ସୁନା ଦାମ୍ ୫୦,୦୦୦ ଟଙ୍କା ତଳକୁ ଖସିଲା : ରୁପାର କେଜି ପିଛା ଦର ୫୮,୯୪୯ ଟଙ୍କାକୁ ହ୍ରାସ Kanak News

କନକ ବ୍ୟୁରୋ : ଗତ କିଛି ଦିନ ଧରି ସୁନା ମୂଲ୍ୟରେ ଯେଉଁ ହ୍ରାସର ଧାରା ଆରମ୍ଭ ହୋଇଥିଲା ତାହା ଜାରି ରହିଛି । ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍‌ (ଏମ୍‌ସିଏକ୍ସ)ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦ ହଜାର ଟଙ୍କାରୁ କମ୍ ହୋଇଛି । ଡଲାର ଦାମ୍‌ରେ ବୃଦ୍ଧି ହେବା ଏବଂ କରୋନା ଟିକା ଆସିବା ସମ୍ଭାବନା ଦୃଢ଼ୀଭୂତ ହେଉଥିବାରୁ ସୁନାର ଦାମ୍ ହ୍ରାସ ପାଇବାରେ ଲାଗିଛି । ଏମ୍‌ସିଏକ୍ସରେ ସୁନା ମୂଲ୍ୟ ଆଜି ୫୭୨ ଟଙ୍କା ହ୍ରାସ ପାଇ ୪୯,୮୦୯ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ରୁପାର କେଜି ପିଛା ଦର ୫୮,୯୪୯ ଟଙ୍କାକୁ ହ୍ରାସ ପାଇଛି।ଏମ୍‌ସିଏକ୍ସରେ କାରବାର ହେଉଥିବା ସୁନା ଓ ଗହଣା ଆକାରରେ ବିକ୍ରି ହେଉଥିବା ସୁନା ମୂଲ୍ୟରେ ଅନେକ ଅନ୍ତର ରହିଛି । ମାତ୍ର ଏମ୍‌ସିଏକ୍ସର ଦାମ୍‌ରୁ ସୁନା ଦର କେଉଁ ଦିଗକୁ ଗତି କରୁଛି ତାହାର ଏକ ଆଭାସ ମିଳିଥାଏ ।

ଯେହେତୁ କମୋଡିଟି ଏକ୍ସଚେଞ୍ଜ୍‌ରେ ଏହି ମୂଲ୍ୟବାନ ଧାତୁର ଦାମ୍ ହ୍ରାସ ପାଉଛି ତେଣୁ ଆଗାମୀ ଦିନରେ ଗହଣା ସୋ’ରୁମ୍‌ଗୁଡ଼ିକରେ ସୁନାର ଥିବା ଦାମ୍‌ରେ ସୁଧାର ହେବାର ସମ୍ଭାବନା ରହିଛି ବୋଲି କୁହାଯାଇପାରିବ। ମୁମ୍ବାଇରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୪୬,୪୨୬ ଟଙ୍କା ରହିଛି। ତାହା ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଇଛି। ୨୪ କ୍ୟାରେଟ୍‌ ସୁନାର ଦାମ୍ ୫୦,୬୮୩ ଟଙ୍କା ରହିଛି। ଖୁଚୁରା ବଜାରରେ ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ୩୮,୦୧୨ ଟଙ୍କା ରହିଛି। ତାହା ଉପରେ ଜିଏସ୍‌ଟି ଲାଗୁ କରାଯାଉଛି। ଗତ ତିନି ଦିନରେ ସୁନା ଦାମ୍‌ରେ ୩ ପ୍ରତିଶତ ଏବଂ ରୁପା ମୂଲ୍ୟରେ ୧୪ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି। ଗତ ଅଗଷ୍ଟରେ ସୁନା ମୂଲ୍ୟ ଏହାର ସର୍ବୋଚ୍ଚ ସ୍ତର ୫୬,୧୦୦ ଟଙ୍କାରେ ପହଞ୍ଚିଯାଇଥିଲା। ଗତବର୍ଷ ତୁଳନାରେ ସୁନା ଦାମ୍ ଏବେବି ୨୭ ପ୍ରତିଶତ ଅଧିକ ରହିଛି।

ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୧୮୭୬ ଡଲାରକୁ ହ୍ରାସ ପାଇଛି ଯାହା ଗତ ଛଅ ମାସ ଭିତରେ ସର୍ବନିମ୍ନ ଦର ବୋଲି କୁହାଯାଉଛି। ସୁନା ଦରରେ ହୋଇଥିବା ହ୍ରାସର ଏକ ପ୍ରମୁଖ କାରଣ ଡଲାର ମୂଲ୍ୟ‌ରେ ବୃଦ୍ଧି ବୋଲି କୁହାଯାଇଛି। ୟୁରୋପରେ କରୋନା ସଂକ୍ରମଣ ମାତ୍ରା ବୃଦ୍ଧି ପାଇବା ଯୋଗୁଁ ପୁଣି ଥରେ ଲକ୍‌ଡାଉନ୍ ଘୋଷଣା ହେବାର ଆଶଙ୍କା ଦେଖାଦେଇଛି। ସେଥିପାଇଁ ନିବେଶ ଆକାରରେ ଯେଉଁମାନେ ସୁନାରେ ପୁଞ୍ଜିନିବେଶ କରିଥିଲେ ଲାଭ ପାଇବା ଆଶାରେ ସେମାନେ ତାହାକୁ ବିକ୍ରି କରିବା ଆରମ୍ଭ କରିଛନ୍ତି। ସେଥିପାଇଁ ସୁନା ମୂଲ୍ୟ ହ୍ରାସ ପାଉଛି ବୋଲି ମଧ୍ୟ କୁହାଯାଉଛି। ଆମେରିକା ସରକାର ପୁଣି କେବେ ଅର୍ଥନୈତିକ ପ୍ୟାକେଜ୍ ଆଣିବେ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ସୁନା ମୂଲ୍ୟ କମ୍ ହେଉଛି ବୋଲି ମଧ୍ୟ କୁହାଯାଉଛି।



from Kanak News https://ift.tt/305IZu2 https://ift.tt/3i3nYHF
ସୁନା ଦାମ୍ ୫୦,୦୦୦ ଟଙ୍କା ତଳକୁ ଖସିଲା : ରୁପାର କେଜି ପିଛା ଦର ୫୮,୯୪୯ ଟଙ୍କାକୁ ହ୍ରାସ Kanak News ସୁନା ଦାମ୍ ୫୦,୦୦୦ ଟଙ୍କା ତଳକୁ ଖସିଲା : ରୁପାର କେଜି ପିଛା ଦର ୫୮,୯୪୯ ଟଙ୍କାକୁ ହ୍ରାସ Kanak News Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.