୩୦ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୯୦୦ କୋଟିର ସହାୟତା ବଣ୍ଟନ : ସେସ୍‌ ବାବଦରେ ଆଦାୟ ହୋଇଛି ୨୩୦୦ କୋଟି Kanak News

କନକ ବ୍ୟୁରୋ : ଓଡ଼ିଶାରେ ଏବେସୁଦ୍ଧା ୩୦ ଲକ୍ଷରୁ ଅଧିକ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୯୦୦ କୋଟି ଟଙ୍କା ସହାୟତା ବଣ୍ଟନ କରାଯାଇଛି। ସେହିପରି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ସେସ୍‌ ବାବଦରେ ୨୩୦୦ କୋଟି ଟଙ୍କା ଆଦାୟ ହୋଇଛି। ଆଜି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ବେଳେ ଏହି ତଥ୍ୟ ସାମନାକୁ ଆସିଛି। ବୈଠକରେ ଅଧ୍ୟକ୍ଷତା କରି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ ସିଂହ ରାଜ୍ୟ ଭିତରେ ଓ ବାହାରେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ସମସ୍ତ ଶ୍ରମିକମାନଙ୍କୁ ଯଥାଶୀଘ୍ର କଲ୍ୟାଣ ବୋର୍ଡ଼ରେ ନାମ ପଞ୍ଜୀକରଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭର୍ଚୁଆଲ୍‌ ମୋଡ୍‌ରେ ନିର୍ମାଣ ଶ୍ରମିକ କଲ୍ୟାଣ ପାଇଁ ଆଦାୟ ହେଉଥିବା ସେସ୍‌ ଆଦାୟ ଉପରେ ଗୁରୁତ୍ବ ଦେଇ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ଜଣେ ଡି.ଏଲ୍‌.ସିଙ୍କ ଅଧୀନରେ ଏକ ଆସେସ୍‌ମେଣ୍ଟ୍‌ ଟିମ୍‌ ଗଠନ କରି ଏହି କାର୍ଯ୍ୟକୁ ତ୍ବାରାନ୍ବିତ କରାଯିବ। ସେସ୍‌ ପ୍ରଦାନକାରୀଙ୍କୁ ଆଇନ୍‌ ସମ୍ବନ୍ଧରେ ସଚେତନ କରିବା ସହ ଖୋର୍ଦ୍ଧା, ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଆଦି ଅଞ୍ଚଳର ଶ୍ରମ ଅଧିକାରୀମାନେ ବିଶେଷ ଧ୍ୟାନ ଦେବେ। ରାଜ୍ୟ ସରକାରଙ୍କ ୫’ଟି’ କାର୍ଯ୍ୟକ୍ରମ ଓ ନୀତିକୁ ଧ୍ୟାନରେ ରଖି ଦଳଗତ ମନୋଭାବ ନେଇ ସ୍ବଚ୍ଛତା, ଦକ୍ଷତା ଓ ସମୟାନୁବର୍ତ୍ତିତା ସହ କାର୍ଯ୍ୟ ହାସଲ କରିବାକୁ ଅନୁରୋଧ କରିଥିଲେ। ଯେଉଁ ଅଧିକାରୀ ଭଲ କାମ କରିଥିବେ ସେହି ଅଧିକାରୀଙ୍କ ସମ୍ବର୍ଦ୍ଧିତ କରାଯିବ। ବୈଠକରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କୋଭିଡ୍‌-୧୯ ଯୋଗୁଁ ରାଜ୍ୟ ବାହାରୁ ଓଡ଼ିଶାକୁ ଫେରିଥିବା ପ୍ରବାସୀ ନିର୍ମାଣ ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ଯଥାଶୀଘ୍ର ପଞ୍ଜୀକୃତ କରିବାକୁ ବିଭିନ୍ନ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରମୁଗମ୍‌ ରାଜ୍ୟର ସମସ୍ତ ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ସମ୍ପର୍କରେ ପ୍ରାଧାନ୍ୟ ଦେଇ କହିଲେ ଯେ, ଶ୍ରମିକମାନଙ୍କ ନିକଟରେ ମୋବାଇଲ୍‌ ଆପ୍‌ ଓ ପରିଶ୍ରମ ପୋର୍ଟାଲ ମାଧ୍ୟମରେ ସେବା ଉପଲବ୍ଧ କରାଯିବ। ଯାହାଦ୍ବାରା ହିତାଧିକାରୀମାନେ ସେମାନଙ୍କ ନିଜ ଘରେ ରହି ସେବା ପାଇପାରିବେ। ରାଜ୍ୟ ଶ୍ରମ କମିସନର ଏନ୍‌. ଥିରୁମାଲା ନାୟକ କଲ୍ୟାଣ ବୋର୍ଡ଼ର ବିଭିନ୍ନ ଯୋଜନାଗୁଡ଼ିକ ଜିଲ୍ଲା ସ୍ତରରେ କିଭଳି ଭାବେ କାର୍ଯ୍ୟକାରୀ ହେଉଛି ସେ ନେଇ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବରଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ସ୍ବର୍ଗତ ହେମନ୍ତ ପ୍ରଧାନଙ୍କ ଆକସ୍ମିକ ମୃତ୍ୟୁ ପାଇଁ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା।



from Kanak News https://ift.tt/3iZ7WyW https://ift.tt/3hVVvm3
୩୦ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୯୦୦ କୋଟିର ସହାୟତା ବଣ୍ଟନ : ସେସ୍‌ ବାବଦରେ ଆଦାୟ ହୋଇଛି ୨୩୦୦ କୋଟି Kanak News ୩୦ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୯୦୦ କୋଟିର ସହାୟତା ବଣ୍ଟନ : ସେସ୍‌ ବାବଦରେ ଆଦାୟ ହୋଇଛି ୨୩୦୦ କୋଟି Kanak News Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.