଦେଇ ଅଭିନୟ ଲାଗି ସୁଯୋଗ ପାଇଥିଲେ । ବହୁ ବଡ଼ ବଡ଼ କଳାକାର ସାମୁଏଲ୍‌ ସାହୁ, ବ୍ୟୋମକେଶ ତ୍ରିପାଠୀ, ଝରଣା ଦାସଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ।

୧୯୯୦ ମସିହାରେ ‘ମୋ ଭାଇ ଜଗା’ ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ‘ମୁନା ଏ ଲଭ୍‌ ଷ୍ଟୋରି’, ‘ଆରେ ସାଥୀ ଆ’, ‘ନେଇଯା’ରେ ମେଘ ମୋତେ’, ‘ଏ ମନ ମାନେନା’, ‘ସିନ୍ଦୂର’, ‘ତୁ କହି ଦେ ଆଇ ଲଭ୍‌ ୟୁ’, ‘ଲଭ୍‌ ଫିଭର୍‌’ ଭଳି ବହୁ ଚଳଚ୍ଚିତ୍ରରେ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ।

ଏତେସବୁ ପରେ ବି ସ୍ୱର୍ଗତ ନାୟକ ଜୀବନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ବଞ୍ଚି ଆସିଥିଲେ । ରେଡିଓରେ ଟ୍ରାନ୍ସମିସନ୍‌ ଏକ୍‌ଜିକ୍ୟୁଟିଭ୍‌ ପୋଷ୍ଟ ପାଇଥିଲେ କିନ୍ତୁ ସିନେମା ପାଇଁ ତାକୁ ଛାଡ଼ି ଦେଇଥିଲେ । ଏମିତିକି ମଧୁପାଟଣାର ଏକ ରସାୟନ କମ୍ପାନିରେ ମାସିକ ୨୧୦୦ ଟଙ୍କା ଦରମାରେ ବି ଚାକିରି କରିଥିଲେ । ପରିସ୍ଥିତିରେ ପଡ଼ି ହସ୍ପିଟାଲ୍‌କୁ ଫିନାଇଲ୍‌ ଓ ବ୍ଲିଚିଂ ଯୋଗାଇ ଚଳିଥିଲେ ହେଲେ କଳାକୁ ଛାଡ଼ି ନଥିଲେ । ବହୁ ଅସୁବିଧା ସତ୍ତେ୍ୱ ବି ଜଣେ ସ୍ୱାଭିମାନୀ କଳାକାର ଭାବେ ବଞ୍ଚି ଆସିଥିଲେ ।



from Prameya News7 https://ift.tt/3nlqtYN
ବରିଷ୍ଠ ଅଭିନେତା ସନ୍ତୋଷ ନାୟକଙ୍କ ପରଲୋକ, ଓଲିଉଡ଼ରେ ବାପା ଭାବେ ଥିଲେ ପରିଚିତ ବରିଷ୍ଠ ଅଭିନେତା ସନ୍ତୋଷ ନାୟକଙ୍କ ପରଲୋକ, ଓଲିଉଡ଼ରେ ବାପା ଭାବେ ଥିଲେ ପରିଚିତ Reviewed by SUBHENDU BARAL on October 05, 2020 Rating: 5

No comments:

Powered by Blogger.