ଆଇପିଏଲ ମହାସମରର ୪ର୍ଥ ଦିନ । ଆଜି କ୍ରିକେଟ୍ କୁରୁକ୍ଷେତ୍ରରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ Kanak News

କନକ ବ୍ୟୁରୋ: କୋଭିଡ୍-୧୯ କଟକଣା ମଧ୍ୟରେ ଖେଳା ଯାଉଥିବା ଆଇପିଏଲ୍-୧୩ର ଚତୁର୍ଥ ଦିବସରେ ଦୁଇ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁମୁହିଁ ହେବେ। ଉଦଘାଟନୀ ମ୍ୟାଚରେ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ସହଜରେ ହରାଇ ଆତ୍ମବିଶ୍ବାସର ସହ ଏଥରର ଅଭିଯାନ ଆରମ୍ଭ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସକୁ ରୋକିବା ରାଜସ୍ଥାନ ରୟାଲ୍ସ ପାଇଁ ନିଶ୍ଚିତ ଭାବେ କାଠିକର ପାଠ ହେବ। ବେନ୍ ଷ୍ଟୋକ୍ସଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ସହ ମସ୍ତିସ୍କାଘାତ ପାଇଁ ଅଧିନାୟକ ଷ୍ଟିଭେନ୍ ସ୍ମିଥକୁ ନେଇ ଲାଗି ରହିଥିବା ଆଶା ଓ ଆଶଙ୍କା ରାଜସ୍ଥାନ ପାଇଁ ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି।
ରୋଗାକ୍ରାନ୍ତ ପିତାଙ୍କ ସହ ରହିବା ପାଇଁ ନ୍ୟୁଜିଲାଣ୍ଡରେ ଥିବା ଷ୍ଟୋକ୍ସ ୟୁଏଇ ପହଞ୍ଚି ସାରିଛନ୍ତି। ତେବେ ତାଙ୍କୁ ୩୬ ଘଣ୍ଟା ପର୍ୟ୍ୟନ୍ତ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ ହେବ। ସେଥିପାଇଁ ମଙ୍ଗଳବାର ମ୍ୟାଚ୍ ସେ ଖେଳି ପାରିବେ ନାହିଁ। ଅନ୍ୟତମ ଇଂଲିସ୍ ତାରକା ଜୋସ୍ ବଟଲରଙ୍କ ସେବାରୁ ମଧ୍ୟ ରାଜସ୍ଥାନ ବଞ୍ଚିତ ହେବ। ସ୍ମିଥ୍ ଆଜିର ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ବୋଲି ପ୍ରଶିକ୍ଷକ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ କହିଛନ୍ତି। ତେବେ ସେ ଖେଳିବା ନଖେଳିବା କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ବାସ୍ଥ୍ୟ ସମିତିର ସବୁଜ ସଙ୍କେତ ପ୍ରଦାନ ଉପରେ ନିର୍ଭରଶୀଳ ରହିବ। ଷ୍ଟୋକ୍ସ ନଥିବାରୁ ରାଜସ୍ଥାନର ସନ୍ତୁଳନ ବିଗିଡ଼ି ଯାଇଥିଲା ବେଳେ ସ୍ମିଥ୍ ଯଦି କୌଣସି କାରଣରୁ ଦଳରେ ସାମିଲ ହୋଇ ନପାରିନ୍ତି, ତାହାଲେ ଚେନ୍ନାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିବାର ସମ୍ଭାବନା ବଢ଼ିଯିବ। ରାଜସ୍ଥାନ ରୟାଲ୍ସ ପାଖରେ ଭାରତୀୟ ବଡ଼ ଖେଳାଳିଙ୍କ ଅଭାବ ଥିବାରୁ ଏହି ଦଳ ସଫଳତା ମୁଖ୍ୟତଃ ତା’ର ବିଦେଶୀ ତାରକାଙ୍କ ଉପରେ ନିର୍ଭର କରିବ। ସେଥିପାଇଁ ଇଂଲଣ୍ଡ ଅଲରାଉଣ୍ଡର ଜୋଫ୍ରା ଆର୍ଚରଙ୍କ ସଫଳତାର ଢେର ମହତ୍ବ ରହିବ। ଦକ୍ଷିଣ ଆଫ୍ରିକୀୟ ଡେଭିଡ୍ ମିଲର ଓ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଆଣ୍ଡ୍ର୍ୟୁ ଟାଏଙ୍କୁ ମଧ୍ୟ ଭଲ ଖେଳିବାକୁ ହେବ। ରାଜସ୍ଥାନ ପାଖରେ ସଞ୍ଜୁ ସାମସନ, ରବିନ ଉଥାପ୍ପା, ଜୟଦେବ ଉନାଦକଟ୍ ଓ ବରୁଣ ଆରୋନଙ୍କ ଭଳି ଭାରତୀୟ ତାରକା ଅଛନ୍ତି। ତେବେ ବିଗତ ଅନେକ ବର୍ଷ ହେବ ଏମାନେ ଆଶାଜନକ ପ୍ରଦର୍ଶନ ଦେବାରେ ଅସମର୍ଥ ହୋଇ ଆସୁଛନ୍ତି।
ଅନ୍ୟପକ୍ଷରେ ଚେନ୍ନାଇ ଦକ୍ଷ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ବେଶ୍ ସମୃଦ୍ଧ ଓ ଶକ୍ତିଶାଳୀ। ସାମ୍ କରନ (ଇଂଲଣ୍ଡ)ଙ୍କ ଭଳି ଯୁବ ଖେଳାଳି ଅଭିଯାନ ଆରମ୍ଭରୁ ହିଁ ନିଜ ଯାଦୁ ଦେଖାଇ ସାରିଛନ୍ତି। ଏଣୁ ଡ୍ବେନ୍ ବ୍ରାଭୋଙ୍କ ଅନୁପସ୍ଥିତିକୁ ଦଳ ଅନୁଭବ କରୁନି। ସେହିଭଳି ବାମହାତୀ ବ୍ୟାଟର୍ ସୁରେଶ ରାଇନା ଓହରିବା ପରେ ହୋଇଥିବା କ୍ଷତିକୁ ଅମ୍ବାତି ରାୟୁଡୁ ସଫଳତାର ସହ ଭରଣା କରି ପାରିଛନ୍ତି। ଫାଫ୍ ଡୁ’ପ୍ଲେସିସ୍ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ଅଭିଜ୍ଞ ହରଭଜନ ସିଂହ ଦଳରେ ନଥିଲେ ମଧ୍ୟ ପୀୟୂଷ ଚାୱଲା ସଫଳତାର ସହ ଏହି ଶୂନ୍ୟସ୍ଥାନକୁ ପୂରଣ କରି ପାରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଶେଷ ଓଭରରେ ଆହତ ହୋଇଥିବା ଦୀପକ ଚହର ଫିଟ୍ ନହେଲେ ଏହା ହୁଏତ ଚନ୍ନାଇ ପାଇଁ କିଛିଟା ସମସ୍ୟା ସୃଷ୍ଟି କରିପାରେ। ତେବେ ଚୟର ଖେଳି ନପାରିଲେ ଦଳ ପାଖରେ ସାର୍ଦୁଲ ଠାକୁରଙ୍କୁ ନେବାର ବିକଳ୍ପ ଖୋଲା ରହିଛି।
ସମ୍ଭାବ୍ୟ ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଅମ୍ବାତି ରାୟୁଡୁ, ଫାଫ୍ ଡୁ’ପ୍ଲେସିସ୍, ସେନ୍ ୱାଟସନ୍, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଦୀପକ ଚହର, ପୀୟୂଷ ଚାୱଲା, ସାମ୍ କରନ, ମୁରଲୀ ବିଜୟ, ଜୋସ୍ ହାଜେଲଉଡ୍, ଏନ୍ ଜଗଦୀଶ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନଗିଡ଼ି।
ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ: ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ରବିନ ଉଥାପ୍ପା, ସଞ୍ଜୁ ସାମସନ୍, ଜୋଫ୍ରା ଆର୍ଚର, ଓସାନେ ଥୋମାସ, ଯଶସ୍ବୀ ଜୟସ୍ବାଲ, ଆଣ୍ଡ୍ର୍ୟୁ ଟାଏ, ଡେଭିଡ୍ ମିଲର, ଟମ୍ କୁରାନ, ମନନ ଭୋରା, ଶ୍ରେୟସ୍ ଗୋପାଳ, ରିୟାନ ପରାଗ, ବରୁଣ ଆରୋନ, ମୟଙ୍କ ମାର୍କଣ୍ଡ।
from Kanak News https://ift.tt/3cjySa1 https://ift.tt/3iTRNKT
No comments: