ଆଶଙ୍କାରେ ପିଜି ପ୍ରବେଶିକା ପରୀକ୍ଷା : ମାଡ଼ିଚାଲିଛି କରୋନା, ଚିନ୍ତାରେ ଛାତ୍ରଛାତ୍ରୀ Kanak News

କନକ ବ୍ୟୁରୋ : ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ପିଜି(ସ୍ନାତକୋତ୍ତର) ପାଠ୍ୟକ୍ରମରେ ନାମଲେଖା ଲାଗି ଅକ୍ଟୋବର ୧୦ରୁ ୧୯ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଚାଲିଥିବା ‌ବେଳେ ପରୀକ୍ଷାକୁ ନେଇ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବେ ଆଶଙ୍କାରେ ରହିଛନ୍ତି। କେ‌ମିତି ଓ କିଭଳି ସୁରକ୍ଷିତ ଭାବେ ପରୀକ୍ଷା ଦେବେ ତାହାକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି। କାରଣ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହଲ୍‌ରେ ବସି ପରୀକ୍ଷା ଦେବା ସମ୍ଭବପର ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି। ଏମିତିକି ଭୁବନେଶ୍ବର ଓ କଟକ ସହରରେ ଏବେ କରୋନା ଉପରମୁହାଁ ରହିଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କୋଭିଡ୍‌-୧୯ ପରି ମହାମାରୀ ସମୟରେ ଅଫ୍‌ଲାଇନ୍‌ ବଦଳରେ ଅନ୍ୟ କୌଣସି ବିକଳ୍ପ ମାଧ୍ୟମରେ ନାମଲେଖା କରାଇବାକୁ ସେମାନେ ଦାବି କରିଛନ୍ତି।

କୋଭିଡ୍‌-୧୯ ସମୟରେ ନୂତନ ଢାଞ୍ଚା ଲାଗୁ କରିବାକୁ ବି କେତେଜଣ ଶିକ୍ଷାବିତ୍‌ ନାପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ସ୍ନାତକ(ଯୁକ୍ତ୩) ଶେଷ ବର୍ଷ ପରୀକ୍ଷା ଫଳ ବାହାରି ନ ଥିବାରୁ ଛାତ୍ରଛାତ୍ରୀ ମାନସିକ ଚିନ୍ତାରେ ଅଛନ୍ତି। ସେମାନଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ତା’ପରେ ପୁଣି ଏକ ନୂଆ ବ୍ୟବସ୍ଥା ମାଧ୍ୟମରେ ନାମଲେଖା କରାଇବା ଠିକ୍‌ ହେଉ ନାହିଁ। ନୂତନ ବ୍ୟବସ୍ଥା ଲାଗୁ କରିବା ବଦଳରେ ପୂର୍ବରୁ ନାମଲେଖା ଲାଗି ଜାରି ରହିଥିବା ବ୍ୟବସ୍ଥାକୁ ଏବର୍ଷ ବଳବତ୍ତର ରଖାଯାଉ। ନ ହେଲେ ଅନ୍‌ଲାଇନ୍‌ ପ୍ରବେଶିକା ପରୀକ୍ଷା କିମ୍ବା ସ୍ନାତକ ମାର୍କ ଆଧାରରେ ପିଜି ନାମଲେଖା କରିବାକୁ ଶିକ୍ଷାବିତ୍‌ମାନେ ପରାମର୍ଶ ଦେଇଛନ୍ତି। ଅକ୍ଟୋବର ପ୍ରଥମ ଓ ଦ୍ବିତୀୟ ସପ୍ତାହ ବେଳକୁ କରୋନା ସଂକ୍ରମଣ ଆହୁରି ଅଧିକ ହେବାର ଆଶଙ୍କା ପ୍ରକାଶ ପାଇଛି। ଏମିତିକି ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜିରେ ଲଗାଇ ପରୀକ୍ଷା କରାଇବା କେତେ ଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଅଗଷ୍ଟ ୧୨ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଗତ ୧୦ ତାରିଖରେ ଶେଷ ହୋଇଛି। ରାଜ୍ୟର ୧୨ଟି ସରକାରୀ ବିଶ୍ବବିଦ୍ୟାଳୟ ସମେତ ମୋଟ ୭୦ଟି ଶିକ୍ଷାନୁଷ୍ଠାନ ପାଇଁ ୭୫ ହଜାର ୧୦୫ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬୩,୪୧୧ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିଛନ୍ତି। କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ବିଭିନ୍ନ ବିଷୟର ପ୍ରବେଶିକା ପରୀକ୍ଷା ପାଇଁ ସେପ୍ଟେମ୍ବର ୩୦ ତାରିଖ ଅପରାହ୍ନ ୨ଟାରୁ ଇ-ସ୍ପେସ୍‌ରେ ଲଗ୍‌ଇନ୍‌ କରି ହଲ୍‌ ଟିକେଟ୍‌ ବା ଆଡମିଟ୍ କାର୍ଡ ସଂଗ୍ରହ କରିପାରିବେ। ନଭେମ୍ବର ୭ରେ ଏକକ ପ୍ରବେଶିକା ପରୀକ୍ଷାର ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକା ଅନୁସାରେ ଯୋଗ୍ୟ ବିବେଚିତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମଲେଖା ହେବ। ସମସ୍ତ ନାମଲେଖା ପ୍ରକ୍ରିୟା ନଭେମ୍ବର ୩୦ ସୁଦ୍ଧା ଶେଷ କରାଯିବ। ଡିସେମ୍ବର ୩ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।



from Kanak News https://ift.tt/3hIhD3k https://ift.tt/2ZL6atq
ଆଶଙ୍କାରେ ପିଜି ପ୍ରବେଶିକା ପରୀକ୍ଷା : ମାଡ଼ିଚାଲିଛି କରୋନା, ଚିନ୍ତାରେ ଛାତ୍ରଛାତ୍ରୀ Kanak News ଆଶଙ୍କାରେ ପିଜି ପ୍ରବେଶିକା ପରୀକ୍ଷା : ମାଡ଼ିଚାଲିଛି କରୋନା, ଚିନ୍ତାରେ ଛାତ୍ରଛାତ୍ରୀ Kanak News Reviewed by SUBHENDU BARAL on September 17, 2020 Rating: 5

No comments:

Powered by Blogger.