
କନକ ବ୍ୟୁରୋ : କୋଭିଡ୍ କାଳରେ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ଓ ରୋଗୀସେବା ଭୁଶୁଡ଼ିବାକୁ ବସିଛି। ସାଧାରଣଠାରୁ ଆରମ୍ଭ କରି ଗୁରୁତରଙ୍କ ପର୍ଯ୍ୟନ୍ତ ରୋଗୀ ଡାକ୍ତରଖାନାକୁ ଗଲେ ତାଙ୍କ ଚିକିତ୍ସା ପୂର୍ବରୁ କୋଭିଡ୍ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଉଛି। ବେଳେବେଳେ ରିପୋର୍ଟ ଆସିବାକୁ ଅହେତୁକ ବିଳମ୍ବ ହେଉଛି ଓ ଏଥିଲାଗି ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ୁଛି।
ଗତକାଲି ରାତିରେ ମଧ୍ୟ ବୁର୍ଲା ଭିମ୍ସାରରେ ପୁଣିଥରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ବଡ଼ ଡାକ୍ତରଖାନା କାଜୁଆଲଟିରେ ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ରୋଗୀ ସମ୍ପର୍କୀୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଡାକ୍ତରଖାନା ପରିସରରେ ମୁତୟନ ପୁଲିସ୍ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲେ ସୁଦ୍ଧା କୋଭିଡ୍ ପରୀକ୍ଷଣ ହୋଇନଥିବାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇନଥିଲା। ସେପଟେ, ଚିକିତ୍ସା ନପାଇ ରୋଗୀଙ୍କ ସ୍ଥିତି ବିଗୁଡ଼ୁଥିବା ଦେଖି ତାଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ସେଠାରେ ଉପସ୍ଥିତ ନର୍ସଙ୍କୁ ଗାଳିଗୁଲଜ କରିଥିଲେ।
କିନ୍ତୁ ବିନା କୋଭିଡ୍ ପରୀକ୍ଷଣରେ ଚିକିତ୍ସା ଆରମ୍ଭ ନକରିବାକୁ କର୍ତ୍ତୃପକ୍ଷଙ୍କ କଡ଼ା ନିର୍ଦେଶ ରହିଥିବା ଦର୍ଶାଇ ସେମାନେ ଏହି ନିୟମ ପାଳନ କରୁଛନ୍ତି ବୋଲି ନର୍ସମାନେ ଉତ୍ତର ଦେଇଥିଲେ। ରୋଗୀ ସମ୍ପର୍କୀୟମାନେ ଡାକ୍ତରଖାନା କର୍ମଚାରୀଙ୍କୁ ପାଟିତୁଣ୍ଡ କରିଥିଲେ ଓ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। କିନ୍ତୁ ପ୍ରାୟ ୧୦ ମିନିଟ୍ ଧରି କାଜୁଆଲଟି ପରିସରରେ ଏଭଳି ଉତ୍ତେଜନା ଲାଗି ରହିଥିଲା। ପ୍ରାୟ ୧୫ ମିନିଟ୍ ପରେ ପୁଲିସ୍ ଭିତରକୁ ଆସିଥିଲା ଓ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ କରାଇଥିଲା।
from Kanak News https://ift.tt/2ZTsi4X https://ift.tt/3cgQ3ci
No comments: