
କନକ ବ୍ୟୁରୋ : କୃଷି ବିଲ୍କୁ ନେଇ ଦେଶର ବିଭିନ୍ନ ସ୍ଥାନରେ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ରାଜ୍ୟଗୁଡ଼ିକୁ ସୁଲଭ ମୂଲ୍ୟରେ ମୁଗ ଡାଲି ଓ ବିରି ଯୋଗାଇବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରକ୍ରିୟାକରଣ ହୋଇଥିବା ମୁଗ ଓ ବିରି ଡାଲିକୁ ସୁଲଭ ମୂଲ୍ୟରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପ୍ରଦାନ କରିବେ। ବଜାର ଦର ଠାରୁ କମ୍ ଦାମ୍ରେ ଏହି ଡାଲି ଉପଲବ୍ଧ ହେବ। ରାଜ୍ୟଗୁଡ଼ିକ ତାହାକୁ ଖୁଚୁରା ବଜାରରେ ବିକ୍ରି କରିବେ। ଫଳରେ ଏହି ସଙ୍କଟମୟ ସମୟରେ ଲୋକମାନେ କମ୍ ଦାମ୍ରେ ଡାଲି କିଣିବାର ସୁଯୋଗ ପାଇବେ। ଉପଭୋକ୍ତା ବ୍ୟାପାର ସଚିବ ଲିନା ନନ୍ଦନ ଏ ସମ୍ପର୍କରେ କହିଛନ୍ତି ଯେ ସମ୍ଭାବ୍ୟ ଦରବୃଦ୍ଧିକୁ ନଜରରେ ରଖି ରାଜ୍ୟଗୁଡ଼ିକୁ ସୁଲଭ ମୂଲ୍ୟରେ ଡାଲି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। କିଲୋ ପ୍ରତି ୯୨ ଟଙ୍କାରେ ମୁଗ ଡାଲି ଏବଂ ୮୪-୯୬ ଟଙ୍କା ମୂଲ୍ୟରେ ବିରି ଡାଲି ଦିଆଯିବ। ବଜାର ଦର ଠାରୁ କମ୍ ମୂଲ୍ୟରେ ଏହା ଯୋଗାଇ ଦିଆଯିବ।
ଖୁଚୁରା ଦରରେ ହସ୍ତକ୍ଷେପ କରିବା ଲାଗି ନିକଟରେ ଏକ ମନ୍ତ୍ରୀଗୋଷ୍ଠୀ ଏକ ବ୍ୟବସ୍ଥାକୁ ମଞ୍ଜୁରି ପ୍ରଦାନ କରିଥିଲା। ସେହି ଆଧାରରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ମୁଗ ଓ ବିରି ଡାଲି ଯୋଗାଇ ଦେବେ। ଖୁଚୁରା ବଜାରରେ ବିକ୍ରି ପାଇଁ ଡାଲିର ଏକ କେଜି କିମ୍ବା ଦେଢ଼ କେଜି ପ୍ୟାକେଟ୍କୁ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯିବ। ବିପୁଳ ପରିମାଣର ଡାଲି ସେମାନଙ୍କୁ ଯୋଗାଇ ଦିଆଯିବ। ଏହି ପ୍ୟାକେଟ୍ଗୁଡ଼ିକୁ ସାଧାରଣ ଗ୍ରାହକମାନେ ଅତି ସହଜରେ କିଣିପାରିବେ ଏବଂ ଦରବୃଦ୍ଧି ଦାଉରୁ ରକ୍ଷା ପାଇପାରିବେ। ମୂଲ୍ୟ ସ୍ଥିରତା ପାଣ୍ଠିକୁ ନେଇ ସୃଷ୍ଟି କରାଯାଇଥିବା ଭଣ୍ଡାରରୁ ଡାଲି ଯୋଗାଇ ଦିଆଯିବ। ରାଜ୍ୟଗୁଡ଼ିକ ନିଜ ଆବଶ୍ୟକତା ଏହି ଭଣ୍ଡାରରୁ ଡାଲି ନେଇପାରିବେ। ନୂଆ ଡାଲି ଫସଲ ବଜାରକୁ ନଆସିବା ପର୍ଯ୍ୟନ୍ତ ଅତି କମ୍ରେ ଦୁଇ ମାସ ପାଇଁ ସୁଲଭ ମୂଲ୍ୟର ଡାଲି ରାଜ୍ୟଗୁଡ଼ିକୁ ଦିଆଯିବ। ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଓ ତା’ ଉପରେ ଲାଗୁଥିବା ଅନ୍ୟାନ୍ୟ ଶୁଳ୍କକୁ ମିଶାଇଲେ ଯେତିକି ଟଙ୍କା ହେବ ସେହି ଦରରେ ରାଜ୍ୟଗୁଡ଼ିକୁ ଡାଲି ବିକ୍ରି କରାଯିବ। ମୁଗ ଡାଲି ପାଇଁ ବରାଦ ଚଳିତ ମାସ ୧୪ରୁ ଆରମ୍ଭ ହୋଇସାରିଛି। ବିରି ଡାଲିର ବରାଦ ଖୁବ୍ଶୀଘ୍ର ଗ୍ରହଣ କରାଯିବ।
ଉପଭୋକ୍ତା ବ୍ୟାପାର ସଚିବ ସ୍ପଷ୍ଟ କରିଛନ୍ତି ଯେ ପ୍ରକ୍ରିୟାକରଣ, ଭଣ୍ଡାରରୁ ଉଠାଇବା, ପରିବହନ ଶୁଳ୍କ ଏବଂ ଡିଲର ମାର୍ଜିନ କେନ୍ଦ୍ର ସରକାର ବହନ କରିବେ। ଉଦାହରଣ ଦେଇ ସେ କହିଛନ୍ତି ଯେ ବର୍ତ୍ତମାନ ଏକ କେଜି ମୁଗ ଡାଲିର ବଜାର ଦର ୧୦୦ ଟଙ୍କା ରହିଛି। ଆମେ ରାଜ୍ୟଗୁଡ଼ିକୁ କେଜି ପିଛା ୯୨ ଟଙ୍କାରେ ମୁଗ ଡାଲି ଦେବୁ। ପୁରୁଣା ଫସଲ ବଜାରରୁ ଶେଷ ହେବା ଏବଂ ନୂଆ ଫସଲ ଆସିବା ମଧ୍ୟରେ ଯେଉଁ ସମୟ ବ୍ୟବଧାନ ରହୁଛି ସେହି ସମୟରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧିପାଏ। ସେହି ସମୟରେ ଗ୍ରାହକମାନେ ଯେଭଳି ସୁଲଭ ମୂଲ୍ୟରେ ବିଭିନ୍ନ ସାମଗ୍ରୀ ପାଇପାରିବେ ତାହାକୁ ନିଶ୍ଚିତ କରିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ଭଣ୍ଡାରରୁ ସାମଗ୍ରୀ ନେଇ ନିଜ ବଣ୍ଟନ ବ୍ୟବସ୍ଥା ଜରିଆରେ ତାହାକୁ ବିକ୍ରି କରିପାରିବେ। ଅନ୍ୟଥା ସେମାନେ ନାଫେଡ୍ର ସହଯୋଗ ମଧ୍ୟ ନେଇପାରିବେ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଭଣ୍ଡାରରେ ଏକ ଲକ୍ଷ ଟନ୍ରୁ ଅଧିକ ବିରି ଡାଲି ଏବଂ ଦୁଇ ଲକ୍ଷ ଟନ୍ ମୁଗ ଡାଲି ରହିଛି। ଦେଶର ବିଭିନ୍ନ ସ୍ଥାନରେ ଡାଲି ଫସଲ ନଷ୍ଟ ହୋଇଥିବାର ଖବର ପ୍ରଚାରିତ ହେବା ପରେ ମୁଗ ଓ ବିରି ଆଦିର ଖୁଚୁରା ଦାମ୍ ବୃଦ୍ଧି ପାଇଛି। ବିଭିନ୍ନ ମଣ୍ଡିରେ ମଧ୍ୟ ଦାମ୍ ବଢ଼ିଛି।
from Kanak News https://ift.tt/3mZYldp https://ift.tt/2S68wyQ
No comments: