ଭୁବନେଶ୍ୱର: କରୋନା ଭୟ ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ। ସେହିଭଳି ମୁକାବିଲା କରିବାକୁ ସରକାର ବି ସଜବାଜ ହୋଇଛନ୍ତି।
ହେଲେ ଗୋଟିଏ ପଟେ ଗୃହକାର୍ଯ୍ୟ, ଅନ୍ୟପଟେ କରୋନା ଭୟ ସମସ୍ତଙ୍କୁ ଘାରୁଛି । ଜଣଙ୍କ ପରେ ଜଣେ ବିଧାୟକ ଓ କର୍ମଚାରୀ କରୋନା ପଜିଟିଭ୍ ହେଉଥିବାରୁ ବଢ଼ିଛି ଚିନ୍ତା । ପରୀକ୍ଷଣର ପ୍ରଥମ ଦୁଇ ଦିନରେ ମୋଟ୍ ୧୪ ବିଧାୟକ ଓ ମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ସମୀର ଦାଶ, ପଦ୍ମିନୀ ଦିଆନ୍ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅଛନ୍ତି । ତେଣୁ କରୋନା ସଂକ୍ରମଣ ଯେଭଳି ଗୃହରେ ନ ବ୍ୟାପିବ ସେଥିପାଇଁ ପ୍ରତିଦିନ ବିଧାନସଭାକୁ ସାନିଟାଇଜ୍ କରାଯିବ।
ସମସ୍ତ ବିଧାୟକ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରି ବସିବେ। ବସିବା ସ୍ଥାନରେ ସାମ୍ନାପଟୁ ଲଗାଯାଇଛି ଗ୍ଲାସ ସିଲ୍ଡ଼। ଦର୍ଶକ ଗ୍ୟାଲେରି, ଭିଜିଟର୍ ଗ୍ୟାଲେରିରେ ବି ବିଧାୟକମାନେ ବସିବେ। ୬୦ ବର୍ଷରୁ ଅଧିକ ବୟସ୍କ ସଦସ୍ୟ ଘରେ କିମ୍ବା ଜିଲ୍ଲାପାଳଙ୍କ ଅଫିସ୍ ନଚେତ ଓକାକ୍ ବିଲଡିଂରେ ଭିସି ଜରିଆରେ ଗୃହ କାର୍ଯ୍ୟରେ ଭାଗନେଇ ପାରିବେ। ଏଥର ଅଧିବେଶନରେ ରହିଛି ମୋଟ୍ ୮ଟି କାର୍ଯ୍ୟ ଦିବସ। ତେବେ କୋଭିଡ୍ ସ୍ଥିତି ଲାଗି ପ୍ରଶ୍ନକାଳ ରହିବ ନାହି।
ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୋଟ ୧୬ଟି ବିଲ୍ ଗୃହରେ ଆଗତ ହେବ। ଏଥିରେ ୯ଟି ଅଧ୍ୟାଦେଶକୁ ବିଲ୍ ଆକାରରେ ଆଗତ କରାଯିବ ଓ ଅନ୍ୟ ୭ଟି ବିଲ ମଧ୍ୟ ଆସିବ।
ମହାମାରୀ (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ-୨୦୨୦,ଓଡ଼ିଶା ଆଡଭୋକେଟ ୱେଲଫେୟାର ଫଣ୍ଡ(ସଂଶୋଧନ) ଅଧ୍ୟାଦେଶ-୨୦୨୦, କୋର୍ଟ ଫି(ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ-୨୦୨୦, ଓଡ଼ିଶା ମ୍ୟୁନିସପାଲ ଲ’(ସଂଶୋଧନ) ଅଧ୍ୟାଦେଶ-୨୦୨୦, ଜିଏସଟି (ସଂଶୋଧନ) ଅଧ୍ୟାଦେଶ-୨୦୨୦, ଓଡ଼ିଶା କୃଷି ଉତ୍ପାଦ ଓ ପଶୁସମ୍ପଦ ଚାଷ ଓ ସେବା(ପ୍ରୋତ୍ସାହନ ଓ ସୁବିଧା) ଅଧ୍ୟାଦେଶ-୨୦୨୦, ଓଡ଼ିଶା ଏଗ୍ରିକଲଚାରାଲ ପ୍ରଡ୍ୟୁସ ଆଣ୍ଡ ଲାଇଭଷ୍ଟକ ମାର୍କେଟିଂ(ପ୍ରୋମୋସନ ଓ ଫେସିଲିସେନ) ଅଧ୍ୟାଦେଶ-୨୦୨୦, ଇଣ୍ଡଷ୍ଟ୍ରିଆଲ ଡିସପ୍ୟୁଟ୍(ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ-୨୦୨୦ ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଅଧ୍ୟାଦେଶ-୨୦୨୦ ଭଳି ୯ଟି ଅଧ୍ୟାଦେଶକୁ ରାଜ୍ୟ ସରକାର ବିଲ୍ ଆକାରରେ ବିଧାନସଭାରେ ଆଗତ କରିବାକୁ ଥିବାବେଳେ ଅନ୍ୟ ୭ଟି ବିଲ୍ ଯଥା ଓଡ଼ିଶା ମାରିଟାଇମ୍ ବୋର୍ଡ ବିଲ୍, ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍, ଓଡ଼ିଶା ସୋସାଇଟି ରେଜିଷ୍ଟ୍ରେସନ ସଂଶୋଧନ ବିଲ୍, ଓଡ଼ିଶା ପବ୍ଲିକ ଲାଇବ୍ରେରୀ ସଂଶୋଧନ ବିଲ୍ , ଇଡକୋ ସଂଶୋଧନ ବିଲ୍ , ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ଓ ଓଡ଼ିଶା ଲୋକାଲ ଫଣ୍ଡ ଅଡିଟ୍ ସଂଶୋଧନ ବିଲ୍ ବିଧାନସଭାରେ ଆଗତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।
ଏହି ଅଧିବେଶନ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଦୈନିକ ସାଢ଼େ ୪ଘଣ୍ଟା ଅଧିବେଶନ ବସିବ। କେବଳ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ନଚେତ୍ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ସମସ୍ତ ଦିନ ବିଧାନସଭା ଅଧିବେଶନ ଚାଲିବ। ଏହି ୮ଦିନିଆ ଅଧିବେଶନରେ କେବଳ ଅକ୍ଟୋବର ୬ତାରିଖଟି ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଆବଣ୍ଟନ କରାଯାଇଥିବାବେଳେ ଅନ୍ୟ ସମସ୍ତ ୭ଦିନ ଅଫିସିଆଲ ବିଜିନେସ୍ ରହିବ।
ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍ ଆସିବ ନାହିଁ। ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ,ମନ୍ତ୍ରୀ ଓ ବିଧାନସଭାର କର୍ମଚାରୀମାନଙ୍କର କରୋନା ପରୀକ୍ଷାକୁ ବାଚସ୍ପତି ବାଧ୍ୟତାମୂଳକ କରିବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଧାୟକଙ୍କ ବସିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି।
The post ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ appeared first on OTV Khabar..
from OTV Khabar. https://ift.tt/3jfLguc
No comments: