
କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା ହେବାକୁ ଯାଉଛି। ବଦଳିବ ଶିକ୍ଷାବର୍ଷ କ୍ୟାଲେଣ୍ଡର। ଏବେ ଆଉ ଜୁନ୍/ଜୁଲାଇରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇପାରିବ ନାହିଁ। କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦-୨୧ ଶିକ୍ଷାବର୍ଷ ନଭେମ୍ବର ପହିଲାରୁ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ତେଣୁ ୨୦୨୧-୨୨ ଶିକ୍ଷାବର୍ଷ ବି ଅନୁରୂପ ଭାବେ ବିଳମ୍ବ ହେବ। ଏମିତିକି ୨୦୨୧ରେ ଗ୍ରୀଷ୍ମ ଛୁଟିକୁ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ୨୦୨୧-୨୨ ଶିକ୍ଷାବର୍ଷ ଅଗଷ୍ଟ ୩୦ରୁ ଆରମ୍ଭ କରିବାକୁ ଚିନ୍ତା କରାଯାଇଛି।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଜାରି ହୋଇଥିବା ସମ୍ଭାବ୍ୟ ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ଏହା ଉଲ୍ଲେଖ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଆଜି ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଯେ ୨୦୨୦-୨୧ ଶିକ୍ଷାବର୍ଷର ସ୍ନାତକ(ୟୁଜି) ଓ ସ୍ନାତକତ୍ତୋର(ପିଜି) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନଭେମ୍ବର ପହିଲାରୁ ଆରମ୍ଭ ହେବ। ଏହା ପୂର୍ବରୁ ଅକ୍ଟୋବର ୩୧ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟର ପାଠ୍ୟକ୍ରମର ନାମଲେଖା ପ୍ରକ୍ରିୟା ଶେଷ କରାଯିବ। ୨୦୨୧ ମସିହା ମାର୍ଚ୍ଚ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଲାଗି ଛୁଟି ଦିଆଯିବ ଏବଂ ୮ରୁ ୨୬ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ।
ଏପ୍ରିଲ ୫ରୁ ଇଭେନ୍ ସେମିଷ୍ଟର ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ। ଅଗଷ୍ଟ ୯ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ଅଗଷ୍ଟ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ। ଅଗଷ୍ଟ ୩୦ରୁ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ କରାଯିବ। ଲକଡାଉନ୍ ଓ ଅନ୍ୟାନ୍ୟ କାରଣ ହେତୁ ଅଭିଭାବକ ସମ୍ମୁଖୀନ ହେଉଥିବା ଆର୍ଥିକ ଅସୁବିଧାକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥର ପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା/ସ୍ଥାନାନ୍ତରଣ ବାତିଲ୍ ଫି’ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ।
ସୂଚନାଯୋଗ୍ୟ ଯେ କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏପ୍ରିଲ ମାସରେ ବିକଳ୍ପ ଶିକ୍ଷାବର୍ଷ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ସେପ୍ଟେମ୍ବର ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା। ତେବେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରବେଶିକା ପରୀକ୍ଷା ହୋଇ ପାରି ନ ଥିଲା କି ନାମଲେଖା କରାଯାଇ ନ ଥିଲା। ତେଣୁ ୟୁଜିସି ପକ୍ଷରୁ ଏବେ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ଓଡ଼ିଶା କଥାକୁ ଯଦି ବିଚାରକୁ ନିଆଯାଏ ତେବେ ନଭେମ୍ବରରେ ୟୁଜି ଶିକ୍ଷାବର୍ଷ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ ରହିଛି। ୟୁଜି ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେରିଟ୍ ଲିଷ୍ଟ(ମେଧା ତାଲିକା) ପ୍ରକାଶ ପାଇବ। ଅକ୍ଟୋବର ତୃତୀୟ ସପ୍ତାହ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହୋଇଯିବ।
ତେବେ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ୟୁଜିସି ନିର୍ଦ୍ଧାରିତ ସମୟରେ ହୋଇପାରିବ ନାହିଁ। ଗତ ୧୦ ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଅକ୍ଟୋବର ୧୦ରୁ ୧୯ ପର୍ୟ୍ୟନ୍ତ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ନଭେମ୍ବର ୭ରେ ମେରିଟ୍ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବ। ଡିସେମ୍ବର ୩ ତାରିଖରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ଏହାର ଗୋଟିଏ ମାସ ପୂର୍ବରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ କରିବାକୁ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଏବେ ହରଡ଼ଘଣାରେ ପଡ଼ିଛନ୍ତି। କିଭଳି ଓ କେମିତି ନଭେମ୍ବର ପହିଲାରୁ ପାଠପଢ଼ା ଆରମ୍ଭ ହେବ ତାହାକୁ ନେଇ ଚିନ୍ତା ବଢ଼ିଛି।
from Kanak News https://ift.tt/2Hq8uzZ https://ift.tt/302xpQr
No comments: