୨ଦିନରେ ମୌସୁମୀ ଫେରିବ : ଅକ୍ଟୋବର ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବା ସମ୍ଭାବନା ; ପ୍ରବଳ ବର୍ଷା ସମ୍ଭାବନା Kanak News

କନକ ବ୍ୟୁରୋ : ଦୁଇ ଦିନ ମଧ୍ୟରେ ଭାରତରୁ ପ୍ରତ୍ୟାବର୍ତନ ଆରମ୍ଭ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସେପ୍ଟେମ୍ବର ୨୪ କିମ୍ବା ୨୫ରେ ‌ମୌସୁମୀ ବାୟୁ ପଶ୍ଚିମ ରାଜସ୍ଥାନରୁ ପ୍ରତ୍ୟାବର୍ତନ ଆରମ୍ଭ କରିବ। ପରବର୍ତୀ ସମୟରେ ପଶ୍ଚିମ-ଉତ୍ତର ଭାରତ, ଉତ୍ତର ଓ କେନ୍ଦ୍ରୀୟ ଭାରତରୁ ଛାଡ଼ିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ ବର୍ତମାନ ଆକଳନରୁ ଯାହା ଜଣାପଡ଼ୁଛି, ଅକ୍ଟୋବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶାରେ କାଁ ଭାଁ ବର୍ଷା ଲାଗି ରହିବ। ତୃତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବାର ସମ୍ଭାବନା ରହିଛି। ସାଧାରଣତଃ ଅକ୍ଟୋବର ୧୪ ତାରିଖରେ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତନ କରିଥାଏ।

ଆଞ୍ଚଳିକ ପାଣିପାଗ ‌ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌.ଆର୍‌ ବିଶ୍ବାସଙ୍କ କହିବାନୁଯାୟୀ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୨୩ ମଧ୍ୟ‌ରେ ଓଡ଼ିଶାରେ ୧୧୨୧.୫ ମିମି ମୌସୁମୀ ବର୍ଷା ହୋଇଛି, ଯାହାକି ସ୍ବାଭାବିକ। ତେବେ ଜିଲ୍ଲା ଅନୁଯାୟୀ ଏପାଖସେପାଖ ରହିଛି। ୨୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଝାରସୁଗୁଡ଼ା ଓ ମାଲକାନଗିରିରେ ସ୍ବାଭାବିକଠାରୁ ଅଧିକ ହୋଇଥିବା ବେଳେ ଖୋର୍ଧାରେ ୨୭%, ବାଲେଶ୍ବରରେ ୨୪%, ଗଜପତି ଓ ପୁରୀ ଜିଲ୍ଲାରେ ୨୩% ଲେଖାଏ କମ୍‌ ବର୍ଷା ରେକର୍ଡ କରାଯାଇଛି। ଜୁନ୍‌, ଜୁଲାଇରେ କମ୍‌ ବର୍ଷା ହୋଇଥିବା ବେଳେ ଅଗଷ୍ଟରେ ଅଧିକ ବର୍ଷା ହୋଇଛି। ସେପ୍ଟେମ୍ବରରେ ଏବେ ସୁଦ୍ଧା ୨୯% କମ୍‌ ବର୍ଷା ହୋଇଛି। ମୌସୁମୀ ପ୍ରତ୍ୟାବର୍ତନ ନେଇ ଏବେ ସୁଦ୍ଧା କୌଣସି ଆକଳନ କରାଯାଇ ନାହିଁ। ୨୪ ତାରିଖରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ। ୨୫ ଓ ୨୬ ତାରିଖରେ ଦକ୍ଷିଣ, ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଓଡ଼ିଶାର ଅନ୍ୟ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ। ୨୭ ତାରିଖଠାରୁ ପୁଣିଥରେ ବର୍ଷା କମିଯିବ।

ଭାରତୀୟ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଏବେ ସୁଦ୍ଧା ଦେଶରେ ସ୍ବାଭାବିକଠାରୁ ୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ଉତ୍ତର-ପଶ୍ଚିମ ଭାରତ ତଥା ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାନା, ଚଣ୍ଡିଗଡ଼, ଦିଲ୍ଲୀ, ଜାମ୍ମୁ, କାଶ୍ମରୀ ଓ ଲାଦାଖରେ ସ୍ବାଭାବିକଠାରୁ ୧୫ପ୍ରତିଶତ କମ୍‌ ବର୍ଷା ହୋଇଛି। କେନ୍ଦ୍ରୀୟ ଭାରତ ଯଥା ଗୋଆ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ଓ ଡାମନ, ଡିଉ, ଦାଦ୍ରାନଗର ହାବେଳିରେ ୧୪ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ ପେନସୁଲାରେ ୨୮ ପ୍ରତିଶତ ଅଧିକ, ପୂର୍ବ ଓ ଉତ୍ତରପୂର୍ବ ଭାରତରେ ୨ ପ୍ରତିଶତ ଅଧିକ ବର୍ଷା ହୋଇଛି।



from Kanak News https://ift.tt/3mLzUAv https://ift.tt/3dFsVTU
୨ଦିନରେ ମୌସୁମୀ ଫେରିବ : ଅକ୍ଟୋବର ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବା ସମ୍ଭାବନା ; ପ୍ରବଳ ବର୍ଷା ସମ୍ଭାବନା Kanak News ୨ଦିନରେ ମୌସୁମୀ ଫେରିବ : ଅକ୍ଟୋବର ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବା ସମ୍ଭାବନା ; ପ୍ରବଳ ବର୍ଷା ସମ୍ଭାବନା Kanak News Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.