
କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦେଶୀ ଭାଲୁଙ୍କ ସଂକ୍ରମଣ ଚିନ୍ତା ବଢ଼ିଛି। ସାଢ଼େ ସାତ ବର୍ଷର ଦେଶୀ ଭାଲୁ ‘ଦେବାଶିଷ’ ମୃତ୍ୟୁର ବାରଘଣ୍ଟା ପରେ ୨୭ ବର୍ଷୀୟା ମାଈ ଭାଲୁ ‘ଆରତି’ର ସଂକ୍ରମଣରେ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆରତିର ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆରତିକୁ ୨୦୧୩ ମସିହା ସେପ୍ଟେମ୍ବର ୧୩ ତାରିଖରେ ରାଞ୍ଚିରୁ ଅଣାଯାଇଥିଲା। ତାକୁ ସେତେବେଳେ ୨୦ ବର୍ଷ ହୋଇଥିଲା।
ଏହାର ମୃତ୍ୟୁ ପରେ ଓୟୁଏଟିରୁ ପ୍ରଫେସର ଡ. ନିରଞ୍ଜନ ସାହୁ ନନ୍ଦନକାନନକୁ ଆସି ଶବ ବ୍ୟବଚ୍ଛେଦ କରିଛନ୍ତି। ଶବ ବ୍ୟବଚ୍ଛେଦ ବେଳେ ଦେବାଶିଷ ଭଳି ଆରତି ଠାରେ ମଧ୍ୟ ସମାନ ଭୂତାଣୁ ଜନିତ ଅନ୍ତଃନଳୀ ସଂକ୍ରମଣ ହେତୁ ରକ୍ତସ୍ରାବ ଲକ୍ଷଣ ଦେଖିବାକୁ ମିଳିଥିବା ଅଧିକାରୀ ସୂଚନା ଦେଇଛନ୍ତି। ଦୁଇଟି ଭାଲୁଙ୍କର ସଂକ୍ରମଣରେ ମୃତ୍ୟୁ ପରେ ଏବେ ପୁଣି ଏକ ଆଠ ବର୍ଷର ଦେଶୀ ଭାଲୁ ‘ଲିଜା’ ସଂକ୍ରମିତ ହୋଇ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆଇସିୟୁରେ ଚିକିତ୍ସାଧୀନ ଅଛି। ଲିଜାକୁ ଦୁଇ ବର୍ଷ ହୋଇଥିବା ବେଳେ ୨୦୧୪ ମସିହା ମାର୍ଚ୍ଚ ୨୯ ତାରିଖରେ ଖଲ୍ଲିକୋଟରୁ ଉଦ୍ଧାର କରି ନନ୍ଦନକାନନ ଅଣାଯାଇଥିଲା।
ଏବେ ତା’ର ଚିକିତ୍ସା ଚାଲିଥିବା ବେଳେ ପୁଣି ଖୁଆଡ଼ ମଧ୍ୟରେ ଗୋଟିଏ ଓ ସଫାରି ମଧ୍ୟରେ ଗୋଟିଏ ଭାଲୁ ଦେହରେ ସଂକ୍ରମଣର ଲକ୍ଷଣ ଦେଖାଯାଇଛି। ସେମାନେ ଅନ୍ୟ ସଂକ୍ରମିତଙ୍କ ଭଳି ଥରିବା ଆରମ୍ଭ କରିଛନ୍ତି। ସେମାନଙ୍କର ଚିକିତ୍ସା ଆରମ୍ଭ କରାଯାଇଛି। ନନ୍ଦନକାନନର ସମସ୍ତ ୧୦ଟି ଅଣ୍ଡିରା ଓ ୫ଟି ମାଈଙ୍କୁ ମିଶାଇ ମୋଟ ୧୫ଟି ଦେଶୀ ଭାଲୁଙ୍କୁ ଅଗୁଆ ପଦକ୍ଷେପ ସ୍ବରୂପ ରୋଗ ପ୍ରତିଷେଧକ ଟିକା ଦିଆଯାଇଛି। ଦେଶୀ ଭାଲୁଙ୍କ ସଂକ୍ରମଣ ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି।
from Kanak News https://ift.tt/3mzcEWn https://ift.tt/2FKHXMQ
No comments: