୭୦ ପ୍ରତିଶତ ପୁଲିସ ସଂକ୍ରମିତ, ଗଂଜେଇ ମାଫିଆଙ୍କ ପୁଷମାସ : ରାତିରେ ମାଳମାଳ ଗାଡ଼ି ଓ ଦାମୀ କାର୍‌ରେ ଚାଲିଛି ଚୋରା ଚାଲାଣ Kanak News

କନକ ବ୍ୟୁରୋ : କରୋନା ସାଧାରଣ ଜୀବନକୁ ଦହଗଞ୍ଜ କରି ପକାଇଛି। ଦୀର୍ଘ ୭ ମାସ ହେଲା କରୋନା ଜ୍ବାଳାରୁ ମୁକୁଳି ପାରୁନାହିଁ ମଣିଷ। କରୋନା ପାଇଁ ସମଗ୍ର ବିଶ୍ବରେ ହାହାକାର ପଡ଼ିଥିବା ବିଚିତ୍ର ସ୍ଥିତି ଉପୁଜିଛି କନ୍ଧମାଳରେ। ଗଂଜେଇ ମାଫିଆଙ୍କ ଆଖିରେ ନିଦ ନାହିଁ କି ଚାଲାଣକାରୀଙ୍କୁ ତର ନାହିଁ। ଏ‌ପଟେ କ୍ବାରାଣ୍ଟିନ୍‌ରେ କନ୍ଧମାଳ ପୁଲିସ ଓ ଅବକାରୀ ବିଭାଗ। ଗଲା ତିନି ସପ୍ତାହ ହେଲା କନ୍ଧମାଳରେ ଯାଞ୍ଚ୍‌ କରିବାକୁ ନା ପୁଲିସ ଅଛନ୍ତି, ନା ଧରପଗଡ଼ ହେଉଛି। ଯାହା ଫଳରେ ଗଂଜେଇ ମାଫିଆଙ୍କ ପାଇଁ ଏହା ସବୁଠାରୁ ବଡ଼ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି। ବଡ଼ ମଉକା ହାତଛଡ଼ା ନ କରି ଗଂଜେଇ ଚାଲାଣରେ ଲାଗି ପଡ଼ିଛନ୍ତି ମାଫିଆ। କନ୍ଧମାଳର ୭୦ ପ୍ରତିଶତରୁ ଅଧିକ ପୁଲିସ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ କିଛି ସୁସ୍ଥ ହେଲେଣି। ଅନେକ ଏବେ ବି ହୋମ୍‌ କ୍ବାରାଣ୍ଟିନ୍‌ରେ। କରୋନା ୩ ପୁଲିସ ଯୋଦ୍ଧାଙ୍କ ଜୀବନ ନେଲାଣି। ଏହାର ଭରପୂର ସୁଯୋଗ ଉଠାଉଛନ୍ତି ଗଞ୍ଜେଇ ମାଫିଆ। ଯେମିତି ଗଞ୍ଜେଇ ଚାଲାଣକାରୀଙ୍କ ପାଇଁ ଏବେ ପୁଷମାସ ଚାଲିଛି।

ଫୁଲବାଣୀ ଟାଉନ ଥାନା, ଫିରିଙ୍ଗିଆ, ଘୁ.ଉଦୟଗିରି, ରାଇକିଆ, କ.ନୂଆଗାଁ, ଟିକାବାଲି ଭଳି ବହୁ ଥାନାରେ କରୋନା ପାଇଁ କର୍ମଚାରୀ ଅଭାବ ରହିଛି। କେଉଁଠି ଜଣେ ଏଏସ୍ଆଇ ଥାନା ଜଗୁଛି ତ, ଆଉ କେଉଁଠି କନେଷ୍ଟବଳ ଦ୍ବାରା ଥାନା ଚାଲିଛି। ବିଶେ‌ଷତଃ ଗଞ୍ଜେଇ ଚାଲାଣ ରୋକିବାରେ ଅଧିକ ଭୂମିକା ଥିବା ଫିରିଙ୍ଗିଆ ଥାନାରେ ମାତ୍ର ଜଣେ ଏଏସ୍‌ଆଇ ଥାନା ଜଗୁଥିବା ବେଳେ ବାକି ସମସ୍ତେ କରୋନା ସଂକ୍ରମିତ। ଏପଟେ ଅବକାରୀ ବିଭାଗରେ ବି କର୍ମଚାରୀ ନାହାନ୍ତି। ବାକି ପୁଲିସ ହେଉ କି ଅବକାରୀ, ଯିଏ ବି ସୁସ୍ଥ ଅଛନ୍ତି ସେମାନେ କରୋନା ଭୟରେ ବାହାରକୁ ଯିବାକୁ ଭୟ କରୁଛନ୍ତି। କେବଳ ଥାନା ଓ ଅଫିସରେ ବସି କାଗଜପତ୍ର କାମ କରିବା ସାର ହେଉଛି। ଏଭଳି ସ୍ଥଳେ ଗଞ୍ଜେ ଚାଲାଣ ରୋକିବାକୁ କେହି ନାହାନ୍ତି। ଏତିକି ବେଳେ ମାଫିଆ କାର୍‌ ‌ହେଉ କି ବୋଲେରୋ, ୩ ସପ୍ତାହ ହେଲା ରୀତିମତ କନ୍ଧମାଳରୁ ଗଂଜେଇ ଚାଲାଣ ହେଉଛି। ରାତି ୧୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବହୁ ଦାମିକା କାର୍‌, ଚାରିଚକିଆ ଯାନ ଗଞ୍ଜେଇ ଲୋଡ଼୍‌ କରି ମାଳମାଳ ଚାଲୁଛନ୍ତି ଭୁବନେଶ୍ବର ଓ ଅନ୍ୟ ଅଞ୍ଚଳକୁ। ଗାଡ଼ି ସବୁ ଏଭଳି ଦ୍ରୁତ ଗତିରେ ଯାଉଛି ଯେ ତାକୁ ଅଟକାଇବା ଏତେଟା ସହଜ ନୁହେଁ। ସ୍ବଳ୍ପ କର୍ମଚାରୀ ଜୀବନ ଭୟରେ ରିସ୍କ ନେବାକୁ ଚାହୁଁ ନାହାନ୍ତି।

ସପ୍ତାହ ପୂର୍ବେ ବିଳମ୍ବିତ ରାତିରେ ଏକ ଦାମିକା କାର୍‌ରେ ଗଞ୍ଜେଇ ଭୁବନେଶ୍ବର ଚାଲାଣ ହେଉଥିଲା। ବିଶେଷ ସୁତ୍ରରୁ ଖବର ପାଇ ପୁଲିସ ଓ ଅବକାରୀ ବିଭାଗ ମିଳିତ ହୋଇ କାରକୁ ଧରିବାକୁ ଉଦ୍ୟମ କରିଥିଲେ। କାରକୁ ଅଟକିବା ପାଇଁ ରାସ୍ତାରେ ୩ଟି ଗାଡ଼ି ରଖିଲେ। ହେଲେ ଡ୍ରାଇଭର ୩ଟି ଗାଡ଼ିକୁ ଧକ୍କା ଦେଇ କାର୍‌ ନେବାକୁ ଉଦ୍ୟମ କରିଥିଲା। ଏଥିରେ ପୁଲିସ ଓ ଅବକାରୀ ବିଭାଗର ୩ଟି ଗାଡ଼ି ନଷ୍ଟ ହୋଇଥିଲା ସତ ଗଂଜେଇ ଭର୍ତ୍ତି କାରକୁ ଠାବ କରାଯାଇଥିଲା। ଆଉ ଜଣେ ଦୌଡ଼ି ପଳାଇ ଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଥିଲା। ହେଲେ ଏହି ଘଟଣାରେ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀ ଖୁବ ଭୟଭୀତ ହୋଇ ପଡିଥିବା ବେଳେ ଆଉ ଚଢ଼ଉ କରିବାକୁ ଯାଉ ନଥିବା ଜଣା ପଡ଼ିଛି। ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ କନ୍ଧମାଳରୁ ୨୦ରୁ ୨୫ଟି ଗାଡ଼ିରେ ଭୁବନେଶ୍ବରକୁ ଗଂଜେଇ ଚାଲାଣ ହେଉଛି। କରୋନା ପୁଲିସର ହାତ ବାନ୍ଧି ଦେଇଥିବା ବେଳେ ଗଂଜେଇ ମାଫିଆଙ୍କୁ ମିଳିଥିବା ସୂବର୍ଣ୍ଣ ସୁଯୋଗର କେବେ ଅନ୍ତ ଘଟୁଛି ତାହା ଦେଖିବାର କଥା।



from Kanak News https://ift.tt/2GgmhZ4 https://ift.tt/3kU6XRa
୭୦ ପ୍ରତିଶତ ପୁଲିସ ସଂକ୍ରମିତ, ଗଂଜେଇ ମାଫିଆଙ୍କ ପୁଷମାସ : ରାତିରେ ମାଳମାଳ ଗାଡ଼ି ଓ ଦାମୀ କାର୍‌ରେ ଚାଲିଛି ଚୋରା ଚାଲାଣ Kanak News ୭୦ ପ୍ରତିଶତ ପୁଲିସ ସଂକ୍ରମିତ, ଗଂଜେଇ ମାଫିଆଙ୍କ ପୁଷମାସ : ରାତିରେ ମାଳମାଳ ଗାଡ଼ି ଓ ଦାମୀ କାର୍‌ରେ ଚାଲିଛି ଚୋରା ଚାଲାଣ Kanak News Reviewed by SUBHENDU BARAL on September 27, 2020 Rating: 5

No comments:

Powered by Blogger.