ଲକ୍ଷ୍ନୌ: ପୁଣି ହାଥରସ୍ ଭଳି ଆଉ ଏକ ଛାତିଥରା ଘଟଣା ଏବେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ହାଥରସ୍ରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଓ ମୃତ୍ୟୁସହ ଲଢ଼ି ଶେଷରେ ସମ୍ପୃକ୍ତ ଯୁବତୀ ଜୀବନ ଯୁଦ୍ଧରେ ହାରିଯିବା ଘଟଣାକୁ ନେଇ ଦେଶବାସୀଙ୍କ ମଧ୍ୟରେ କ୍ରୋଧ ପ୍ରକାଶ ପାଇଛି। ଏବେ ଏମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ହାଥରସ୍ରୁ ୫୦୦ କି.ମି. ଦୂରରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।
୨୨ ବର୍ଷୀୟ ଦଳିତ ଯୁବତୀଙ୍କ ସହ ଦୁଷ୍କର୍ମ ଓ ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବତୀଙ୍କ ଘର ବଳରାମପୁରରେ। ଲକ୍ଷ୍ନୌ ସ୍ଥିତ ହସ୍ପିଟାଲ୍ ନେବା ବାଟରେ ତାଙ୍କର ମତ୍ୟୁ ହୋଇଛି। ଏହି ଘଟଣାରେ ପୋଲିସ୍ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଯୁବତୀଙ୍କ ମା’ ଅଭିଯୋଗ କରିଛନ୍ତି, ‘ମଙ୍ଗଳବାର ସକାଳେ କଲେଜରୁ ଆଡମିଶନ୍ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଝିଅଙ୍କୁ ଅପହରଣ କରାଯାଇଥିଲା। ଠିକ୍ ସମୟରେ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ହୋଇଥିଲା ଓ ପାଖାପାଖି ସନ୍ଧ୍ୟା ୭ଟା ସମୟରେ ସେ ଘରକୁ ଫେରିଥିଲେ।’
ଅଭିଯୁକ୍ତମାନେ ଯୁବତୀଙ୍କୁ ଏକ ଇ-ରିକ୍ସାରେ ବସାଇ ତାଙ୍କୁ ଘରକୁ ପଠାଇଥିଲେ ବୋଲି ସୂଚନା ମିଳିଛି।
କାନ୍ଦି କାନ୍ଦି ଯୁବତୀଙ୍କ ମା’ କହିଛନ୍ତି, ‘ଅଭିଯୁକ୍ତମାନେ ତାଙ୍କ ଝିଅକୁ ଇଞ୍ଜେକ୍ସନ ଦେଇଥିଲେ। ଫଳରେ ସେ ବେହୋସ ହୋଇପଡ଼ିଥିଲେ। ତା’ପରେ ସେମାନେ ତାଙ୍କ ଝିଅ ସହ ଦୁଷ୍କର୍ମ କରିଥିଲେ। ଏପରିକି ସେମାନେ ତା’ର ଗୋଡ଼ ମଧ୍ୟ ଭାଙ୍ଗି ଦେଇଛନ୍ତି। ଜଣେ ରିକ୍ସାବାଲା ଝିଅକୁ ଘରେ ଆଣି ଛାଡ଼ିଥିଲା। ଘରେ ପହଞ୍ଚିବା ପରେ ମୋ ଛୁଆ ନା ଠିକ୍ଭାବେ ଛିଡ଼ା ହୋଇପାରୁଥିଲା ନା କିଛି କହିପାରୁଥିଲା। ଶେଷରେ କାନ୍ଦି କାନ୍ଦି ମୋ ଝିଅ କହିଥିଲା, ମୋତେ ବଞ୍ଚାଅ, ମୁଁ ମରିବାକୁ ଚାହୁଁନି।
ପେଟରେ ବହୁତ ଜୋରରେ ଯନ୍ତ୍ରଣା ଅନୁଭବ କରିବାରୁ ଝିଅକୁ ଲକ୍ଷ୍ନୌ ସ୍ଥିତ ହସ୍ପିଟାଲ୍ ନିଆଯାଉଥିଲା। ହେଲେ ବଳରାମପୁର ସହର ନିକଟରେ ସେ ଆଖି ବୁଜି ଦେଇଥିଲା।
ପୋଲିସ୍ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ବୁଧବାର ଦିନ ଯୁବତୀଙ୍କ ଅନ୍ତିମସଂସ୍କାର ହୋଇଥିଲା। ଯୁବତୀଙ୍କ ହାତ ଓ ଗୋଡ଼ ଭଙ୍ଗା ଯାଇନଥିବା ପୋଷ୍ଟମର୍ଟମ୍ ରିପୋର୍ଟରୁ ସେମିତି କିଛି ଜଣାପଡ଼ି ନାହିଁ ବୋଲି ପୋଲିସ୍ କହିଛି। ଏହି ଘଟଣାରେ ପୋଲିସ୍ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
The post ହାଥରସ୍ ଘଟଣାର ପୁନରାବୃତ୍ତି: ୨୨ ବର୍ଷୀୟ ଛାତ୍ରୀଙ୍କୁ ଦୁଷ୍କର୍ମ appeared first on OTV Khabar..
from OTV Khabar. https://ift.tt/3n5E4mT
No comments: