ଭୁବନେଶ୍ୱର ୦୫।୧୦: ଗୋଟିଏ ଲଘୁଚାପ ବର୍ଷା ଛାଡ଼ିନି, ଦାନା ବାନ୍ଧିଲାଣି ଆଉ ଗୋଟିଏ । ଏ ଲଘୁଚାପ ବର୍ଷା ଆହୁରି ୩/୪ ଦିନ ରହିବ । ତା’ ପରେ ଆସନ୍ତା ୯ ତାରିଖବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଅଛି। ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍) ରୂପ ନେବା ଆକଳନ କରାଯାଉଛି । ଏହା ପ୍ରଭାବରେ ଓଡ଼ିଶାରେ ୧୧ରୁ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କା ରହିଛି ।
ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ୯ ତାରିଖବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ପରବର୍ତ୍ତୀ ୨-୩ ଦିନ ଭିତରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୧ରୁ ୧୩ ତାରିଖ ଭିତରେ ବର୍ଷା ବଢ଼ିବ ।
ସମ୍ଭାବ୍ୟ ଲଘୁଚାପ ଅବପାତ ହେବା ପରେ ଆହୁରି ଅଧିକ ଘନୀଭୂତ ହେବ କି ନାହିଁ, ବାତ୍ୟା ରୂପ ନେବ କି ନାହିଁ, ଏବେଠାରୁ ଆକଳନ କରିବା ସହଜ ନୁହେଁ । ସବୁ କିଛି ନିର୍ଭର କରୁଛି ସେତେବେଳର ପାଣିପାଗ ଉପରେ । ଯଦି ସେତେବେଳେ ସମୁଦ୍ର ପତ୍ତନର ତାପମାତ୍ରା ଅଧିକ ଥିବ, ତେବେ ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଅକ୍ଟୋବର ଆସିଲେ ସାଧାରଣତଃ ଓଡ଼ିଶା ଉପକୂଳକୁ ବାତ୍ୟା ଭୟ ଘାରିଥାଏ । ସମ୍ଭାବ୍ୟ ଲଘୁଚାପ ଯେଉଁ ସମୟରେ ଆସୁଛି, ଅତୀତରେ ପ୍ରାୟତଃ ସେଇ ସମୟରେ ଫାଇଲିନ, ହୁଡ୍ହୁଡ୍ ଭଳି ଭୟାନକ ବାତ୍ୟା ଆସିଥିଲା । ସେପଟେ ବର୍ଷାକୁ ଦେଖି ଜିଲ୍ଲାପାଳ ମାନେ ସଜାଗ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ।
ସମ୍ଭାବ୍ୟ ଲଘୁଚାପ ନେଇ ପ୍ରଥମେ ପୂର୍ବାନୁମାନ କରିଥିବା କୃଷି ପାଣିପାଗବିତ୍ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୮ ତାରିଖରେ ଦକ୍ଷିଣ ମିଆଁମାର ଓ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାକି ୯ ତାରିଖରେ ଲଘୁଚାପ ରୂପ ନେବ। ଏହା ଉତ୍ତର-ପଶ୍ଚିମରେ ଗତି କରିବା ସହ ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ପରେ ଆନ୍ଧ୍ରର ଉତ୍ତର ଉପକୂଳ ଆଡ଼କୁ ମୁହାଁଇବ । ୧୨ରେ ଉପକୂଳ ଛୁଇଁଲା ପରେ ୧୩ରେ ଦୁର୍ବଳ ହୋଇଯିବ ।
ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ବର୍ଷା ହେବ । କଣାସଠାରୁ ଗୋପାଳପୁର ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଅଞ୍ଚଳ ଏବଂ ଗଜପତି ଓ ଅବିଭକ୍ତ କୋରାପୁଟରେ ଅଧିକ ବର୍ଷା ସମ୍ଭାବନା ଅଛି । ସାଧାରଣ ଭାବେ ମଧ୍ୟମ ଓ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ । ଏ ନେଇ ୭ ତାରିଖବେଳକୁ ସ୍ପଷ୍ଟ ଆକଳନ କରାଯାଇପାରିବ।
ବର୍ତ୍ତମାନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଉପକୂଳରେ ଥିବା ଲଘୁଚାପ ପ୍ରଭାବ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରହିବ । ଉତ୍ତର ଉପକୂଳ ଅଞ୍ଚଳରେ ୬ରୁ ବର୍ଷା କମିଯିବ । ହେଲେ ଆଭ୍ୟନ୍ତରୀଣ ଅଞ୍ଚଳରେ ୮ ଯାଏଁ ବର୍ଷା ଜାରି ରହିବ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ମଧ୍ୟ ୮ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ୧/୨ଟି ଜାଗାରେ ଭାରି ବର୍ଷା ହୋଇପାରେ ।
ଡକ୍ଟର ପଶୁପାଳକ କହିଛନ୍ତି, ରାଜ୍ୟରେ ଦକ୍ଷିଣ-ପଶ୍ଚିମ ଆଭ୍ୟନ୍ତରୀଣ ଜିଲ୍ଲାରେ ୧୦ ତାରିଖରେ ସ୍ୱାଭାବିକ ଭାବେ ମୌସୁମୀ ଫେରିଯାଏ। ସେହିପରି ଗଞ୍ଜାମରୁ ୧୪ ତାରିଖରେ ମୌସୁମୀ ବିଦାୟ ନେଇଥାଏ। କିନ୍ତୁ, ଏଥର ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ । ସମ୍ଭବତଃ ସପ୍ତାହରୁ ଅଧିକ ବିଳମ୍ବ ହୋଇପାରେ ।
ପାଣିପାଗ ବିଭାଗ କହିଛି, ବର୍ତ୍ତମାନର ଲଘୁଚାପ ପ୍ରଭାବରେ ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ରହିବ । କିନ୍ତୁ, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଅଧିକ ରହିବ । ସୋମବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉତ୍ତର ଓଡ଼ିଶାର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୁଳ, କେନ୍ଦୁଝର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ମଙ୍ଗଳବାର ମଧ୍ୟ ଏଭଳି ବର୍ଷା ଜାରି ରହିବ । ଏବେ ଉପକୂଳରେ ବର୍ଷା କମିବ, ହେଲେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ବର୍ଷା ହେବ ।
from Prameya News7 https://ift.tt/2GgGdM7

No comments: