କରୋନାର ବିଚିତ୍ର ଚିତ୍ର : ଜୀବନ ଭୟରେ ଫେରିଥିଲେ, ଜୀବିକା ଚିନ୍ତାରେ ବାହୁଡ଼ୁଛନ୍ତି ଶ୍ରମିକ ; ଦାଦନ ଶ୍ରମିକଙ୍କୁ ଧରି ବାହୁଡ଼ି ଯାଉଛି ରାଜ୍ୟ ବାହାର ବସ୍ Kanak News

କନକ ବ୍ୟୁରୋ : ପୁଣି ଘାରିଛି ଜୀବିକା ଚିନ୍ତା । ମହାମାରୀ କରୋନା ନିଜର କାୟା ମେଲାଇ ଚାଲୁଥିବା ବେଳେ ଏବେ ୫ ମାସ ହେବ ଘରେ ବସିଛନ୍ତି ଶ୍ରମିକ । କିଭଳି ଚଳିବ ପରିବାର । ‌ନିଜର ଏବଂ ପରିବାର ପେଟକୁ ‌ଦାନା ଦେବାକୁ ପୁଣି ଜୀବନକୁ ବାଜି ଲଗାଉଛନ୍ତି । ଯେଉଁ କ‌ରୋନା ଭୟରେ ଘରମୁହାଁ ହୋଇଥିଲେ ଏବେ ସେହି କରୋନାକୁ ଖାତିର ନ କରି କାମ ପାଇଁ ବାହାର ରାଜ୍ୟକୁ ବାହୁଡ଼ୁଛନ୍ତି ।

କରୋନା ପାଇଁ ସାରା‌ ଦେଶ ମାର୍ଚ୍ଚ ୨୫ ତାରିଖରେ ଲକ ଡାଉନ ହୋଇଥିଲା । ଫଳରେ କାରଖାନା ଠାରୁ ଦୋକାନ ବଜାର ସବୁଠି ତାଲା ଝୁଲିଲା । ଖାଇବାକୁ ନପାଇ ଭୋକ ଉପାସରେ ପଡ଼ି ବସ,ଟ୍ରକ,ଟ୍ରେନ ଏପରିକି ପାଦରେ ଚାଲିଚାଲି ଶ୍ରମିକ ଘର ମୁହାଁ ହେଲେ । ବାଧ୍ୟ ହୋଇ ସରକାର ବସ ‌ ଓ ଟ୍ରେନ ଯୋଗେ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିଲେ । ଏହି ତାଲିକାରେ ଜିଲ୍ଲାର ଦଶରଥପୁର,ବରୀ ଓ ବିଂଝାରପୁର ବ୍ଲକରୁ ସର୍ବାଧିକ ଶ୍ରମିକ ଘରକୁ ଫେରିଲେ । କିନ୍ତୁ ଘରେ ଘରେ ବସି ଅର୍ଥ ନଥିବାରୁ ପୁଣି ଜୀବନକୁ ପାଣି ଛଡ଼ାଇ ଦାଦନ ଖଟିବାକୁ ମନବଳାଇଛନ୍ତି ଶ୍ରମିକ । ଜୀବନ ଭୟରେ ସିନା ଘରକୁ ପଳାଇ ଆସିଥିଲେ । ଏବେ ଅନ୍ୟ ରାଜ୍ୟରୁ ମାଲିକ ପଠାଇଥିବା ବସରେ ପୁଣି ଫେରି ଯାଉଛନ୍ତି କର୍ମକ୍ଷେତ୍ରକୁ । ତେବେ କିଏ ଓ କେଉଁ କମ୍ପାନିରୁ ବସ ଆସୁଛି ତାହାରି ଉପରେ ଜିଲ୍ଲା ପ୍ରଶାସନ କୌଣସି ସୂଚନା ରଖୁନଥିବା ବେଳେ ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ରଖି ନ ଥିବା ଶ୍ରମ ବିଭାଗ ପାଖରେ ଫେରି ଯିବାର କାରଣର କୌଣସି ସୂଚନା ନାହିଁ ।

ଦୈନିକ ତାମିଲନାଡୁ,କେରଳ ଓ ଆନ୍ଧ୍ର ପ୍ରଦେଶ ନମ୍ବର ଥିବା ଗାଡ଼ି ଯାଜପୁରକୁ ଆସୁଛି ଓ ଶ୍ରମିକକୁ ନିଜ ରାଜ୍ୟକୁ ନେଇ ଯାଉଛି । ତେବେ କରୋନା ସମୟରେ ଜିଲ୍ଲା ପ୍ରଶାସନ ତଥ୍ୟାନୁସାରେ ୨୫ ହଜାରରୁ ଉର୍ଦ୍ଧ ପ୍ରବାସୀ ନିଜ ଜିଲ୍ଲାକୁ ଫେରିଥିଲେ । ଯାହାକୁ ସରକାରୀ ପୋର୍ଟାଲରେ ୧୦ ୨୧୭ରେ ସୀମିତ ରଖାଯାଇଛି । ତେବେ ସେଥିରୁ ଦଶରଥପୁରରୁ ୨୪୫୦,ବିଂଝାରପୁରରୁ ୨୧୩୧,ବରୀରୁ ୨୭୦୦ ପ୍ରବାସୀ ରହିଥିଲେ । ତେବେ ସେଥିରୁ ପୁନର୍ବାର ଅଧିକାଂଶ ଲୋକ କର୍ମସ୍ଥଳୀକୁ ଚାଲି ଗଲେଣି । ଗୋଟିଏ ପଟେ ପୂର୍ବତନ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସମୟରେ ଫେରିଥିବା ପ୍ରବାସୀଙ୍କୁ ଯାଜପୁରରେ କାମ ଦିଆଯାଇ ଆତ୍ମନିଯୁକ୍ତିର କଥା ଉଠୁଥିବା ବେଳେ ଏବେ ଦୈନିକ ଜିଲ୍ଲାରୁ ମାଳମାଳ ବସ ଶ୍ରମିକ ବୋହିବାର ଚିତ୍ର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିର ଯୋଜନାର ଚଞ୍ଚକତାକୁ ପଦାରେ ପକାଇଛି। ତେବେ ଶ୍ରମିକ ଫେରିବା ଘଟଣା ସଂପର୍କରେ ଶ୍ରମ ବିଭାଗ ଅଧିକାରୀ ମତାମତ ଦେଇପାରିବେ ‌ନାହିଁ ବୋଲି କହିଛନ୍ତି ।



from Kanak News https://ift.tt/3cElOMA https://ift.tt/33bGGrl
କରୋନାର ବିଚିତ୍ର ଚିତ୍ର : ଜୀବନ ଭୟରେ ଫେରିଥିଲେ, ଜୀବିକା ଚିନ୍ତାରେ ବାହୁଡ଼ୁଛନ୍ତି ଶ୍ରମିକ ; ଦାଦନ ଶ୍ରମିକଙ୍କୁ ଧରି ବାହୁଡ଼ି ଯାଉଛି ରାଜ୍ୟ ବାହାର ବସ୍ Kanak News କରୋନାର ବିଚିତ୍ର ଚିତ୍ର : ଜୀବନ ଭୟରେ ଫେରିଥିଲେ, ଜୀବିକା ଚିନ୍ତାରେ ବାହୁଡ଼ୁଛନ୍ତି ଶ୍ରମିକ ; ଦାଦନ ଶ୍ରମିକଙ୍କୁ ଧରି ବାହୁଡ଼ି ଯାଉଛି ରାଜ୍ୟ ବାହାର ବସ୍ Kanak News Reviewed by SUBHENDU BARAL on September 28, 2020 Rating: 5

No comments:

Powered by Blogger.