ରାଜଧାନୀରେ ବାହାରେ ବୁଲୁଛନ୍ତି କରୋନା ସଂକ୍ରମିତ : ଗୃହ ପୃଥକବାସଙ୍କୁ ମିଳୁନି ସୁବିଧା Kanak News

କନକ ବ୍ୟୁରୋ : ଏବେ ରାଜଧାନୀରେ ପ୍ରାୟ ୮୦% କରୋନା ଆକ୍ରାନ୍ତ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେମା‌ନଙ୍କୁ ବିଏମ୍‌ସି ଯେପରି ସେବା ଯୋଗାଇବା କଥା, ତାହା ଯୋଗାଉନି ବୋଲି ଅଭିଯୋଗ ହେଉଛି। ଯେଉଁଥିପାଇଁ ଗୃହ ପୃଥକବାସରେ ରହୁଥିବା ଆକ୍ରାନ୍ତ ଏବେ ବାହାରେ ବୁଲି ହାଟ ବଜାର କରୁଛନ୍ତି। ବହୁ ସଚେତନ ନାଗରିକ ବି ଜାଣତରେ ସଙ୍ଗରୋଧ ନିୟମ ଭାଙ୍ଗି ବିଭିନ୍ନ ଦୋକାନ ବଜାର ବୁଲୁଛନ୍ତି। ଯେଉଁଥିପାଇଁ ଏବେ ବିଏମ୍‌ସିରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଦିନକୁ ୩୦୦ରୁ ୩୫୦ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏଥିରୁ ୨୫୦ରୁ ଅଧିକ ସ୍ଥାନୀୟ ସଂକ୍ରମିତ। ଏବେ ବିଏମ୍‌ସି ପକ୍ଷରୁ ଦିନକୁ ପ୍ରାୟ ୫ ହଜାର ପରୀକ୍ଷା କରାଯାଉଥିବା କୁହାଯାଉଥିବା ବେଳେ ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ଆସି ପରୀକ୍ଷା କରାଉଛନ୍ତି। ଏପରିକି ଲକ୍ଷଣ ନଥିବା ଲୋକ ବି କରୋନା ପରୀକ୍ଷା କରାଇ ନେଉଛନ୍ତି। ତେବେ କାହିଁକି ସ୍ଥାନୀୟ ସଂକ୍ରମଣ ବଢ଼ୁଛି, ସେନେଇ କେହି ଚିନ୍ତା କରୁନାହାନ୍ତି।

ଭୁବନେଶ୍ବରରେ ସ୍ଥାନୀୟ ସଂକ୍ରମଣ ବଢ଼ିବାର ମୁଖ୍ୟ କାରଣ ହେଲା ବହୁ କରୋନା ଆକ୍ରାନ୍ତ ଗୃହ ପୃଥକବାସ ନିୟମ ମାନୁ ନାହାନ୍ତି। ନିୟମ ସେମାନେ ଖୁସିରେ ଭାଙ୍ଗୁ ନାହାନ୍ତି, ବରଂ ବେସାହରା ହେବା ପରେ ବାଧ୍ୟ ହୋଇ ନିୟମ ଭାଙ୍ଗୁଛନ୍ତି। ପୃଥକବାସରେ ରହୁଥିବା ନିୟମ ଭାଙ୍ଗିବା ପଛରେ ସରକାରୀ ବ୍ୟବସ୍ଥା ଅଧିକ ଦା‌ୟୀ ବୋଲି କୁହାଯିବ। କାରଣ ଏବେ ଅଧିକାଂଶ କ୍ଷେତ୍ରରେ ଜଣେ କରୋନା ଆକ୍ରାନ୍ତ ହେଲେ, ତା’ର ପରିବାରଲୋକ କରୋନା ଆକ୍ରାନ୍ତ ହେଉଛନ୍ତି ନଚେତ୍‌ ସେମାନେ ସଙ୍ଗରୋଧରେ ରହୁଛନ୍ତି। ଏପରିକି ଆଗପଛ ହୋଇ ପରିବାର ଲୋକ କରୋନା ଆକ୍ରାନ୍ତ ହୋଇଯାଉଛନ୍ତି। ସେମାନେ ଘରେ ସଙ୍ଗରୋଧରେ ରହିଲେ କିପରି ଖାଇବେ, ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକ ହେଲେ କ’ଣ କରିବେ, ସେନେଇ ବିଏମ୍‌ସି ପକ୍ଷରୁ କିଛି ବ୍ୟବସ୍ଥା କରାଯାଇନି। ଫଳରେ ଲୋକେ ଘରୁ ବାହାରୁଛନ୍ତି, ହାଟ ବଜାର କରୁଛନ୍ତି। କିଛି ଲୋକ ଯଦିଓ ଅନଲାଇନ୍‌ରେ କିଣାକିଣି କରୁଛନ୍ତି କିନ୍ତୁ ସବୁଦିନ ଟିକିନିଖି ସାମଗ୍ରୀ ଅନଲାଇନ୍‌ରେ ମଗାଇବା ସମ୍ଭବ ନଥିବାରୁ ବାଧ୍ୟ ହୋଇ ବଜାରକୁ କିମ୍ବା ନିକଟସ୍ଥ ଦୋକାନକୁ ଯାଉଛନ୍ତି।

ବିଜେବିନଗର ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ କହିବାନୁଯାୟୀ, ଆମ ପରିବାରର ସମସ୍ତେ କରୋନା ଆକ୍ରାନ୍ତ ହୋଇଛୁ। ପରିବାରର ୪ଜଣ ଯାକ ସଦସ୍ୟ ଘରୁ ବାହାରି ପାରୁନୁ। ଘରେ ଯାହା ସଉଦା ଥିଲା, ତାହା ସରିଗଲାଣି। ଅନ୍‌ଲାଇନ୍‌ରେ ଅର୍ଡର୍‌ କରିଥିଲୁ। ତାହା ୫/୬ଦିନ ଗଲା। କେଉଁ ଅନଲାଇନ୍‌ ସଂସ୍ଥା ଦିନକ ପରେ ଜିନିଷ ଆଣି ଦେଉଛି ତ କିଏ ଦୁଇ ଦିନ ପରେ। ସେଥିରେ ପରିବା ମଗାଇଲେ ସଢ଼ା ପଚା ସବୁ ମିଶାଇକି ଦେଉଛନ୍ତି। କ୍ଷୀର ତ ସବୁଦିନ ଆଣିବାକୁ ପଡ଼ିବ। କିନ୍ତୁ କ୍ଷୀର ପ୍ୟାକେଟ୍‌ଟେ ଅନଲାଇନ୍‌ରେ ମଗାଇଲେ କ୍ଷୀର ଦାମ୍‌ ୨୫ଟଙ୍କା, ଯିଏ ଆଣିକି ଦେବ ସେ ନେବ ଆଉ ୧୦୦ଟଙ୍କା। ଡେଲିଭରି ଚାର୍ଜ। ଏମିତି ସ୍ଥିତିରେ କ’ଣ କରିବୁ। ଆମେ ୨୫ ଦିନ ହେଲା ଆକ୍ରାନ୍ତ ହେଲୁଣି। ପ୍ରଥମେ ମୋତେ କରୋନା ହେଲା। ମୋର ୧୩ ଦିନରେ ମୋ ସ୍ତ୍ରୀକୁ ହେଲା। ସ୍ତ୍ରୀକୁ କରୋନା ହେବାର ୮ଦିନରେ ଦୁଇ ପିଲାଙ୍କୁ ହୋଇଛି। ପଛକୁ ପଛ କରୋନା ଆକ୍ରାନ୍ତ ବାହାରୁଛନ୍ତି। ଏଥିରେ ମୁଁ ଏବେ ସନ୍ଦିଗ୍ଧ। ଏପରିକି କରୋନା ଆଉ ଅଛି କି ନାହିଁ ଦେହରେ ଜାଣିବା ପାଇଁ ବି ପରୀକ୍ଷା କରାଇବାକୁ ଯାଇପାରୁନି। କାରଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସ‌ମସ୍ତେ ଅଛୁ। ଏପଟେ ଘରେ ପୂରା ବନ୍ଦ ହୋଇ ରହି ହେଉନି କି ଅନଲାଇନ୍‌ରେ ସବୁ ଜିନିଷ ଅର୍ଡର କରିହେଉନି। ତେଣୁ ବାଧ୍ୟ ହୋଇ ବାହାରକୁ ଯାଉଛୁ। ଅବଶ୍ୟ ବାହାରକୁ ଗଲେ ହାତରେ ଗ୍ଲୋଭସ୍‌, ମୁହଁରେ ମାସ୍କ ପିନ୍ଧି ଯାଉଛୁ। କାହାକୁ ଛୁଉଁନୁ। ଦୋକାନୀ ଜିନିଷ ବଢ଼ାଇଦେଲେ ତାକୁ ନେଇକି ଆସୁଛୁ। ଏହି ବାବୁଜଣଙ୍କ ନିଜେ ବହୁ ସାବଧାନ ଅଛନ୍ତି ବୋଲି ଯେତେ କହିଲେ ବି ସେ ଅଜାଣତରେ କରୋନା ମଞ୍ଜି ବୁଣି ଦେଇ ଆସିଲେ ତାହା ଜାଣିପାରିଲେନି। ଦୋକାନ ଯିବା ରାସ୍ତାରେ ହେଉ କି ଦୋକାନରେ ଛିଡ଼ା ହେବା ସମୟରେ ଯଦି କାଶିଥିବେ, ଛିଙ୍କିଥିବେ ବା ଛେପ ପକାଇଥିବେ, ତେବେ ସେଥିରେ ବହୁ ଲୋକ ଆକ୍ରାନ୍ତ ହେବାର ଭୟ ରହିଛି। ଦୋକାନୀଙ୍କୁ ଯେଉଁ ଟଙ୍କା ଦେଲେ ସେଥିରେ ବି ଭୂତାଣୁ ସଂକ୍ରମଣ ହେବାର ଭୟ ରହିଛି। ଏହି ବାବୁଜଣଙ୍କ ସିନା କାହାକୁ ଛୁଇଁନାହାନ୍ତି ବୋଲି କହିଲେ, ଯେଉଁ ଆକ୍ରାନ୍ତମାନେ ହାଟ ବଜାରରେ ପରିବା କିଣିବାକୁ ଯାଉଛନ୍ତି, ସେମାନେ ନଛୁଇଁଲେ ବି ତାଙ୍କୁ କେହି ଛୁଉଁନାହାନ୍ତି ବୋଲି କ’ଣ କହିପାରିବେ?

ଏପରିକି କିଛି ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପାଖରେ ସ୍ମାର୍ଟ ମୋବାଇଲ୍‌ ନାହିଁ କିମ୍ବା ଥିଲେ ବି ସେମାନେ ତା’ର ବ୍ୟବହାର ଶିଖି ନଥିବାରୁ କିପରି ଅନଲାଇନ୍‌ ଅର୍ଡର୍‌ କରିବେ ଜାଣିପାରୁନାହାନ୍ତି। ତେଣୁ ଦୋକାନକୁ ଯାଇ ସାମଗ୍ରୀ ଆଣୁଛନ୍ତି। ଆଉ କିଛି ଲୋକ କହିଛନ୍ତି ଯେ ପଡ଼ୋଶୀମାନେ ଆମକୁ ବି ଜିନିଷ ଆଣି ଦେଉନାହାନ୍ତି। ବନ୍ଧୁବାନ୍ଧବଙ୍କୁ ଡାକି‌ଲେ ବି କେହି ଘରକୁ ଆସୁନାହାନ୍ତି। ଯିଏ ଜିନିଷ ଆଣୁଛନ୍ତି, ସେ ଘରଠାରୁ ୨୦/୩୦ମିଟର ଦୂରରେ ଜିନିଷ ରଖି ପଳାଉଛନ୍ତି। ତେଣୁ ଆମେ ବାଧ୍ୟ ହୋଇ ବାହାରକୁ ଯାଇ ଜିନିଷ ଆଣୁଛୁ। କରୋନା ଆରମ୍ଭ ବେଳେ ବିଏମ୍‌ସି ଏପ୍ରିଲ ଓ ମେ’ ମାସରେ କିଛି ହୋମ୍‌ ଡେଲିଭରି ସଂସ୍ଥାଙ୍କ ତାଲିକା ଦେଇଥିଲା। ଏପରିକି ବିଭିନ୍ନ ଅଞ୍ଚଳରେ ଓମଫେଡ୍‌ ଗାଡ଼ି ଯାଇ କ୍ଷୀର ଦେଉଥିଲା। ତେଣୁ ଲୋକ ବିଶେଷ ଘରୁ ବାହାରୁ ନଥିଲେ। କିନ୍ତୁ ଏବେ ସେମିତି କିଛି ହେଉନଥିବାରୁ କରୋନା ଆକ୍ରାନ୍ତ ବାହା‌ରେ ବୁଲୁଛନ୍ତି।



from Kanak News https://ift.tt/2RTNkfD https://ift.tt/3cu6bal
ରାଜଧାନୀରେ ବାହାରେ ବୁଲୁଛନ୍ତି କରୋନା ସଂକ୍ରମିତ : ଗୃହ ପୃଥକବାସଙ୍କୁ ମିଳୁନି ସୁବିଧା Kanak News ରାଜଧାନୀରେ ବାହାରେ ବୁଲୁଛନ୍ତି କରୋନା ସଂକ୍ରମିତ : ଗୃହ ପୃଥକବାସଙ୍କୁ ମିଳୁନି ସୁବିଧା Kanak News Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.