ଆଜିଠାରୁ ଆଇପିଏଲର ତ୍ରୟୋଦଶ ସଂସ୍କରଣ ଆରମ୍ଭ : ଟ୍ରଫି ପାଇଁ ମୈଦାନକୁ ଓହ୍ଲାଇବେ ୮ଟି ଆଇପିଏଲ୍ ଟିମ୍ ; ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ମୁମ୍ବାଇ Kanak News

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ତ୍ରୟୋଦଶ ସଂସ୍କରଣ ଆସନ୍ତାକାଲିଠାରୁ ୟୁଏଇରେ ଆରମ୍ଭ ହେବ। କାରୋନା ମହାମାରୀ ଯୋଗୁଁ ଏଥର ଆଇପିଏଲ୍ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା। ବିଶ୍ବର ସବୁଠୁ ବିତ୍ତଶାଳୀ ଏହି ଟ୍ବେଣ୍ଟି-୨୦ ଲିଗ୍ ମାର୍ଚ୍ଚ ମାସରେ ହିଁ ଆୟୋଜନ ହେବାର ଥିଲା। ହେଲେ କରୋନା ମହାମାରୀ ସଂକଟ ଯୋଗୁଁ ଭାରତରେ ଏହା ଆୟୋଜନ ହେବା ଅସମ୍ଭବ ହୋଇପଡ଼ିଥିଲା। ଏପରିକି ଦୁଇ ଥର ଏହାକୁ ଘୁଞ୍ଚାଯାଇଥିଲେ ମଧ୍ୟ ଶେଷରେ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ ବାଧ୍ୟ ହୋଇଥିଲା। ଶେଷରେ କରୋନା ସ୍ଥିତି ଅପେକ୍ଷାକୃତ କମ୍ ଥିବା ୟୁଏଇକୁ ଶ୍ରେଷ୍ଠ ବିକଳ୍ପ ଭାବେ ବିସିସିଆଇ ବାଛିଥିଲା। ଜୈବ ସୁରକ୍ଷିତ ବଳୟ ମଧ୍ୟରେ ଏହି ପ୍ରତିଯୋଗିତା ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ସାରା ବିଶ୍ବର କ୍ରିକେଟ୍ ଖେଳାଳି ଏବଂ ପ୍ରଶଂସକ ଏହାକୁ ଚାତକ ଭଳି ଚାହିଁ ବସିଛନ୍ତି। ଯଦିଓ କରୋନା ମହାମାରୀ ଯୋଗୁଁ ଷ୍ଟାଡିୟମ୍ରେ ଦର୍ଶକ ବସି ଖେଳ ଉପଭୋଗ କରିପାରିବେନି ତଥାପି ଟିଭି ପରଦାରେ ଏହାର ମଜା ନେବାକୁ ବ୍ୟାକୁଳତା ବଢ଼ିଯାଇଛି।
ୟୁଏଇର ତିନିଟି ଭେନ୍ୟୁରେ ପୂରା ଆଇପିଏଲ୍ ଖେଳାଯିବ। ଏଥରର ଆଇପିଏଲ୍ ମଧ୍ୟ ଏହି ଲିଗ୍ର ଇତିହାସରେ ସବୁଠୁ ଲମ୍ବା ରହିବ। ତିନିଟି ଭେନ୍ୟୁରେ ଏହି ପ୍ରତିଯୋଗିତା ୫୩ ଦିନ ଧରି ଚାଲିବ। ଲିଗ୍ ପର୍ଯ୍ୟାୟରେ ୫୬ ସହିତ ମୋଟ ୬୦ ମ୍ୟାଚ୍ ଖେଳାଯିବ। ନଭେମ୍ବର ୧୦ ତାରିଖରେ ଫାଇନାଲ୍ ମ୍ୟାଚ୍ ସହ ଆଇପିଏଲ୍ ଉଦ୍ଯାପିତ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ସଂସ୍କରଣରେ ଡବଲ୍ ହେଡର୍ (ଶନିବାର ଓ ରବିବାର ଦୈନିକ ୨ ମ୍ୟାଚ୍) ସଂଖ୍ୟା ୧୦କୁ ହ୍ରାସ କରାଯାଇଛି। ଫଳରେ ୟୁଏଇରେ ମୋଟ ୫ଟି ଶନିବାର ଓ ରବିବାର ଦୁଇଟି ଲେଖାଁଏ ମ୍ୟାଚ୍ ଦେଖିବାକୁ ମିଳିବ। ୮ଟି ଫ୍ରାଞ୍ଚାଇଜ୍ (ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କିଙ୍ଗ୍ସ ଇଲେଭେନ୍ ପଞ୍ଜାବ, ରାଜସ୍ଥାନ ରୟାଲ୍ସ, ସନ୍ରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲ୍କାତା ନାଇଟ୍ ରାଇଡର୍ସ) ଟ୍ରଫି ପାଇଁ ଲଢ଼ିବେ।
ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ସଫଳ ଦଳ ଭାବେ ୪ ଥର ବିଜେତା ହୋଇଥିଲା ବେଳେ ଚେନ୍ନାଇ ୩, କୋଲ୍କାତା ୨, ରାଜସ୍ଥାନ, ଡେକାନ୍ ଚାର୍ଜର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ଥରେ ଲେଖାଁଏ ଟ୍ରଫି ଜିତିବାର ଗୌରବ ହାସଲ କରିଛନ୍ତି। ପରମ୍ପରା ମୁତାବକ ଗତଥରର ବିଜେତା ଓ ଉପବିଜେତା ଉଦ୍ଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବେ। ସେହିଦୃଷ୍ଟିରୁ ଶନିବାରର ଉଦ୍ଘାଟନୀ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହାକୁ ଦୁଇ ଭାରତୀୟ ତାରକା ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼େଇ ବୋଲି ବିବେଚନା କରାଯାଉଛି।
from Kanak News https://ift.tt/3ccZidl https://ift.tt/3ktG9Ha
No comments: