ସତ୍ୟନଗରରେ ସ୍ୱର୍ଗଦ୍ୱାର ସ୍ଥିତି : ମଶାଣିରୁ ନିଆଁ ଲିଭୁନି ,ଦିନକୁ ହାରାହାରି ୨୦ ଶବସତ୍କାର ହେଉଛି Kanak News

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାରରେ କେବେ ନିଆଁ ଲିଭେନି ବୋଲି କୁହାଯାଏ। ଏହି ଉକ୍ତି ପଛର କାରଣ ହେଲା ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶବ ଦାହ ପାଇଁ ଆସେ। ରାତି ଦିନ ଶବଦାହ ଚାଲିଥାଏ। ଦିନକୁ ହାରାହାରି ୫୦ରୁ ଅଧିକ ଶବସତ୍କାର ଏଠାରେ ହୋଇଥାଏ। ଏହି ପରିସ୍ଥିତି ଏବେ ସତ୍ୟନଗର ଶ୍ମଶାନରେ ସୃଷ୍ଟି ହୋଇଛି। କରୋନା ମହାମାରୀରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କମିଯାଇଛି। କିନ୍ତୁ ସତ୍ୟନଗର ଶ୍ମଶାନରେ ବଢ଼ିଛି। ଦିନକୁ ହାରହାରି ୪/୫ ଶବଦାହ ହେଉଥିବା ଏହି ଶ୍ମଶାନରେ ଏବେ ୨୦ରୁ ଅଧିକ ହେଉଛି। ଏଥିରୁ ୯୦%ରୁ ଅଧିକ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ। ସ୍ଥିତି ଏପରି ହୋଇଛି ଯେ ସତ୍ୟନଗର ଶ୍ମଶାନରେ ନିଆଁ ଲିଭୁନି।

ପୁରୀ ସ୍ୱର୍ଗଦ୍ୱାରରେ କେବଳ ପୁରୀ ଜିଲ୍ଲାବାସୀଙ୍କର ଶବ ସତ୍କାର ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିବାରୁ ସତ୍ୟନଗର ଶ୍ମଶାନରେ ଅଧିକ ଶବଦାହ ହେଉଛି। ଖାସ୍‌କରି କରୋନାରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ଶବଦାହ ପାଇଁ ଏହି ଶ୍ମଶାନ ଏବେ ସାରା ରାଜ୍ୟରେ ପରିଚିତ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ମାସରୁ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ମିଶାଇ ଏଠାରେ ୯୦୦ରୁ ଅଧିକ ଲୋକଙ୍କର ଶବଦାହ ହେଲାଣି। ରାଜ୍ୟରେ ୬୩୭ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଏହାର ଦେଢ଼ଗୁଣା ଆକ୍ରାନ୍ତ/ସନ୍ଦିଗ୍ଧଙ୍କର ଶବ ସତ୍କାର ସରିଲାଣି। ଏପରିକି ଅଧିକାଂଶ ସମୟରେ ଦିନକୁ ୨୦ରୁ ୨୨ଜଣଙ୍କର ଶବ ସତ୍କାର ହେଉଥିବା ବେଳେ ରାତି ୨ଟା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଶବଦାହ ହେଉଛି। ଜୁଇ ନଲିଭୁଣୁ ଆଉ ଏକ ଶବ ଲଦି ଦାହ କରିବା ପରିସ୍ଥିତି ବେଳେବେଳେ ଉପୁଜୁଛି। ବିଦ୍ୟୁତ ଚୁଲା ଖରାପ ହୋଇଯାଇଥିବାରୁ ସବୁ ଶବ କାଠରେ ପୋଡ଼ାଯାଉଛି। କିନ୍ତୁ କୌଣସି ଶବକୁ ଯେପରି ଅସମ୍ମାନ ନହେବ ଏବଂ ଆବଶ୍ୟକୀୟ ବିଧି ଅନୁସାରେ ଦାହ ହେବ ସେନେଇ ବିଏମ୍‌ସି ପକ୍ଷରୁ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି।

ରାଜଧାନୀର ୫ଟି କୋଭିଡ୍‌ ହସ୍ପିଟାଲ ସମେତ ଏମ୍‌ସ କୋଭିଡ୍‌ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁବରଣ କରୁଥିବା କରୋନା ଆକ୍ରାନ୍ତଙ୍କର ଶବ ସତ୍କାର ଏଠାରେ କରାଯାଉଛି। ଏହି ସବୁ ହସ୍ପିଟାଲକୁ ବିଭିନ୍ନ ଜିଲ୍ଲାର ଗୁରୁତର ରୋଗୀ ଆସୁଥିବାବେଳେ ସେମାନଙ୍କର ଏଠାରେ ମୃତ୍ୟୁ ହେଲେ ସତ୍ୟନଗର ଶ୍ମଶାନରେ ହିଁ ଶବସତ୍କାର ହେଉଛି। ତେଣୁ ବିଏମ୍‌ସି ପକ୍ଷରୁ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ କରୋନା ପରିଚାଳନା ନେଇ ବିଏମ୍‌ସି ଯେଉଁଭଳି ପ୍ରଶଂସନୀୟ କାମ କରୁଛି ଶବ ସତ୍କାରରେ ବି ସେମିତି କାମ କରୁଛି। ବିଏମ୍‌ସି ପାଇଁ ଏହି କାମ ସଂପୂର୍ଣ୍ଣ ନୂଆ ହୋଇଥିଲେ ବି ଯେପରି ଶବ ସତ୍କାରରେ କୌଣସି ପ୍ରକାରର ସମସ୍ୟା ନଉପୁଜେ ଏବଂ ଏହିଭଳି ଦୁଃଖଦ ପରିସ୍ଥିତିରେ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କୁ କୌଣସି ପ୍ରକାର ଆଘାତ ନପହଞ୍ଚେ ସେନେଇ ବିଏମ୍‌ସିର ତିନିଟି ଟିମ୍‌ କାମ କରୁଛି।

ରାଜଧାନୀରେ ମୃତ୍ୟୁବରଣ କରୁଥିବା କରୋନା ଆକ୍ରାନ୍ତ/ସନ୍ଦିଗ୍ଧଙ୍କ ଶବଦାହ କରିବା ଦାୟିତ୍ବ ବିଏମ୍‌ସିର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର ଓ ତାଙ୍କ ଟିମ୍‌କୁ ଦିଆଯାଇଛି। ତାଙ୍କ ନେତୃତ୍ୱରେ ତିନିଟି ଟିମ୍‌ ଗଠନ ହୋଇଛି। ଯେଉଁମାନେ କୋଭିଡ୍ ହସ୍ପିଟାଲ ଓ ଅନ୍ୟ ହସ୍ପିଟାଲରେ ମୃତ୍ୟୁବରଣ କରୁଥିବା କରୋନା ଆକ୍ରାନ୍ତଙ୍କ ମୃତଦେହ ହସ୍ପିଟାଲରୁ ଗ୍ରହଣ କରି ଆମ୍ବୁଲାନ୍ସରେ ସତ୍ୟନଗର ଶ୍ମଶାନକୁ ଆଣୁଛନ୍ତି। ସେଠାରେ ମଶାଣି କର୍ମଚାରୀମାନେ ଶବଦାହ କରୁଛନ୍ତି। ଏହିପରି ୨୫ରୁ ଅଧିକ କର୍ମଚାରୀ ଶବଦାହ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। ମାର୍ଚ୍ଚରୁ ଜୁଲାଇ ମାସ ପର୍ଯ୍ୟନ୍ତ ଗୋଟିଏ ଟିମ୍‌ରେ ୫ଜଣ ଶବ ସତ୍କାର କାର୍ଯ୍ୟ କରୁଥିବାବେଳେ ଅଗଷ୍ଟରୁ ତିନିଟି ଟିମ୍‌ ଏଥିପାଇଁ ନିୟୋଜିତ ହୋଇଛନ୍ତି।



from Kanak News https://ift.tt/32s2NcO https://ift.tt/3bYUFDD

ସତ୍ୟନଗରରେ ସ୍ୱର୍ଗଦ୍ୱାର ସ୍ଥିତି : ମଶାଣିରୁ ନିଆଁ ଲିଭୁନି ,ଦିନକୁ ହାରାହାରି ୨୦ ଶବସତ୍କାର ହେଉଛି Kanak News ସତ୍ୟନଗରରେ ସ୍ୱର୍ଗଦ୍ୱାର ସ୍ଥିତି : ମଶାଣିରୁ ନିଆଁ ଲିଭୁନି ,ଦିନକୁ ହାରାହାରି ୨୦ ଶବସତ୍କାର ହେଉଛି Kanak News Reviewed by SUBHENDU BARAL on September 14, 2020 Rating: 5

No comments:

Powered by Blogger.