କେତେ ସୁରକ୍ଷିତ ଏସ୍‌ସିବି ୱାର୍ଡ? କେବଳ ଅଗ୍ନିନିର୍ବାପକ ଯନ୍ତ୍ର ଭରସା Kanak News

କନକ ବ୍ୟୁରୋ : ଏସ୍‌ସିବି ମେଡିକାଲ୍‌ ୱାର୍ଡରେ ବି କରୋନା ରୋଗୀ ଅସୁରକ୍ଷିତ। ଜଗତପୁର ସଦ୍‌ଗୁରୁ ହସ୍‌ପିଟାଲ୍‌ରେ ସବୁ କିଛି ସୁବିଧା ଥାଇ ମଧ୍ୟ ନିଆଁ ଲାଗିଗଲା। ହେଲେ ରାଜ୍ୟର ସର୍ବବୃହତ୍‌ ମେଡିକାଲ୍‌ କଲେଜ ଏସ୍‌ସିବିରେ କେବଳ ଅଳ୍ପ କିଛି ଅଗ୍ନି ନିର୍ବାପକ ଯନ୍ତ୍ର ଭରସାରେ କରୋନା ରୋଗୀଙ୍କୁ ସୁରକ୍ଷା ଦିଆଯାଉଛି। ଆଇସୋଲେସନ୍‌ ୱାର୍ଡ ହେଉ କିମ୍ବା ନିଉ ମେଡିସିନ୍‌ ବ୍ଲକ୍‌; ସବୁଠାରେ କେବଳ ଜରୁରୀକାଳୀନ ପ୍ରସ୍ଥାନ ଓ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇ ଛାଡ଼ି ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଏଠାରେ ସ୍ପ୍ରିଙ୍କଲର୍‌, ସ୍ମୋକ୍‌ ସେନସର୍‌, ହାଇଡ୍ରାଣ୍ଟ ଲଗାଯିବା ପାଇଁ ବାରମ୍ବାର ଅନୁ‌େରାଧ କରାଯାଉଥିଲେ ବି ମେଡିକାଲ୍‌ କର୍ତ୍ତୃପକ୍ଷ ଏ‌ ଦିଗରେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି। ଫଳରେ ଯଦି କେବେ ଭବିଷ୍ୟତରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ହୁଏ, ତା’ ହେଲେ ପ୍ରାଥମିକ ଭାବେ ରୋଗୀଙ୍କୁ ରକ୍ଷା ଦେବାକୁ ସୀମିତ ଅଗ୍ନିନିର୍ବାପକ ଯନ୍ତ୍ର ହିଁ ଭରସା।

ନିକଟରେ ଆଇସୋଲେସନ୍‌ ୱାର୍ଡରେ ଦୁଇଥର ବିଦ୍ୟୁତ ସଟ୍‌ସର୍କିଟ୍‌ ଯୋଗୁଁ ଏସିରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ ନିଆଁ ବ୍ୟାପିବା ପୂର୍ବରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବା ସହ ଅଗ୍ନିନିର୍ବାପକ ଯନ୍ତ୍ର‌ରେ ଆୟତ୍ତ କରାଯାଇଥିଲା। ଏହା ସାମାନ୍ୟ ଘଟଣା ହୋଇଥିଲେ ବି ଯଦି କୌଣସିମତେ ଦୁର୍ଘଟଣା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥା’ନ୍ତା, ତାହେଲେ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚିବା ବେଳକୁ ହୁଏତ ଅନେକ କ୍ଷତି ଘଟିଥା’ନ୍ତା। ଅନେକ ବର୍ଷ ପୁରୁଣା ଏସ୍‌ସିବି ମେଡିକାଲ୍‌ କୋଠାଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରତି କୌଣସି ବ୍ୟବସ୍ଥା କରାଯାଇ ନଥିଲା।

ତେବେ କୋଲକାତାର ଆମ୍ରି ହସ୍‌ପିଟାଲ ଓ ଭୁବନେଶ୍ବରର ସମ୍‌ ହସ୍‌ପିଟାଲ ଅଗ୍ନିକାଣ୍ଡ ପରେ ମେଡିକାଲ୍‌ କର୍ତ୍ତୃପକ୍ଷ ଏ ଦିଗରେ ତତ୍ପରତା ଦେଖାଇଥିଲେ ମଧ୍ୟ କେବଳ ସର୍ବନିମ୍ନ ଆବଶ୍ୟକତା ପୂରଣ କରି ଚୁପ୍‌ ବସିଛନ୍ତି। ତଥାପି ମେଡିକାଲ୍‌ ପରିସରରେ ଏକ ଦମକଳ କେନ୍ଦ୍ର ଖୋଲା ଯାଇଥିବାରୁ କୌଣସିଠାରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ହେଲେ ଅଳ୍ପ କିଛି ସମୟ ମଧ୍ୟରେ ଦମକଳ ପହଞ୍ଚି ଯାଉଛି। କିନ୍ତୁ ଅଧିକ ମହଲା କୋଠା ଉପରେ ନିଆଁକୁ ତୁରନ୍ତ ଆୟତ୍ତ କରିବା ସହଜ ନୁହେଁ। କିଛି ବର୍ଷ ତଳେ ହୃଦ୍‌ରୋଗ ବିଭାଗରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ଏହାର ଉଦାହରଣ ରୂପେ ନିଆଯାଇପାରେ।

ଯଦିଓ ଏସ୍‌ସିବିରେ ଏ ପର୍ଯ୍ୟନ୍ତ ସେଭଳି କିଛି ବଡ଼ ଅଗ୍ନିକାଣ୍ଡ ଘଟି ନାହିଁ, କିନ୍ତୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପୂର୍ବରୁ ଥରେ ହୋଇଥିବା ବଡ଼ଧରଣର ଅଗ୍ନିକାଣ୍ଡ ଏବେ ବି ଚେତାବନୀ ଭଳି ରହିଛି। ଚତୁର୍ଥ ମହଲାର ଆଇସିୟୁ ଓ କ୍ୟାବିନ୍‌ରେ ନିଆଁ ଲାଗିଯାଇଥିଲା ବେଳେ ନିଆଁକୁ ଆୟତ୍ତ କରିବାକୁ ସେଠାରେ ସେଭଳି କିଛି ବଡ଼ ବ୍ୟବସ୍ଥା ନଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ଅନେକ କସରତ କରିବାକୁ ପଡ଼ିଥିଲା। ଏବେ ଏସ୍‌ସିବି ମେଡିକାଲ୍‌ରେ ମଧ୍ୟ ଚତୁର୍ଥ ମହଲାରେ ଆଇସୋଲେସନ୍‌ ୱାର୍ଡ କାର୍ଯ୍ୟ କରୁଥିଲା ବେଳେ ନିଉ ମେଡିସିନ୍‌ ବ୍ଲକ୍‌ ମଧ୍ୟ ବହୁ ମହଲା ବିଶିଷ୍ଟ। ଯଦି ଏଠାରେ ସେଭଳି ଅଗ୍ନିକାଣ୍ଡ ଭଳି ଦୁର୍ଘଟଣା ହୁଏ, ତାହେଲେ ରୋଗୀଙ୍କୁ କିପରି ସୁରକ୍ଷିତ ଭାବେ ବାହାରକୁ ଅଣାଯାଇପାରିବ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।



from Kanak News https://ift.tt/32U9CnB https://ift.tt/3gj8QEK
କେତେ ସୁରକ୍ଷିତ ଏସ୍‌ସିବି ୱାର୍ଡ? କେବଳ ଅଗ୍ନିନିର୍ବାପକ ଯନ୍ତ୍ର ଭରସା Kanak News କେତେ ସୁରକ୍ଷିତ ଏସ୍‌ସିବି ୱାର୍ଡ? କେବଳ ଅଗ୍ନିନିର୍ବାପକ ଯନ୍ତ୍ର ଭରସା Kanak News Reviewed by SUBHENDU BARAL on September 22, 2020 Rating: 5

No comments:

Powered by Blogger.