ପାଠ ପଢିବା ଇଚ୍ଛାରେ ବାଧକ ସାଜିପାରିନାହିଁ କରୋନା । କୋଭିଡ୍ ସଂକଟ ସତ୍ୱେ ୯୧% ଭାରତୀୟ ଛାତ୍ର ବିଦେଶରେ ପଢ଼ିବାକୁ ଚାହାନ୍ତି Kanak News

କନକ ବ୍ୟୁରୋ : ମହାମାରୀ କୋଭିଡ୍-୧୯ର ପ୍ରାଦୁର୍ଭାବ ଚଳିତବର୍ଷ ପ୍ରତ୍ୟେକ ଆନ୍ତର୍ଜାତିକ ବିଦ୍ୟାର୍ଥୀର ବିଦେଶରେ ପଢ଼ିବା ଯୋଜନାକୁ ସ୍ଥଗିତ କରିଦେଇଛି। ତଥାପି ଏଥିପାଇଁ ଅନେକ ଆହ୍ୱାନ ରହିଥିବା ସତ୍ୱେ ୯୧ ପ୍ରତିଶତ ଭାରତୀୟ ଛାତ୍ରଛାତ୍ରୀ ସେମାନଙ୍କୁ ଯେତେଶୀଘ୍ର ଅନୁମତି ମିଳିଯିବ, ସେମାନେ ବିଦେଶରେ ପଢ଼ିବା ପାଇଁ ଚାହିଁ ବସିଛନ୍ତି। ତେବେ କେବଳ ଗୋଟିଏ ପ୍ରଶ୍ନର ଉତ୍ତରକୁ ସେମାନେ ଅପେକ୍ଷା କରିଛନ୍ତି, ବିଦେଶ ଯାତ୍ରା କଟକଣା କେବେ ହଟିବ ଆଉ ସାମ୍ପ୍ରତିକ ସ୍ଥିତିରେ ସେମାନେ କେଉଁ ପାଠ୍ୟକ୍ରମରେ ନିଜକୁ ସାମିଲ କରିବେ।
ପୂର୍ବରୁ ଆମେରିକା, ଯୁକେ, କାନାଡ଼ା ଏବଂ ଅଷ୍ଟ୍ରେଲିଆ ଆଦି ଦେଶ ଭାରତୀୟ ବିଦ୍ୟର୍ଥୀଙ୍କର ପ୍ରଥମ ପସନ୍ଦ ରହିଥିଲା। ସମ୍ପ୍ରତି ବିଶ୍ୱବ୍ୟାପୀ ଛାଇଯାଇଥିବା କରୋନାଭୂତାଣୁର କରାଳ ଛାୟା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ନିଜର ପସନ୍ଦର ପୁନର୍ବିଚାର କରି ନିଉଜିଲାଣ୍ଡ, ଜର୍ମାନୀ ଏବଂ ଏପରିକି ଆୟାର୍ଲାଣ୍ଡ ଆଦି ଦେଶକୁ ବାଛୁଥିବା ଦେଖାଯାଇଛି ବୋଲି ଆଇସ୍କୁଲ୍କନେକ୍ଟ ଇନ୍କୋର ପ୍ରତିଷ୍ଠାତା ସିଇଓ ଆଶିଷ ଫର୍ଣ୍ଣାଣ୍ଡୋ କହିଛନ୍ତି। ଅବଶ୍ୟ ବିଗତ ଏକ ଦଶନ୍ଧି ହେଲା ଛାତ୍ରଛାତ୍ରୀମାନଙ୍କର ପସନ୍ଦର ଦେଶ ବଦଳିବାରେ ଲାଗିଛି।
ଏହାର ପ୍ରମୁଖ କାରଣ ହେଲା, ଅନ୍ୟ ଦେଶମାନେ ଅଧିକ ସଂଖ୍ୟକ ବିକଳ୍ପ ପାଠ୍ୟକ୍ରମ ଉପଲବ୍ଧ କରାଇବା ସହିତ ନାମଲେଖା ପ୍ରକ୍ରିୟାର ସରଳୀକରଣ କରିବା। ସମ୍ପ୍ରତି ଜର୍ମାନୀ, ଆୟର୍ଲାଣ୍ଡ, ଦକ୍ଷିଣକୋରିଆ ଓ ସିଙ୍ଗାପୁର ଆଦି ଦେଶ ତାହାର ଜ୍ୱଳନ୍ତ ଉଦାହରଣ ବୋଲି ଫର୍ଣ୍ଣାଣ୍ଡୋ ସୂଚନା ଦେଇଛନ୍ତି। ମହାମାରୀ ପୂର୍ବରୁ ଛାତ୍ରଛାତ୍ରୀମାନେ ନିଜର ବିଦେଶ ପଢ଼ା ପାଇଁ ସହଜ ନାମଲେଖା ପ୍ରକ୍ରିୟା, ଶିକ୍ଷାଦାନର ଗୁଣବତ୍ତା, ଆପ୍ରବାସନ ନୀତି ଏବଂ ପାଠପଢ଼ା ଓ ରହଣି ଖର୍ଚ୍ଚ ଆଦିକୁ ଗୁରୁତ୍ୱ ଦେଉଥିଲେ। ତେବେ ଏଣିକି ସ୍ୱାସ୍ଥ୍ୟ ନିରାପତ୍ତା ଏବଂ ସର୍ବନିମ୍ନ ବିପଦକୁ ଅନ୍ୟତମ ଉପାଦାନ ଭାବେ ବିଚାରୁଛନ୍ତି। ସମ୍ପ୍ରତି ନିଉଜିଲାଣ୍ଡ୍, ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ଆଦି ଦେଶ କୋଭିଡ୍ ଦ୍ୱାରା ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇଥିବାରୁ ସେହି ଦେଶ ପ୍ରତି ଛାତ୍ରଛାତ୍ରୀମାନଙ୍କର ଦୁର୍ବଳତା ବଢ଼ିଥିବା ସ୍ପଷ୍ଟ ହୋଇଛି।
from Kanak News https://ift.tt/2SdkdUN https://ift.tt/3mP6cL3
No comments: