ସଂସଦରେ ତିନି ବିଲ୍‌ ପାସ୍: କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେବା ବାଧ୍ୟତାମୂଳକ ; ବର୍ଷକୁ ଥରେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ Kanak News

କନକ ବ୍ୟୁରୋ : ରାଜ୍ୟସଭାରେ ଆଜି ତିନି ଶ୍ରମ କୋଡ୍ ବିଲ୍‌ ଗୃହୀତ ହୋଇଛି। ଗତକାଲି ଲୋକସଭାରେ ଏହି ତିନି ବିଲ୍ ପାସ୍ ହୋଇଥିଲା। ରାଜ୍ୟସଭାର ଅନୁମୋଦନ ମିଳିଥିବାରୁ ଏଗୁଡ଼ିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯିବ। ରାଷ୍ଟ୍ରପତି ସ୍ବାକ୍ଷର କରିବା ପରେ ତାହା ଆଇନରେ ପରିଣତ ହେବ। ସରକାରଙ୍କ ମତରେ ଏହି ତିନି ଶ୍ରମ କୋଡ୍‌ ବିିଲ୍‌ ଶ୍ରମ କ୍ଷେତ୍ରରେ ବଡ଼ ଧରଣର ସୁଧାର ଆଣିବ। ରାଜ୍ୟସଭାରେ ଆଜି ବୃତ୍ତିଗତ ନିରାପତ୍ତା, ସ୍ବାସ୍ଥ୍ୟ ଓ କାର୍ଯ୍ୟସ୍ଥଳ ସ୍ଥିତି ବିଲ୍‌-୨୦୨୦, ଶିଳ୍ପ ସମ୍ପର୍କ ବିଲ୍‌-୨୦୨୦ ଓ ସାମାଜିକ ସୁରକ୍ଷା ବିଲ୍‌-୨୦୨୦ ଗୃହୀତ ହୋଇଛି। ନୂଆ ଶ୍ରମ ନୀତି ଯୋଗୁଁ ଦେଶର ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଲାଭବାନ ହେବେ। ଶ୍ରମିକମାନଙ୍କ ପାଇଁ ପେନ୍‌ସନ୍ ଓ ମେଡିକାଲ୍ ସୁବିଧାର ବ୍ୟବସ୍ଥା କରାଯାଇଛି। କଂପାନିଗୁଡ଼ିକୁ ମଧ୍ୟ ପୂର୍ବାପେକ୍ଷା ଅଧିକ ଅଧିକାର ପ୍ରଦାନ କରାଯାଇଛି। କର୍ମଚାରୀଙ୍କୁ ଚାକିରିରେ ରଖିବା ଏବଂ ବାହାର କରିବା ଅଧିକ ସହଜ ହେବ। ସମସ୍ତ ଶ୍ରମିକଙ୍କୁ ନିଯୁକ୍ତିପତ୍ର ଦେବା ବାଧ୍ୟତାମୂଳକ କରାଯାଇଛି। ବେତନକୁ ଡିଜିଟାଲ୍‌ ମାଧ୍ୟମରେ ଦେବାକୁ ପଡ଼ିବ। ପ୍ରତିବର୍ଷ ଅତି କମ୍‌ରେ ଥରେ ଲେଖାଏଁ ସମସ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ପଡ଼ିବ।

ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ୟ୍ୟସ୍ଥଳ ସ୍ଥିତି ବିଲ୍-୨୦୨୦

ଅଧିକ ଲୋକଙ୍କୁ ଚୁକ୍ତି ଭିତ୍ତିକ ଶ୍ରମିକ ଭାବେ ନିଯୁକ୍ତ କରିବା ଲାଗି ଏହି ବିଲ୍‌ କଂପାନିଗୁଡ଼ିକୁ ଅନୁମତି ଦେଉଛି। ଚୁକ୍ତିର ସମୟ ଯେତେ ଥର ଚାହିଲେ କଂପାନି ବଢ଼ାଇପାରିବ। ‌କୌଣସି କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ କର୍ମଚାରୀରେ ପରିଣତ କରିବା ଊପରେ ଯେଉଁ ପ୍ରତିବନ୍ଧକ ରହିଥିଲା ତାହାକୁ ଏହି ବିଲ୍ ମାଧ୍ୟମରେ ହଟାଇ ଦିଆଯାଇଛି। ମହିଳାମାନଙ୍କ ପାଇଁ କାମ କରିବାର ସମୟ ସକାଳ ୬ଟାରୁ ସନ୍ଧ୍ୟା ୭ଟା ଭିତରେ ରହିବ। ସନ୍ଧ୍ୟା ସାତଟା ପରେ ଯେଉଁ କଂପାନି ମହିଳା କର୍ମଚାରୀଙ୍କ ଜରିଆରେ କାମ କରାଉଥିବ ସେମାନଙ୍କ ସୁରକ୍ଷାର ଦାୟିତ୍ବ ସେହି କଂପାନିକୁ ନେବାକୁ ପଡ଼ିବ। କୌଣସି କର୍ମଚାରୀ ସପ୍ତାହକୁ ୬ ଦିନରୁ ଅଧିକ କାମ କରିବେ ନାହିଁ। ଓଭରଟାଇମ୍ ପାଇଁ ଅଧିକ ପେମେଣ୍ଟ୍‌ ଦେବାକୁ ପଡ଼ିବ। ନିଯୁକ୍ତିପତ୍ର ବିନା କୌଣସି କର୍ମଚାରୀଙ୍କୁ ନିଯୁକ୍ତ କରାଯାଇପାରିବ ନାହିଁ।

ଶିଳ୍ପ ସମ୍ପର୍କ ବିଲ୍‌-୨୦୨୦
ଏହି ବିଲ୍‌ ଜରିଆରେ କଂପାନିଗୁଡ଼ିକ ଦିଆଯାଇଥିବା କ୍ଷମତାଗୁଡ଼ିକର ପରିସର ବୃଦ୍ଧି କରାଯାଇଛି। ଯେଉଁ କଂପାନିଗୁଡ଼ିକରେ କର୍ମଚାରୀଙ୍କ ସଂଖ୍ୟା ୩୦୦ରୁ କମ୍ ସେମାନେ ସରକାରଙ୍କ ବିନା ଅନୁମତିରେ କର୍ମଚାରୀ ଛଟେଇ କରିପାରିବେ। ପୂର୍ବରୁ ୧୦୦ରୁ କମ୍ କର୍ମଚାରୀ ରଖିଥିବା ସଂସ୍ଥାଗୁଡ଼ିକୁ ଏହି ସୁବିଧା ଦିଆଯାଇଥିଲା। ‌ତେବେ ପୂର୍ବ ୧୨ ମାସ ଭିତରେ ଯେଉଁ କଂପାନିଗୁଡ଼ିକର ହାରାହାରି କର୍ମଚାରୀ ସଂଖ୍ୟା ୩୦୦ ରହିଥିବ କେବଳ ସେମାନଙ୍କୁ ଛଟେଇର ଅନୁମତି ଦିଆଯିବ। ସରକାର ବିଜ୍ଞପ୍ତି ଜାରି କରି ଏହି ସର୍ବନିମ୍ନ ସୀମାକୁ ବଢ଼ାଇ ମଧ୍ୟ ପାରିବେ। ନୂଆ ନିୟମ ଅନୁସାରେ କଂପାନି କିମ୍ବା କାରଖାନାରେ କାମ କରୁଥିବା କର୍ମଚାରୀମାନଙ୍କୁ ଦଣ୍ଡ ଦେବା, ବାହାର କରିବା, ପଦୋନ୍ନତିରେ ପକ୍ଷପାତିତା ଆଦି ନିୟମ ସମ୍ପୂର୍ଣ୍ଣ ରୂପେ କଂପାନି ସପକ୍ଷରେ ରହିବ।

ସାମାଜିକ ନିରାପତ୍ତା ବିଲ୍‌-୨୦୨୦
ଏହି ବିଲ୍‌ରେ ଏକ ଜାତୀୟ ସାମାଜିକ ସୁରକ୍ଷା ବୋର୍ଡ ଗଠନ କରିବାର ପ୍ରସ୍ତାବ ରହିଛି। ସେହି ବୋର୍ଡ ଅଣ ସଂଗଠିତ କ୍ଷେତ୍ରର କର୍ମଚାରୀ, ଗିଗ୍‌ ୱାର୍କର ଓ ପ୍ଲାଟଫର୍ମ ୱାର୍କର୍‌ମାନଙ୍କ ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ଦାୟିତ୍ବରେ ରହିବ। ଜୀବନ ଓ ଭିନ୍ନକ୍ଷମ ବୀମା, ଭବିଷ୍ୟନିଧି ପାଣ୍ଠି, ସ୍ବାସ୍ଥ୍ୟ ଓ ମାତୃତ୍ବ ଲାଭ ଏବଂ କୌଶଳ ବିକାଶ ଯୋଜନା ଆଦି ପ୍ରସ୍ତୁତ କରିବା କାର୍ଯ୍ୟ ବୋର୍ଡ କରିବ। ଶ୍ରମିକମାନଙ୍କ ସମସ୍ତ ତିନିଟି ବର୍ଗକୁ ସାମାଜିକ ସୁରକ୍ଷା ରାଶି ଦେବା ଲାଗି ଏକ ସାମାଜିକ ସୁରକ୍ଷା ପାଣ୍ଠି ଗଠନ କରିବାର ପ୍ରସ୍ତାବ ରହିଛି।



from Kanak News https://ift.tt/361T3bf https://ift.tt/361aSr9
ସଂସଦରେ ତିନି ବିଲ୍‌ ପାସ୍: କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେବା ବାଧ୍ୟତାମୂଳକ ; ବର୍ଷକୁ ଥରେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ Kanak News ସଂସଦରେ ତିନି ବିଲ୍‌ ପାସ୍: କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେବା ବାଧ୍ୟତାମୂଳକ ; ବର୍ଷକୁ ଥରେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ Kanak News Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.