କରୋନାରେ ପ୍ରଭାବିତ ବିଚାର ବିଭାଗ : ହାଇକୋର୍ଟରେ ଗଡ଼ିଲାଣି ୧.୬୬ ଲକ୍ଷ ମାମଲା Kanak News

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ବିଚାର ପ୍ରକ୍ରିୟା। ମାର୍ଚ୍ଚ ଶେଷ ସପ୍ତାହରୁ ସାରାରାଜ୍ୟରେ ଅଦାଲତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗତବର୍ଷ ସୁଦ୍ଧା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ମାମଲା ବିଚାରାଧୀନ ଥିବାବେଳେ ଏବେ ଏହା ବଢ଼ି ୧ ଲକ୍ଷ ୬୬ ହଜାରରେ ପହଞ୍ଚିଛି ।

ହାଇକୋର୍ଟରେ ସ୍ବାଭାବିକ କାର୍ଯ୍ୟ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ବନ୍ଦ୍ (ସସ୍‌ପେଣ୍ଡ) ରହିବ ବୋଲି ସେପ୍ଟେମ୍ବର ୧୬ରେ ଘୋଷଣା କରାଯାଇଥିଲା। ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଉଭୟ ପୁରୁଣା, ନୂଆ ଓ ଜରୁରୀ ମାମଲା ଶୁଣାଣି ଚାଲିଥିବାବେଳେ ହାଇକୋର୍ଟ କାର୍ଯ୍ୟାଳୟରେ କେତେ ଜଣ କରୋନା ସଂକ୍ରମିତ ‌ହୋଇଥିଲେ। ଏହାପରେ ସେପ୍ଟେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ପରିସର ସଂପୂର୍ଣ୍ଣ ସାନିଟାଇଜ ପାଇଁ ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେବା ଦ୍ବାରା ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି ।

ହାଇକୋର୍ଟ ୱେବସାଇଟ ତଥ୍ୟ ଅନୁସାରେ, ୨୦୧୯, ଡିସେମ୍ବର ୩୧ ତାରିଖ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୫୦ ହଜାର ୬୩୭ଟି ମାମଲା ବିଚାରାଧୀନ ଥିଲା। ଏବେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୬୬ ହଜାରରୁ ଅଧିକ ରହିଛି। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୦, ସେପ୍ଟେମ୍ବର ୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୬୬ ହଜାର ୬୫୫ଟି ମାମଲା ବିଚାରାଧୀନ ରହିଛି। ଓଡ଼ିଶା ହାଇକୋର୍ଟରେ ଏବେ ୧ ଲକ୍ଷ ୧୫ ହଜାର ୪୪୯ଟି ସିଭିଲ କେସ୍ ଓ ୫୧ ହଜାର ୨୦୬ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି। ବିଚାରାଧୀନ ମାମଲା ମଧ୍ୟରେ ୬୯ ହଜାର ୨୭୧ଟି ରିଟ୍ ପିଟିସନ୍ ରହିଛି। ଏଥିମଧ୍ୟରୁ ୬୯୨ଟି ସିଭିଲ କେସ୍ ୩୦ ବର୍ଷ କିମ୍ବା ତା’ଠାରୁ ପରୁଣା ହୋଇଥିବାବେଳେ ଏବେ ଏସବୁ ହାଇକୋର୍ଟରେ ବିଚାରାଧୀନ ରହିଛି। ୩୦ ବର୍ଷ ବା ତାଠାରୁ ପୁରୁଣା ୩ଟି କ୍ରିମିନାଲ କେସ୍ ହାଇକୋର୍ଟରେ ଏବେ ବିଚାରାଧୀନ ରହିଛି। ସେହିଭଳି ୨୦ରୁ ୩୦ ବର୍ଷ ପୁରୁଣା ୩ ହଜାର ୭୩୩ଟି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏଥିମଧ୍ୟରେ ୨ ହଜାର ୯୦୩ଟି ସିଭିଲ କେସ୍, ୮୩୦ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ। ୧୦ରୁ ୨୦ ବର୍ଷ ପୁରୁଣା ୨୩ ହଜାର ୯୧୨ଟି ବିଚାରାଧୀନ ମାମଲା ହାଇକୋର୍ଟରେ ଥିବାବେଳେ ସେଥିରୁ ୧୪ ହଜାର ୯୮୭ଟି ସିଭିଲ କେସ୍, ୮୯୨୫ଟି କ୍ରିମିନାଲ କେସ୍ ରହିଛି। ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୩୯ ହଜାର ୮୫୬। ଏଥି ମଧ୍ୟରେ ୩୦ ହଜାର ୩୧୨ଟି ସିଭିଲ କେସ୍ ଓ ୯ ହଜାର ୫୪୪ଟି କ୍ରିମିନାଲ କେସ୍ ରହିଛି। ସେହିଭଳି ୩ରୁ ୫ ବର୍ଷ ପୁରୁଣା ୨୪ହଜାର ୨୨୫ଟି ବିଚାରାଧୀନ ମାମଲା ମଧ୍ୟରୁ ୧୮ ହଜାର ୭୦୨ଟି ସିଭିଲ କେସ୍, ୫ ହଜାର ୫୨୩ଟି କ୍ରିମିନାଲ କେସ୍ ରହିଛି। ୧ ବର୍ଷରୁ ୩ ବର୍ଷ ପୁରୁଣା ୨୭ ହଜାର ୫୭ଟି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ଏଥି ମଧ୍ୟରେ ୨୦ ହଜାର ୮୪୫ଟି ସିଭିଲ କେସ୍ ଓ ୬ ହଜାର ୨୧୨ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ। ନିମ୍ନ ଅଦାଲତ ଦ୍ବାରା ପ୍ରଦାନ କରାଯାଇଥିବା ମୃତ୍ୟୁଦଣ୍ଡାଦେଶ ରାୟ ଅନୁମୋଦନ ସଂପର୍କିତ ମାମଲା (ଡିଏସ୍‌ଆରଇଏଫ) ୫ଟି ହାଇକୋର୍ଟରେ ବିଚାରାଧୀନ ରହିଛି ।



from Kanak News https://ift.tt/2RLMamn https://ift.tt/3mGqwy2
କରୋନାରେ ପ୍ରଭାବିତ ବିଚାର ବିଭାଗ : ହାଇକୋର୍ଟରେ ଗଡ଼ିଲାଣି ୧.୬୬ ଲକ୍ଷ ମାମଲା Kanak News କରୋନାରେ ପ୍ରଭାବିତ ବିଚାର ବିଭାଗ : ହାଇକୋର୍ଟରେ ଗଡ଼ିଲାଣି ୧.୬୬ ଲକ୍ଷ ମାମଲା Kanak News Reviewed by SUBHENDU BARAL on September 21, 2020 Rating: 5

No comments:

Powered by Blogger.