କେଉଁଠି ଚିତ୍ର ଅଙ୍କା, କେଉଁଠି ମାଡ଼ିଗଲାଣି ଲତା…ବିନ୍ଦୁସାଗର ପୁନରୁଦ୍ଧାର ପାଇଁ ଚୁକ୍ତି କରି ବସିଛି ଓବିସିସି Kanak News

କନକ ବ୍ୟୁରୋ: ରାଜଧାନୀରେ ଏବେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। କେଉଁଠି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସୌନ୍ଦର୍ଯ୍ୟୀକରଣ ହେଉଛି ତ କେଉଁଠି ଟଙ୍କାଟିଏ ଖର୍ଚ୍ଚ କରିବାକୁ ବି କାହା ହାତ ଯାଉନି। ଏହାର ବଡ଼ ଉଦାହରଣ ହେଲା, ବିନ୍ଦୁସାଗରରେ ଥିବା ଜଗତି ଓ ବରମୁଣ୍ଡା ଗାଁ ମନ୍ଦିର।

ବରମୁଣ୍ଡା ଗାଁ ନିକଟରେ ଥିବା ମନ୍ଦିରରେ ବିଏମ୍ସି ପକ୍ଷରୁ ସୌନ୍ଦର୍ଯ୍ୟୀକରଣ କାମ ହେଉଛି। ଏଠାରେ ବିଏମ୍ସି ୱେଜ୍ ଏମ୍ପ୍ଲୟମେଣ୍ଟ ସ୍କିମ୍ରେ ମନ୍ଦିର ଚାରିକଡ଼େ ଥିବା ପାଚେରି ଓ ପୋଖରୀ କୂଳ କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଛି। କଳିଙ୍ଗର ପୂର୍ବତନ ରାଜାମାନଙ୍କର କୀର୍ତ୍ତି ଓ ପରମ୍ପରାକୁ ଚିତ୍ରରେ ଦେଖାଯାଇଛି। ଚିତ୍ରଗୁଡ଼ିକୁ ଏପରି ଅଙ୍କାଯାଇଛି ଯେ ଏହାକୁ ଯିଏ ଦେଖିବ, ଘଡ଼ିଏ ସେଠି ଅଟକିଯିବ। ବିଏମ୍ସିର ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି। ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ଯେ କରୋନା ପାଇଁ ଲୋକଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଏହି କାମ ହୋଇଛି। ରାଜଧାନୀର ବିଭିନ୍ନ ଖୋଲା ସ୍ଥାନ, ଜନଗହଳି ସ୍ଥାନରେ ଏହିପରି ଚିତ୍ର ଅଙ୍କାଯାଉଛି।

ଏପଟେ ବିନ୍ଦୁସାଗରର ସୌନ୍ଦର୍ଯ୍ୟୀକରଣ ପାଇଁ ବିଭିନ୍ନ ସମୟରେ ବିଏମସି, ପର୍ଯ୍ୟଟନ ବିଭାଗ, ଏଏସଆଇ କୋଟିକୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ଓବିସିସି ଏହାର ପୁନରୁଦ୍ଧାର ଦାୟିତ୍ବ ନେଇଛି। ଏନେଇ ମୁମ୍ବାଇର ଏକ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ କାମ ହୋଇପାରୁନି। କାମ କେବେ ହେବ, ସେନେଇ କେହି ମୁହଁ ଖୋଲୁନାହାନ୍ତି। ଓବିସିସିର ଅପାରଗତା ପାଇଁ ବିନ୍ଦୁସାଗର ମଝିରେ ଥିବା ଜଗତି ଉପରେ ଏବେ ଲତା ମାଡ଼ିଗଲାଣି। ବିନ୍ଦୁସାଗର ଦଳ ଜଗତି ଉପରେ ଏମିତି ଚଢ଼ିଲାଣି ଯେ ଆଉ ଦିନ କେଇଟାରେ ଏହି ଜଗତି ଅଦୃଶ୍ୟ ହୋଇଯିବ। ଲିଙ୍ଗରାଜ ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ବର ଉନ୍ନତୀକରଣ ସହ ୧୨ଟି ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଓବିସିସି କାମ କରୁଛି। ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ୬ମାସ ହେଲା ଚୁକ୍ତି ହେଲାଣି। କିନ୍ତୁ ବାବୁମାନେ ଏତେ ତତ୍ପର ଯେ ଏପର୍ଯ୍ୟନ୍ତ କାମ ହୋଇପାରୁନି। ଦୀର୍ଘବର୍ଷ ହେଲା ସ୍ଥାଣୁ ହୋଇପଡ଼ିଥିବା ଓବିସିସିକୁ ଏବେ ଚଳଚଞ୍ଚଳ କରାଯାଇଥିଲେ ବି ସଂସ୍ଥା ଯେତିକି କାମ କରିଦେବ ବୋଲି କୁହାଯାଉଛି, ତାହା ହୋଇପାରୁନି। ଫଳରେ ପୁରୁଣା ଭୁବନେଶ୍ବରର ଐତିହ୍ୟ କୀର୍ତ୍ତିରାଜିର ସୌନ୍ଦର୍ଯ୍ୟ ଚମକିବା ବଦଳରେ ଭୁଶୁଡ଼ିବାକୁ ବସିଲାଣି।



from Kanak News https://ift.tt/3j9TofU https://ift.tt/30fbsO9
କେଉଁଠି ଚିତ୍ର ଅଙ୍କା, କେଉଁଠି ମାଡ଼ିଗଲାଣି ଲତା…ବିନ୍ଦୁସାଗର ପୁନରୁଦ୍ଧାର ପାଇଁ ଚୁକ୍ତି କରି ବସିଛି ଓବିସିସି Kanak News କେଉଁଠି ଚିତ୍ର ଅଙ୍କା, କେଉଁଠି ମାଡ଼ିଗଲାଣି ଲତା…ବିନ୍ଦୁସାଗର ପୁନରୁଦ୍ଧାର ପାଇଁ ଚୁକ୍ତି କରି ବସିଛି ଓବିସିସି Kanak News Reviewed by SUBHENDU BARAL on September 27, 2020 Rating: 5

No comments:

Powered by Blogger.