ଦୁବାଇ, ୧୮|୧୦ : ଶିଖର ଧାଓ୍ୱନଙ୍କ ଅପରାଜିତ ଶତକ ବଳରେ ଦିଲ୍ଲୀ କ୍ୟାପିଟାଲ ଚେନ୍ନାଇ ସୁପର କିଙ୍ଗସକୁ ୫ ଓ୍ୱିକେଟରେ ପରାସ୍ତ କରିଛି । ଚେନ୍ନାଇ ପକ୍ଷରୁ ଧାର୍ଯ୍ୟ ୧୮୦ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୯.୫ ଓଭରରେ ହାସଲ କରିନେଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ବିନା ସ୍କୋରରେ ସାମ କରନଙ୍କ ରୂପେ ଝଟକା ଲାଗିଥିଲା। ଏହା ପରେ ଫାଫ ଡୁପ୍ଲେସିସ୍ ଓ ସେନ ଓ୍ଵାଟସନ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଉଭୟ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟରେ ୮୭ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଓ୍ଵାଟସନଙ୍କୁ ବୋଲ୍ଡ କରି ନୋତର୍ଜେ ଏହି ଭାଗିଦାରୀ ଭାଙ୍ଗିଥିଲେ। ସେନ ଓ୍ଵାଟସନ ୨୮ ବଲରୁ ୬ ଚୌକା ସହ ୩୬ ରନ କରି ଥିଲେ।
ଦମଦାର ଫର୍ମରେ ଥିବା ଫାଫ୍ ଡୁପ୍ଲେସିସ୍ ଚଳିତ ଆଇପିଏଲରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ୧୦୯ ରନ ସ୍କୋରରେ ଡୁପ୍ଲେସିସ୍ ରାବଡାଙ୍କ ବଲରେ ଆଉଟ୍ ହୋଇଥିଲେ। ସେ ୪୭ ବଲରୁ ୬ ଚୌକା ଓ ୨ ଛକା ସହ ୫୮ ରନର ଉପଯୋଗୀ ଇଂନିସ ଖେଳିଥିଲେ। ଧୋନୀ ପୁଣି ଥରେ ବିଫଳ ହୋଇ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଅମ୍ଵତି ରାୟୁଡୁ ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ବ୍ୟାଟିଂ କରିବାରୁ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୭୯ ରନ କରିଥିଲା। ରାୟୁଡୁ ୨୫ ବଲରୁ ୧ ଚୌକା ଓ ୪ ଛକା ସହ ୪୫ ରନ ଏବଂ ଜାଡେଜା ୧୩ ବଲରୁ ୪ ଛକା ସହ ୩୩ ରନ କରି ଅପରାଜିତ ଥିଲେ। ରାୟୁଡୁ ଓ ଜାଡେଜା ଅବିଭାଜିତ ପଞ୍ଚମ ଓ୍ଵିକେଟ୍ ପାଇଁ ଦ୍ରୁତ ୫୦ ରନ ଯୋଡିଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅନରିଚ ନୋତର୍ଜେ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଓ କାଗିସୋ ରାବଡା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୧୮୦ ରନକୁ ପିଛା କରୁଥିବା ଦିଲ୍ଲୀ ଆରମ୍ଭରୁ ଝଟକା ଖାଇଥିଲା । ଖାତା ଖୋଲିନପାରି ପୃଥୀ ଶ ଆଉଟ ହୋଇଥିଲେ । ତେବେ ଶିଖର ଧାଓ୍ୱନ ଆକର୍ଷଣୀୟ ଶତକ ହାସଲ କରିଥିଲେ । ସେ ୧୦୧ ରନ୍ କରି ଅପରାଜେୟ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର ୨୩ ଓ ଅକ୍ସର ପଟେଲଙ୍କ ୫ ବଲରୁ ଦ୍ରୁତ ୨୧ ରନ୍ ଦଳର ବିଜୟରେ ସହଯୋଗ କରିଥିଲା ।
ଚେନ୍ନାଇ ପକ୍ଷରୁ ଦୀପକ ଚହର ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ସାମ କୁରାନ, ଶର୍ଦ୍ଦୁଳ ଠାକୁର ଓ ଡେନ୍ ବ୍ରାଭୋ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।
from Prameya News7 https://ift.tt/3482xjV
No comments: