
କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଅଧିକ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏବେ କଟକ ସହରରେ ଘରୋଇ ପରୀକ୍ଷା ବନ୍ଦ ହୋଇଯାଇଛି। ପୂର୍ବରୁ ଆରଟିପିସିଆର୍ ପରୀକ୍ଷା ବନ୍ଦ ହୋଇଯାଇଥିଲା। ୪୫୦ ଟଙ୍କାର ଆଣ୍ଟିଜେନ ପରୀକ୍ଷା ପାଇଁ ଦର ଧାର୍ଯ୍ୟ ଘଟଣାକୁ ନେଇ ଏହି ବିବାଦ ସୃଷ୍ଟି ହେବା ଫଳରେ ଏବେ ଘରୋଇ ପରୀକ୍ଷା ବନ୍ଦ ହେବା ଘଟଣା ଗୁରୁତର ସମସ୍ୟା ସୃଷ୍ଟି କରିବାକୁ ଯାଉଛି।
ସହରର ୧୮ଟି ଘରୋଇ ଲାବ୍ରୋଟୋରି ଓ ନର୍ସିଂହୋମ କୋଭିଡ ପରୀକ୍ଷା ପାଇଁ ଅନୁମତି ପାଇଥିଲେ। ଆଣ୍ଟିଜେନ ପରୀକ୍ଷା ପାଇଁ ସରକାର ୪୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରିଥିଲେ। କିନ୍ତୁ ଘରୋଇ ସଂସ୍ଥା ଏଥିପାଇଁ ଅଧିକ ଟଙ୍କା ନେଉଥିବା ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଛି।
ସରକାର ଯାହା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି, ତାଠାରୁ ଅଧିକ ଟଙ୍କା ଲୋକଙ୍କ ଠାରୁ ନେଲେ, ଅଥବା ଏସମ୍ପର୍କରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଭଳି ଚେତାବନୀ ପରେ ଘରୋଇ ସଂସ୍ଥା ଗୁଡିକ କୌଣସି ଆଣ୍ଟିଜେନ ପରୀକ୍ଷା କରି ନଥିଲେ।
ଅନ୍ୟପକ୍ଷରେ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନ୍ୟାନ୍ୟା ଦାସଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁମତି ପାଇଥିବା ଲାବ ଓ ହସ୍ପିଟାଲର କର୍ମକର୍ତ୍ତା ଉପସ୍ଥିତ ଥିଲେ। ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଆଣ୍ଟିଜେନ୍ ପରୀକ୍ଷା ପାଇଁ ୪୫୦ ଟଙ୍କା ଓ ଆରଟିପିସିଆର ପାଇଁ ୧୨୦୦ ଟଙ୍କାରୁ ଅଧିକ ନିଆଯାଇ ପାରିବନାହିଁ। ଯଦି କେହି ଅଧିକ ଟଙ୍କା ନିଅନ୍ତି ଓ ସେ ସମ୍ପର୍କରେ ଅଭିଯୋଗ ଆସେ ତାହେଲେ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ କଡ଼ା ତାଗିଦ କରାଯାଇଥିଲା।
କିନ୍ତୁ ୫୦୪ ଟଙ୍କାରେ କିଟ କିଣି ୪୫୦ ଟଙ୍କାରେ କେମିତି ପରୀକ୍ଷା କରିବୁ ବୋଲି ପ୍ରଶାସନକୁ ପାଲଟା ପ୍ରଶ୍ନ କରିଥିଲେ ଲାବ୍ ଓ ହସ୍ପିଟାଲ ମାଲିକ। ଏହାବ୍ୟତୀତ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବି ବହୁ ଅଧିକ ପଡୁଛି ବୋଲି ସେମାନେ ସୂଚନା ଦେଇଥିଲେ। ଫଳରେ ସେମାନଙ୍କୁ ଲିଖିତ ଭାବେ ଦାବି ରଖିବାକୁ କୁହାଯାଇଛି। ତାହାକୁ ସରକାରଙ୍କ ପାଖକୁ ପଠାଯିବ। କିନ୍ତୁ ଅନୁମତି ନମିଳିଲା ପର୍ଯ୍ୟନ୍ତ ସରକାର ନିର୍ଦ୍ଧାରିତ କରିଥିବା ଦର ଠାରୁ ଅଧିକ ନେବା ବେଆଇନ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
କିନ୍ତୁ ଏଭଳି ସ୍ଥିତିରେ ଲାବ୍ ଓ ହସ୍ପିଟାଲମାନେ ୪୫୦ ଟଙ୍କାରେ ଆଣ୍ଟିଜେନ ଟେଷ୍ଟ୍ କରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ସରକାରଙ୍କ ଠାରୁ ଅନୁମତି ନ ମିଳିବା ଯାଏ ଯଦି ଘରୋଇ ପରୀକ୍ଷା ଏଭଳି ବନ୍ଦ ରହିବ, ତେବେ ଅନେକ ବ୍ୟକ୍ତି ସମସ୍ୟାରେ ପଡିବେ। ଗୁରୁତର ରୋଗୀଙ୍କ ଘରୋଇ ଚିକିତ୍ସା କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହେବ। ଆଜିର ଏହି ବୈଠକରେ ସିଡ଼ିଏମଓ ଡାକ୍ତର ସତ୍ୟବ୍ରତ ଛୋଟରାୟ, ଜିଲ୍ଲା କୋଭିଡ ନୋଡ଼ାଲ ଅଫିସ ଡାକ୍ତର ଉମେଶ ରାୟଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
from Kanak News https://ift.tt/3335bqR https://ift.tt/33FfArD
No comments: