
କନକ ବ୍ୟୁରୋ : ଜମି ଖଜଣା ଓ ଜଳ କର ପ୍ରଦାନ ପାଇଁ ରାଜସ୍ବ ନିରୀକ୍ଷକଙ୍କ (ଆର.ଆଇ) ଅଫିସ ଯିବା ପରିବର୍ତ୍ତେ ଅନ୍ଲାଇନ୍ରେ ଦାଖଲ କରିହେବ। ଏହାସହିତ ଅଫ୍ଲାଇନ୍ରେ ଜମି ଖଜଣା ଓ ଜଳକର ପ୍ରଦାନ କରିହେବ। ଅନ୍ଲାଇନ୍ ହେଉ କି ଅଫ୍ଲାଇନ ରାଜସ୍ବ ନିରୀକ୍ଷକ ପ୍ରତି ଜମା ପାଇଁ ଆଉ ମୁଣ୍ଡା ରସିଦ ନ ଦେଇ ଲୋକଙ୍କୁ ଇ-ପାଉତି ପ୍ରଦାନ କରିବେ। ଏହି ବ୍ୟବସ୍ଥାକୁ ତତ୍କାଳ ଲାଗୁ କରିବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ଥିବା ୩୧୭ଟି ତହସିଲ ଅନ୍ତର୍ଗତ ୨ ହଜାର ୨୭୯ଟି ଆର.ଆଇ ସର୍କଲରେ ଏଣିକି ଏହି ବ୍ୟବସ୍ଥା ଚଳିତମାସ ଶେଷସୁଦ୍ଧା କାର୍ଯ୍ୟକାରୀ ହେବ।
ଶ୍ରୀ ସେଠୀ ଦର୍ଶାଇଛନ୍ତି, ରାଜ୍ୟ ସରକାର ସବୁ ତହସିଲ ଅଫିସରେ ଅନ୍ଲାଇନ୍ ବ୍ୟବସ୍ଥା କରିଛନ୍ତି। ଲୋକମାନେ ସେମାନଙ୍କ ଜମି ଖଜଣା, ଜଳ କର ଆଦି ଅନ୍ଲାଇନ୍ରେ ପ୍ରଦାନ ପାଇଁ ଏନ୍ଆଇସି ଦ୍ବାରା ବିକଶିତ ପୋର୍ଟାଲ୍ odishalandrevenue.nic.in ଜରିଆରେ ଦାଖଲ କରିପାରିବେ। ଜଣେ ବ୍ୟକ୍ତି ଏହି ପୋର୍ଟାଲକୁ ଯାଇ ଏଥିରେ ଥିବା ‘ରେଣ୍ଟ୍ ପେ’ ବ୍ୟବସ୍ଥା ଜରିଆରେ ଏହି ସୁବିଧା ପାଇପାରିବେ। ଜମି ଖଜଣା ଓ ଜଳ କର ପ୍ରଦାନ କଲାପରେ କମ୍ପ୍ୟୁଟର ଦ୍ବାରା ପ୍ରସ୍ତୁତ ଇ-ପାଉତି ମିଳିବ। ସେହିପରି ଆର.ଆଇ ଅଫିସକୁ ଯାଇ ବି ଜଣେ ବ୍ୟକ୍ତି ଅଫ୍ଲାଇନ ଯୋଗେ ଟଙ୍କା ଜମା କରିପାରିବେ। ଏଥିପାଇଁ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ ତାଙ୍କ କମ୍ପ୍ୟୁଟରରେ ଜମି ମାଲିକଙ୍କ ନାମ ଓ ଟଙ୍କା ଚଢ଼ାଇ ଇ-ପାଉତି (ରସିଦ୍) ସେହି ବ୍ୟକ୍ତିକୁ ପ୍ରଦାନ କରିବେ। ଏଥିରେ ଜମି ରୟାଲଟି, ଜମିର କିସମ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ଫି, ଜମି ମୂଲ୍ୟାଙ୍କନ ଫି, ଜରିମାନା ଓ ଅନ୍ୟ ଆନୁସଙ୍ଗିକ ରାଜସ୍ବ ପାଇଁ ଅର୍ଥ ଆଦାୟ କରାଯାଇପାରିବ। ଏଥିପାଇଁ ସବୁ ରାଜସ୍ବ ନିରୀକ୍ଷକ ଇଲୋକ୍ଟ୍ରୋନିକ୍ ଟେନାଣ୍ଟ ଲେଜର୍ (ଇଟିଏଲ୍)ର ଉପଯୋଗ କରିବା ବାଧ୍ୟତାମୂଳକ କରାଯାଇଛି ।
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଦାୟ ହୋଇଥିବା ଖଜଣା ଓ ଜମି ଜଳ କର ବାବଦ ଅର୍ଥ ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଲେଜର୍ରେ ଅପଡେଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଖଜଣା, ସେସ୍, ନିସ୍ତାର ସେସ୍, ଆୟାକଟ୍ ଅଞ୍ଚଳରେ ଜଳସେଚିତ ଜମିର ବାଧ୍ୟତାମୂଳକ ଜଳ କର (ସିବିଡବ୍ଲୁଆର୍), ରବି ଫସଲ ପାଇଁ ଇଚ୍ଛାଧୀନ ଜଳ କର (ଏଫ୍ଡବ୍ଲୁଆର୍), ସୁଧ ବାବଦରେ ଜମା ରାଶି ୧ ଟଙ୍କାରୁ କମ୍ ହେବନାହିଁ। ୫୦ ପଇସା ତଳକୁ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ସେହିପରି ୫୦ ପଇସା ଉପରକୁ ହେଲେ ଏହାକୁ ୧ ଟଙ୍କା ବୋଲି ହିସାବ କରାଯିବ। ଅର୍ଥାତ୍ ଜଣେ ଜମି ମାଲିକଙ୍କର ଜମି ଖଜଣା ଓ ଜଳ କର ବାବଦରେ ଯଦି ୩୨ ଟଙ୍କା ୪୮ ପଇସା ଦାଖଲ କରିବାକୁ ପଡ଼େ, ତାହେଲେ ସେ କ୍ଷେତ୍ରରେ ତାଙ୍କ ଠାରୁ କେବଳ ୩୨ ଟଙ୍କା ଗ୍ରହଣ କରାଯିବ। ଅନ୍ୟପଟେ ଯଦି ଜଣେ ଜମି ମାଲିକଙ୍କୁ ଖଜଣା ବାବଦରେ ୩୨ ଟଙ୍କା ୫୮ ପଇସା ଦେବାକୁ ପଡ଼େ, ତାହେଲେ ତାଙ୍କୁ ୩୩ ଟଙ୍କା ପ୍ରଦାନ କରିବାକୁ ପଡ଼ିବ। ୧ ଟଙ୍କାରୁ କମ୍ ହେଲେ ବ୍ୟାଙ୍କ ଗ୍ରହଣ କରିବ ନାହିଁ ବୋଲି ସରକାର ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ଅଫ୍ଲାଇନ୍ରେ ଖଜଣା ଗ୍ରହଣ କରିବା ପରେ ଜଣେ ରାଜସ୍ବ ନିରୀକ୍ଷକ ଇ-ପାଉତି ପୋର୍ଟାଲରେ ଦୈନିକ ଜମା ରାଶିକୁ ଅପଡେଟ୍ କରିବେ। ଏହାସହିତ ସଂଗୃହିତ ହୋଇଥିବା ଅର୍ଥକୁ ରାଜସ୍ବ ନିରୀକ୍ଷକ ରାଜ୍ୟ ଅର୍ଥ ବିଭାଗ ଦ୍ବାରା ଅନୁମୋଦିତ ଆଇ.ଏଫ୍.ଏମ୍.ଏସ୍ ବ୍ୟବସ୍ଥା ଥିବା ବ୍ୟାଙ୍କରେ ଜମା କରିବେ। ଏହାଫଳରେ ସେହି ଅର୍ଥ ସିଧାସଳଖ ରାଜ୍ୟ କୋଷାଗାରରେ ଜମା ହେବ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜସ୍ବ ନିରୀକ୍ଷକମାନେ ସରକାର ଓ ବୋର୍ଡ଼୍ ଅଫ୍ ରେଭିନ୍ୟୁ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିର୍ଦ୍ଦେଶକୁ ମଧ୍ୟ ଏହି ପୋର୍ଟାଲ୍ ଜରିଆରେ ଅପଡେଟ୍ କରିବେ। ତହସିଲଦାର, ଅତିରିକ୍ତ ତହସିଲଦାରମାନେ ସେମାନଙ୍କ ଆର.ଆଇ ସର୍କଲର ଇଟିଏଲ୍ ଜମା ଠିକ୍ ଭାବେ ଚାଲିଛି କି ନାହିଁ ତାର ନିୟମିତ ତଦାରଖ କରିବେ। ଏହି ସମସ୍ତ ବ୍ୟବସ୍ଥା ସମ୍ପୃକ୍ତ ଜିଲ୍ଲାର ଏଡିଏମ୍ (ରାଜସ୍ବ)ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କରାଯିବ।
from Kanak News https://ift.tt/2RSfGqA https://ift.tt/3kzfMQ2
No comments: