କ୍ରିକେଟ୍ କୁରୁକ୍ଷେତ୍ର: ଆଜି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ; କୋହଲିଙ୍କ ପ୍ରତୀକ୍ଷିତ ‘ପ୍ରଥମ ଆଇପିଏଲ୍ ଟ୍ରଫି’ ଅଭିଯାନ ଆଜିଠୁ Kanak News

କନକ ବ୍ୟୁରୋ: ଅଧିନାୟକ ଭାବେ ବିରାଟ କୋହଲି ଭାରତୀୟ କ୍ରିକେଟ୍ ପାଇଁ ଅନେକ ଅନନ୍ୟ ଓ ବିରଳ ସଫଳତା ଅର୍ଜନ କରିଛନ୍ତି। ହେଲେ ଗୋଟିଏ ବି ଆଇପିଏଲ୍ ଟ୍ରଫି ଜିତିବାର ସୌଭାଗ୍ୟ ତାଙ୍କ ଭାଗ୍ୟରେ ଆଜି ପର୍ଯ୍ୟନ୍ତ ଜୁଟିନାହିଁ। ୨୦୧୧ ମସିହାଠାରୁ ରୟାଲ ଚାଲେଞ୍ଜର୍ସ ଦଳର ନେତୃତ୍ବ ନେଇ ଅସୁଥିବା କୋହଲି ଏପର୍ଯ୍ୟନ୍ତ ନିଜକୁ ଆଇପିଏଲ୍ ଟ୍ରଫି ଜିତିଥିବା ଅଧିନାୟକଙ୍କ ମଧ୍ୟରେ ନିଜକୁ ସାମିଲ କରି ପାରିନାହାନ୍ତି। ୟୁଏଇରେ ସଂପ୍ରତି ଖେଳାଯାଉଥିବା ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣରେ ତାଙ୍କର ଏହି ଦୀର୍ଘ ଦିନର ଆଶା ପୂରଣ ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କୋହଲିଙ୍କ ଏହି ବହୁ ପ୍ରତୀକ୍ଷିତ ‘ପ୍ରଥମ ଆଇପିଏଲ୍ ଟ୍ରଫି’ ବିଜୟ ଅଭିଯାନ ଆଜିଠାରୁ ଆରମ୍ଭ ହେବ। ତାଙ୍କ ନେତୃତ୍ବାଧୀନ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଚଳିତ ସଂସ୍କରଣରେ ଉଭୟ ଦଳର ଏହା ପ୍ରଥମ ମ୍ୟାଚ୍ ହେବ। କୋହଲିଙ୍କ ପାଖରେ ତାରକା ଖେଳାଳିଙ୍କ ଅଭାବ ନଥିଲେ ମଧ୍ୟ ସ୍ଥିର ପ୍ରଦର୍ଶନ ଦେଇ ଆସୁଥିବା ସନଇାଇଜର୍ସ ହାଇଦ୍ରାବାଦ ବି କୌଣସି ଗୁଣରେ କମ୍ ନୁହେଁ।

ଅଧିନାୟକ ତଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନରଙ୍କ ନେତୃତ୍ବରେ ଏହି ଦଳ ଆଇପିଏଲ୍ ଟ୍ରଫି ଜିତି ସାରିଛି। ଚଳିତ ବର୍ଷ ନୂଆ ସ୍ଥାନ, ନୂତନ ପରିବେଶ ତଥା କୋଭିଡ୍-୧୯ କଟକଣାରେ ରାଇଜର୍ସ ପୁଣି ଥରେ ତା’ର ମୁକୁଟ ବିଜୟ ଅଭିଯାନ ବିଜୟରୁ ହିଁ ଆରମ୍ଭ କରିବାକୁ ନିଶ୍ଚିତ ଚାହିବ। ବ୍ୟକ୍ତିଗତ ଭାବେ ୱାର୍ନର ତିନି ଥର ସର୍ବାଧିକ ରନ୍ ସଂଗ୍ରହକାରୀ ଭାବେ ନାରଙ୍ଗୀ ଟୋପି ଜିତି ସାରିଛନ୍ତି। ଆଇପିଏଲରେ କୋହଲିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର। ହେଲେ ଗତଥର ତାଙ୍କ ଦଳ ୧୪ରୁ ମାତ୍ର ୫ ମ୍ୟାଚ୍ ଜିତି ଶେଷ ସ୍ଥାନରେ ରହିଥିଲା। ଏଥିପାଇଁ ହୁଏତ ଆରସିବି ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଅତିରିକ୍ତ ଚାପରେ ରହିବ। ଅଷ୍ଟ୍ରେଲିଆର ସୀମିତ ଓଭର ଅଧିନାୟକ ଆରୋନ୍ ଫିଞ୍ଚଙ୍କ ଯୋଗଦାନ ପରେ ଆରସିବି ବ୍ୟାଟିଂ ବାହିନୀ ଅବଶ୍ୟ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇଛି। ଅବଶ୍ୟ ବୋଲିଂ ପୁଣି ଥରେ ଏହି ଦଳ ପାଇଁ ଚିନ୍ତାର କାରଣ ହୋଇପାରେ।

ୱାର୍ନର, ଜନି ବେୟାରଷ୍ଟୋ, କେନ୍ ୱିଲିୟମସନ୍, ମନୀଷ ପାଣ୍ଡେଙ୍କ ସହ ସନରାଇଜର୍ସ ହାଇଦ୍ରାବାଦ ଏଥର ବିରାଟ ସିଂହ, ଅଭିଷେକ ବର୍ମା, ପ୍ରିୟମ ଗର୍ଗ ଓ ଅବଦୁଲ ସମଦଙ୍କ ଭଳି ଯୁବ ଖେଳାଳିଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଭୁବନେଶ୍ବର କୁମାର, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ ଓ ବାସିଲ ଥମ୍ପିଙ୍କ ରୂପରେ ସନରାଇଜର୍ସର ବୋଲିଂ ବାହିନୀ ଏକପ୍ରକାର ଅପରିବର୍ତ୍ତିତ ରହିଛି। ଆଫଗାନିସ୍ତାନର ଶୀର୍ଷ ସ୍ତରୀୟ ଟ୍ବେଣ୍ଟି-୨୦ ସ୍ପିନର ରସିଦ ଖାନ୍ ଓ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଅଲରାଉଣ୍ଡର ମହମ୍ମଦ ନବି ମଧ୍ୟ ଆରସିବିକୁ ଅଡ଼ୁଆରେ ପକାଇବାର ଦକ୍ଷତା ରଖନ୍ତି। ନବି ନିକଟରେ ଶେଷ ହୋଇଥିବା କାରବୀୟ ପ୍ରିମିୟର ଲିଗରେ ଚମତ୍କାର ପ୍ରଦର୍ଶନ କରି ୟୁଏଇ ଆସିଛନ୍ତି। ସନରାଇଜର୍ସ ପାଖରେ ଶାହାବାଜ ନଦୀମଙ୍କ ରୂପରେ ଜଣେ ଭଲ ବାମହାତୀ ସ୍ପିନର ମଧ୍ୟ ଅଛନ୍ତି।

ଆରସିବି ପାଖରେ ମଧ୍ୟ ୟୁଜବେନ୍ଦ୍ର ଚହଲ, ୱାସିଂଟନ ସୁନ୍ଦର, ପବନ ନେଗି, ଆଦାମ ଜାମ୍ପା ଓ ମୋଇନ ଅଲ୍ଲୀଙ୍କ ଭଳି ସ୍ପିନର ଓ ଅଲରାଉଣ୍ଡର ଅଛନ୍ତି। ଶେଷ ଓଭର ବୋଲିଂ କରିବାରେ ଥିବା ଦୁର୍ବଳତା ଦୂର କରିବା ଲାଗି ଆରସିବି ମଧ୍ୟ ଏଥର ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍ ମୋରିସ୍ଙ୍କୁ ନିଜ ଦଳରେ ସାମିଲ କରିଛି। ବ୍ୟାଟିଂରେ ଆରସିବି ପାଖରେ କୋହଲିଙ୍କ ସହ ଏବି ଡି’ଭିଲିୟର୍ସ, ପାର୍ଥିବ ପଟେଲ, ଶିଭମ ଦୁବେ ଓ ଫିଞ୍ଚଙ୍କ ଭଳି ଖେଳାଳି ଅଛନ୍ତି। ସନରାଇଜର୍ସ ଇଂଲଣ୍ଡର ବିଶ୍ବକପ୍ ବିଜୟୀ ପ୍ରଶିକ୍ଷକ ଟ୍ରେଭର୍ ବେଲିସଙ୍କୁ ନିଜର ପ୍ରଶିକ୍ଷକ ନିଯୁକ୍ତ କରିଛି। ଆରସିବି ସାଇମନ କାଟିଚଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଛି।



from Kanak News https://ift.tt/3iVcqXq https://ift.tt/3hIlNYY
କ୍ରିକେଟ୍ କୁରୁକ୍ଷେତ୍ର: ଆଜି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ; କୋହଲିଙ୍କ ପ୍ରତୀକ୍ଷିତ ‘ପ୍ରଥମ ଆଇପିଏଲ୍ ଟ୍ରଫି’ ଅଭିଯାନ ଆଜିଠୁ Kanak News କ୍ରିକେଟ୍ କୁରୁକ୍ଷେତ୍ର: ଆଜି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ; କୋହଲିଙ୍କ ପ୍ରତୀକ୍ଷିତ ‘ପ୍ରଥମ ଆଇପିଏଲ୍ ଟ୍ରଫି’ ଅଭିଯାନ ଆଜିଠୁ Kanak News Reviewed by SUBHENDU BARAL on September 20, 2020 Rating: 5

No comments:

Powered by Blogger.